ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରେ ଅନ୍ତର୍ଜାତୀୟ ଆଥଲେଟ୍‌ ଦୂତୀ ଚାନ୍ଦଙ୍କ ଜୀବନ କାହାଣୀ।

ଦୂତୀ ଚାନ୍ଦ। ବିଶ୍ୱ କ୍ରୀଡ଼ା ପାଇଁ ଓଡ଼ିଶାର ଅନ୍ତର୍ଜାତୀୟ ଚେହେରା। ନିଜ କ୍ରୀଡ଼ା ପ୍ରଦର୍ଶନ ପାଇଁ ସେ ଯେତିକି ପ୍ରଶଂସା ସାଉଣ୍ଟିଛନ୍ତି, ଖେଳ କ୍ୟାରିୟର ଓ ବ୍ୟକ୍ତିଗତ ଜୀବନ ପାଇଁ ସେତିକି ବିବାଦରେ ମଧ୍ୟ ରହିଛନ୍ତି।

 ବିବାଦ ଓ ଦୂତୀ

ବିଭିନ୍ନ ସମୟରେ ଓଡ଼ିଆ ଆଥଲେଟ୍‌ ଦୂତୀ ଚାନ୍ଦ ବିବାଦରେ ଛନ୍ଦି ହୋଇଛନ୍ତି। ୨୦୧୪ରେ ଦୂତୀଙ୍କ ନାଁରେ ଏକ ସଙ୍ଗୀନ ଗୋଟିଏ ଅଭିଯୋଗ ଆସିଥିଲା ହାଇପର ଆଣ୍ଡ୍ରୋଜେନ ମାମଲାରେ ଛନ୍ଦି ହୋଇପଡ଼ିଥିଲେ ଦୂତୀ। ଏଥିପାଇଁ ତାଙ୍କୁ କିଛି ଦିନ ପାଇଁ ବ୍ୟାନ୍‌ କରାଯାଇଥିଲା। ସେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରୁ ବଞ୍ଚିତ ହୋଇଥିଲେ।

ଦୀର୍ଘ ୨ ବର୍ଷ ସେଇ ମାମଲା ପାଇଁ ଆଇନଗତ ଲଢ଼େଇ କରିଥିଲେ ଦୂତୀ, ଶେଷରେ କୋର୍ଟ ଅଫ୍ ଆର୍ବିଟେସନ୍ ଅଫ୍ ସ୍ପୋର୍ଟସ (CAS)ରୁ ତାଙ୍କୁ ଆଶ୍ୱସ୍ତି ମିଳିଥିଲା। ତା’ପରେ ଦୂତୀ ପୁଣିଥରେ ନିଜ କ୍ୟାରିୟରରେ ଆଗକୁ ବଢ଼ିଥିଲେ।

ତା’ ପରେ ୨୦୧୯ରେ ଦୂତୀଙ୍କ ବ୍ୟକ୍ତିଗତ ଜୀବନର ଗୋଟେ ବଡ଼ କଥାର ଖୁଲାସା ହେଲା। ସେ ଜଣେ ଝିଅଙ୍କୁ ଭଲ ପାଉଛନ୍ତି, ତାଙ୍କୁ ଜୀବନସାଥୀ କରିବାକୁ ଚାହୁଁଛନ୍ତି ଏ କଥା ଦୂତୀ ଖୋଲାଖୋଲି କହିଲେ। ଏ ଘଟଣା ପରେ ଦୂତୀଙ୍କୁ ନେଇ ସେ ସମୟରେ ବେଶ୍‌ ଚର୍ଚ୍ଚା ହୋଇଥିଲା ତାଙ୍କ ପାରିବାରିକ କଳି ମଧ୍ୟ ବାହାରେ ପଡ଼ିଥିଲା।

ନିକଟରେ ଇଣ୍ଡିଆ ଟୁ ଡେ ମାଗାଜିନର କଭର ପେଜ୍‌କୁ ନେଇ ଦୂତୀ ପୁଣି ଚର୍ଚ୍ଚାକୁ ଆସିଥିଲେ। ‘ଦୂତୀ ବାପା ହେବାକୁ ଚାହାନ୍ତି’ – ଏ ଥିଲା ଖବରର ଶିରୋନାମା।

ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କ

‘‘ହଁ ମୁଁ ମୋ’ କଥା ସାରା ଦୁନିଆକୁ ଜଣେଇ ସାରିଛି। ମୋର ସମଲିଙ୍ଗୀ ସମ୍ପର୍କ ଅଛି ଓ ମୁଁ ସେଥିରେ ଖୁସି ବି ଅଛି’’ – ଦିନେ ସୋସିଆଲ ମିଡିଆ ମାଧ୍ୟମରେ ଦୌଡ଼ରାଣୀ ଦୂତୀ ଚାନ୍ଦ ନିଜ ମନର କଥା ସିଧାସଳଖ ଭାବେ କହିଥିଲେ। ସେ ତାଙ୍କ ବାନ୍ଧବୀଙ୍କୁ ବିବାହ କରିବାକୁ ଚାହାନ୍ତି ଏ କଥା ସେ ଖୋଲି କହିଥିଲେ।

‘‘ମୋର ଯିଏ ଜୀବନସାଥୀ ହେବେ ତାଙ୍କ ନାଁ ମୋନାଲିସା। ଆମେ ଦୀର୍ଘଦିନ ହେଲା ପ୍ରେମ ସମ୍ପର୍କରେ ରହିଛୁ। ଆମେ ପରସ୍ପରକୁ ଗ୍ରହଣ କରିସାରିଛୁ। ଆମ ନିଷ୍ପତ୍ତି ମଧ୍ୟ ଅଟଳ। ଏହା ସମ୍ପୂର୍ଣ୍ଣ ଭାବେ ମୋର ବ୍ୟକ୍ତିଗତ ନିଷ୍ପତ୍ତି। ତେଣୁ ଏଥରେ କିଛି ଲୁଚେଇବାର ଅଛି ବୋଲି ଭାବୁନି’’, ଓଡ଼ିଶାଲାଇଭ୍‌କୁ ଦେଇଥିବା ସାକ୍ଷାତକାରରେ ଏକଥା ଖୋଲି କହିଛନ୍ତି ଦୂତୀ।

ଦୂତୀ ଏବଂ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ପର୍କ ରହିଛି। ଦୂତୀ ମଧ୍ୟ ସେହି ବାନ୍ଧବୀଙ୍କ ସହ ବିତାଇଥିବା ବିଭିନ୍ନ ମୁହୂର୍ତ୍ତର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ମୋନାଲିସାଙ୍କ ପରିବାର ସେମାନଙ୍କ ସମ୍ପର୍କକୁ ନେଇ ପ୍ରତିବାଦ କରି ନାହାନ୍ତି। ସେମାନଙ୍କ କହିବା କଥା ଯେ ତାଙ୍କ ଝିଅ ବଡ଼ ହୋଇଯାଇଥିବାରୁ ଏବଂ ସେ ଦୂତୀଙ୍କ ସହ ଏକାଠି ରହିବାକୁ ଚାହୁଁଥିବାରୁ ପରିବାରର କିଛି କରିବାର ନାହିଁ।

ଦୂତୀଙ୍କ କ୍ରୀଡ଼ା କ୍ୟାରିୟର

ଦୂତୀ ଚାନ୍ଦ ନି କ୍ରୀଡ଼ା କ୍ୟାରିୟରରେ ବେଶ୍‌ ସଫୂତା ହାସଲ କରିଛନ୍ତି। କ୍ରୀଡ଼ା ପ୍ରଦର୍ଶନ ପାଇଁ ଦୂତୀଙ୍କୁ ୨୦୨୦ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ସେ ବିଭିନ୍ନ ଜାତୀୟ ଓ ଅର୍ନ୍ତଜାତୀୟ ପ୍ରତିଯୋଗିତାରେ ମେଡାଲ ହାସଲ କରିଛନ୍ତି। ସେ ୨୦୧୬ ରିଓ ଏବଂ ୨୦୨୦ରେ ଟୋକିଓ ଅଲିମ୍ପିକ୍ସ ଖେଳିଛନ୍ତି। ଦୁଇ ଦୁଇଥର ଅଲିମ୍ପିକ୍ସ ଖେଳି ଦୂତୀ ଗୌରବ ଆଣିଛନ୍ତି।

‘‘ଖେଳ ଓ ଦେଶ ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ଖେଳ ମତେ ଆଜି ଏତେ ଆଗକୁ ନେଇଛି। ତେଣୁ ମୁଁ ସବୁବେଳେ ମୋ କ୍ୟାରିୟରକୁ ଗୁରୁତ୍ୱ ଦେଇଆସିଛି। ମୋର କୌଣସି ବ୍ୟକ୍ତିଗତ ଘଟଣା ମୋ କ୍ୟାରିୟରକୁ ପ୍ରଭାବିତ କରିପାରିହିଁ’’, କହିଛନ୍ତି ଦୂତୀ।

ଦୂତୀଙ୍କ ସଂଘର୍ଷ

ଯାଜପୁର ଜିଲ୍ଲା ଗୋପାଳପୁର ଗାଁରେ ଏକ ବୁଣାକାର ପରିବାରରେ ଦୂତୀଙ୍କ ଜନ୍ମ। ପରିବାରରେ ୯ ଜଣ ସଦସ୍ୟ। ୬ ଭଉଣୀ, ଗୋଟେ ଭାଇ ଓ ବାପା, ମା’। ପରିବାରର ଆର୍ଥିକ ସ୍ଥିତି ବି ଭଲ ନଥାଏ। ଓଳିଏ ଖାଇଲେ ଆଉ ଓଳିଏ ଉପାସରେ କଟୁଥାଏ।

‘‘ମୁଁ ଯେଉଁ ସ୍ୱପ୍ନ ନେଇ ଦୌଡିବା ଆରମ୍ଭ କରିଥିଲି ତାହା ଧୀରେ ଧୀରେ ସଫଳ ହେବାକୁ ଲାଗିଲା। ପ୍ରଥମ ଶ୍ରେଣୀରେ ପଢିବା ସମୟରେ ମୁଁ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବରେ ୫୦ ମିଟର ଏବଂ ୧୦୦ ମିଟର ରେ ଭାଗ ନେଇ ସଫଳତା ହାସଲ କଲି। ମତେ ଉପହାରରେ ଗୋଟିଏ ସ୍ଲେଟ ଆଉ ଗୋଟିଏ ଚକଖଡ଼ି ମିଳିଲା ଯାହା ମତେ କିଛି ପାଇବାର ଇଚ୍ଛା ଶକ୍ତି ବଢାଇଦେଲା। ମନରେ ଭାବିଲି ଯଦି ଏମିତି ପ୍ରତି ବର୍ଷ ମୁଁ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବରେ ସଫଳତା ଲାଭ କରେ ତାହେଲେ ମତେ ବହୁତ କିଛି ଉପହାର ମିଳିବ, ଯାହାଫଳରେ ମୁଁ ମୋର ପାଠ ପଢିବା ପାଇଁ ସହାୟକ ହେବ। ସେଇଠୁ ଆରମ୍ଭ ହୋଇଥିଲା ମୋ ଦୌଡ଼ ଯାତ୍ରା’’, କହିଛନ୍ତି ଦୂତୀ ଚାନ୍ଦ।

୨୦୦୬ ମସିହା ହୋଇଯାଇଥିଲା। ଦୂତୀଙ୍କ ବୟସ ପାଖାପାଖି ୧୨ ବର୍ଷ ହୋଇଥିଲା। ସେତେବେଳେ ଦୂତି ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିଲେ। ସେଇ ସମୟରେ ସେ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲକୁ ଆସିଥିଲେ।

ଭୁବନେଶ୍ୱର ତାଙ୍କ ସହିତ ଯିବା ପାଇଁ ସେ ବାପା ମାଙ୍କୁ କହିଥିଲେ। କିନ୍ତୁ ସେ ସଫା ସଫା ମନା କରିଦେଇଥିଲେ ଯିବା ପାଇଁ। କାହିଁକି ନା ସେମାନଙ୍କୁ ଭୁବନେଶ୍ୱର ବିଷୟରେ କିଛି ଜଣା ନ ଥିଲା। ଦୂତୀ ସାହସ ଭୁବନେଶ୍ୱରକୁ ଚାଲି ଆସିଥିଲେ। ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲରେ ଇଣ୍ଟରଭ୍ୟୁ ଦେଇ ପାସ୍‌ କରିଥିଲେ।

Comment