ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ବୁଷ୍ଟର ଡୋଜ୍ ହେବ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୨’
  • ଗାଁ ଗାଁକୁ ପହଞ୍ଚିବ ଲଘୁ ଉଦ୍ୟୋଗ: ମନ୍ତ୍ରୀ ପ୍ରତାପ କେଶରୀ ଦେବ

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ। ଏହି କ୍ଷେତ୍ରକୁ ଆଉ ପାଦେ ଆଗକୁ ନେବା ଲାଗି ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ (ଏମ୍‌ଏସ୍‌ଏମ୍‌ଇ) ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ‘ଓଡ଼ିଶା ଫୁଡ୍‌ ପ୍ରୋ ୨୦୨୨’ କାର୍ଯ୍ୟକ୍ରମ, ଯେଉଁଠି ଗୋଟିଏ ଛାତ ତଳେ ଏକାଠି ହେବେ ସ୍ଵୟଂ ସହାୟକ ଗୋଷ୍ଠୀ, ସମବାୟ ସଂସ୍ଥା, କୃଷକ ଉତ୍ପାଦକ ସଂଗଠନ, ଏକକ ଉଦ୍ୟୋଗ ଏବଂ ଅନେକ ବଡ଼ ବଡ଼ ଶିଳ୍ପ ସଂସ୍ଥା। ଏହି କାର୍ଯ୍ୟକ୍ରମ ଦ୍ଵାରା ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ନୂତନ ବୈଷୟିକ ଜ୍ଞାନ, ଦକ୍ଷତା ଓ ଅଧିକ ପୁଞ୍ଜି ନିବେଶ ମିଳିପାରିବ।ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହଯୋଗରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଜୁଲାଇ ୨୧ ତାରିଖରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ଏଥିଲାଗି ସୋମବାର ଦିନ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଖାରବେଳ ଭବନଠାରେ ଏକ ପ୍ରାକ୍ ସୂଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟ ସରକାରଙ୍କ ଶକ୍ତି, ଶିଳ୍ପ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶା ଫୁଡ୍ ପ୍ରୋ ଇଭେଣ୍ଟର ଏକ କଟେନ୍ ରେଜର୍ ବା ମୁଖବନ୍ଧ ଭିଡିଓ ଉନ୍ମୋଚିତ ହୋଇଥିଲା।

“ଓଡ଼ିଶା ଫୁଡ୍‌ ପ୍ରୋ ଦ୍ଵାରା ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଇକୋସିଷ୍ଟମ୍ ଆହୁରି କ୍ରିୟାଶୀଳ ହୋଇପାରିବ। ବିଭିନ୍ନ ଦିଗରୁ ରାଜ୍ୟକୁ ପୁଞ୍ଜିନିବେଶ ବାଟ ଫିଟିବ ସହିତ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଲଘୁ ଉଦ୍ୟୋଗଗୁଡ଼ିକୁ ରାଜ୍ୟର ଗ୍ରାମାଞ୍ଚଳରେ ପହଞ୍ଚାଇବା। ପ୍ରତିଟି ଗାଁରୁ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ନେଇ କିପରି ଛୋଟ ଛୋଟ ଉଦ୍ୟୋଗ ସୃଷ୍ଟି ହୋଇପାରିବ। କୃଷି କାର୍ଯ୍ୟ କେବଳ କୃଷିରେ ହିଁ ସୀମିତ ରହିବ ନାହିଁ, ତାହା ଉଦ୍ୟୋଗର ରୂପ ନେବ। ଯାହା ମିଶନ ଶକ୍ତିର ମା’ମାନଙ୍କଠୁ ଆରମ୍ଭ ହେବ”, କହିଛନ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ।ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ସ୍ଵାଗତ ଭାଷଣରେ ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ନେଇ ସରକାରଙ୍କ ଆଭିମୁଖ୍ୟ ବିଷୟରେ କହିଥିଲେ ଯେ, ଓଡ଼ିଶାକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ଖାଦ୍ୟ ଆକର୍ଷକ ଖାଦ୍ୟ ପ୍ରକ୍ରିୟାକରଣର ପେଣ୍ଠ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିଲାଗି ରାଜ୍ୟରେ ଓଡ଼ିଶା ଫୁଡ୍ ପ୍ରୋ ଭଳି ଏକ ଅଭିନବ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀ, ସମବାୟ ସଂସ୍ଥା, କୃଷକ ଉତ୍ପାଦକ ସଂଗଠନ, ଏକକ ଉଦ୍ୟୋଗୀମାନେ ଗୋଟିଏ ଛାତ ତଳେ ଏକାଠି ହେବେ। ରାଜ୍ୟର କୃଷି ଉତ୍ପାଦନକୁ କିପରି ଅତ୍ୟାଧୁନିକ ତଥା ବୈଷୟିକ ସହାୟତାରେ ପ୍ରକ୍ରିୟାକରଣ କରାଯାଇ ପାରିବ ସେ ବାବଦରେ କାର୍ଯ୍ୟକ୍ରମରେ ପ୍ରଦର୍ଶନୀ କରାଯିବ। ଏଥିସହିତ ୧୦୦ରୁ ଅଧିକ ବଡ଼ ବଡ଼ ଶିଳ୍ପସଂସ୍ଥାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ, ଯାହାଦ୍ଵାରା ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଲାଗି ପୁଞ୍ଜିନିବେଶର ବାଟ ଫିଟିବ।

ଏହି କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଜି ଗ୍ରୁପ୍ ମହିଳାମାନଙ୍କ ସମେତ କିଛି ଷ୍ଟାର୍ଟଅପ୍ ପ୍ରତିଷ୍ଠାତାମାନେ ସାମିଲ ହୋଇ ନିଜ ନିଜ ସଫଳତାର କାହାଣୀ ଉପସ୍ଥାପନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, କୃଷି ଉତ୍ପାଦକ କମିଶନର ତଥା କୃଷି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା, ଓ-ହବ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ଓମକାର ରାଇ, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ଏବଂ ଏପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।

Tags: #OdishaFoodPro2022 #OdishaFoodPro #MSMEOdisha #ଏମ୍‌ଏସ୍‌ଏମ୍‌ଇ #ଓଡ଼ିଶାଫୁଡ୍‌ପ୍ରୋ

Comment