ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା କୋଭିଡ ସଂକ୍ରମଣକୁ ଦେଖି ରାଜଧାନୀ ପାଇଁ ଶନିବାର ଦିନ ପୁଣି କୋଭିଡ କଟକଣାକୁ କଡ଼ା କରିଛି ଭୁବନେଶ୍ଵର ମହାନଗର ନିଗମ(ବିଏମସି)। ଏଣିକି ମାସ୍କ ନଥିଲେ କୌଣସି ସ୍ଥାନକୁ ଯିବାକୁ ଅନୁମତି ମିଳିବ ନାହିଁ। ଏପରିକି ମାସ୍କ ନଥିଲେ ଗ୍ରାହକଙ୍କୁ ସାମଗ୍ରୀ ନଦେବାକୁ ଦୋକାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ବିଏମସି।

ମଲ୍ ଏବଂ ଦୋକାନଗୁଡ଼ିକରେ ‘ନୋ ମାସ୍କ ନୋ ଏଣ୍ଟ୍ରି’ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପେଟ୍ରୋଲ ପମ୍ପଗୁଡ଼ିକୁ ମଧ୍ୟ ବିନାମାସ୍କରେ କୌଣସି ଗ୍ରାହକଙ୍କୁ ପେଟ୍ରୋଲ ଏବଂ ଡିଜେଲ ନଦେବାକୁ ତାଗିଦ କରାଯାଇଛି। ପେଟ୍ରୋଲ ପମ୍ପରେ ମଧ୍ୟ ‘ନୋ ମାସ୍କ ନେ ଏଣ୍ଟ୍ରି’ ବୋର୍ଡ ଲଗାଇବାକୁ କୁହାଯାଇଛି। ସବୁସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ରାଜ୍ୟରେ କ୍ରମାଗତ ଭାବେ କୋଭିଡ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜିର ରିପୋର୍ଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ ୧,୦୬୫ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୬୧ ଜଣ ରହିଛନ୍ତି। କଟକରୁ ୧୩୫ ଜଣ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୧ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟସବୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୨୨ ଜଣ ରହିଛନ୍ତି।

ଭୁବନେଶ୍ଵରରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ କଟକଣାକୁ ଆହୁରି କଡ଼ା କରିଛି ବିଏମସି। ଏହା ପୂର୍ବରୁ ଗତ ୧୧ ତାରିଖରେ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ କୋଭିଡ କଟକଣା ନେଇ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଏଥିରେ ରାସ୍ତାକଡ଼ ଦୋକାନୀମାନଙ୍କୁ ଦୋକାନ ଆଗରେ ଭିଡ଼ ନଜମାଇବାକୁ ତାଗିଦ କରାଯାଇଥିଲା। ଟିଫିନଷ୍ଟଲ, ଚା’ ଦୋକାନ, ଗୁପଚୁପ ଷ୍ଟଲ, ଦହିବରା ଷ୍ଟଲ, ଲସି, ଜୁସ୍ ଷ୍ଟଲ ଆଗରେ ଭିଡ଼ ନବଢ଼ାଇବାକୁ ଦୋକାନୀମାନଙ୍କୁ ତାଗିଦ କରାଯାଇଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ ଅସମର୍ଥ ହେଲେ ପାର୍ସଲ ବ୍ୟବସ୍ଥା କରିବାକୁ ଦୋକାନୀମାନଙ୍କୁ କୁହାଯାଇଥିଲା। 

ଏହା ସହିତ ସପିଂ ମଲଗୁଡ଼ିକୁ ମଧ୍ୟ କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମଲ ଭିତରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ କୁହାଯାଇଥିଲା। ପୂର୍ବଭଳି ମଲରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଲଗୁଡ଼ିରେ କୋଭିଡ କଟକଣା ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବା ପାଇଁ ଜଣେ ସ୍ଵତନ୍ତ୍ର ଅଧିକାରୀ ନିଯୁକ୍ତ କରିବାକୁ ମଲ କର୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହା ସହିତ ସ୍ପା ସେଣ୍ଟର ଏବଂ ସାଲୁନଗୁଡ଼ିକରେ କୋଭିଡ ନିୟମ ପାଳନ ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଥିଲା। ଅଡିଟୋରିଅମ, ସିନେମା ହଲ୍, ଥିଏଟରଗୁଡ଼ିକରେ ମଧ୍ୟ କୋଭିଡ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ରହିଥିବାବେଳେ ସାମାଜିକ ଦୂରତା ସହ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଥିଲା।

Tags: #Covid19 #CoronaVirus #Guideline #BMC #MaskMandatory

LEAVE A REPLY

Please enter your comment!
Please enter your name here