ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ। ଦେଶର ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର ସୌଭାଗ୍ୟ ସେ ଅର୍ଜନ କରିଛନ୍ତିା ଗୁରୁବାର ସନ୍ଧ୍ୟାରେ ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ପରେ ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ରହିଛି ୫ ଲକ୍ଷ ୭୭ ହଜାର ୭୭୭।  ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନାଙ୍କୁ ବହୁ ପଛରେ ପକାଇ ଇତିହାସ ରଚିଛନ୍ତି ଦ୍ରୌପଦୀ। ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ବାହାରିବା ପରେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।ରାଇରଙ୍ଗପୁରରୁ ରାଇସିନା ହିଲ୍ – ଦ୍ରୌପଦୀଙ୍କ ଯାତ୍ରା

ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକର ଉପରବେଡ଼ା ଗାଁରେ ଏକ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ବେଳରୁ ଦ୍ରୌପଦୀ ମୁର୍ମୁ ଭଲ ପାଠ ପଢ଼ୁଥିଲେ। ୧୯୬୦ ମସିହାରେ ସପ୍ତମ ପାସ୍ କରିବା ପରେ ସେ ଭୁବନେଶ୍ଵର ୟୁନିଟ-୨ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠପଢ଼ିବା ପାଇଁ ଆସିଥିଲେ। ସେତେବେଳେ ସେ ଆଦିବାସୀ ଛାତ୍ରୀ ନିବାସରେ ରହି ୧୯୭୦ରୁ ୧୯୭୪ ମସିହା ପର୍ଯ୍ୟନ୍ତ ହାଇସ୍କୁଲ ପଢ଼ା ସମାପ୍ତ କରିଥିଲେ।

ଏହାପରେ ସେ ରମାଦେବୀ ମହିଳା ମହାବିଦ୍ୟାଳୟରେ (ବର୍ତ୍ତମାନର ବିଶ୍ଵବିଦ୍ୟାଳୟ) ନାମ ଲେଖାଇଥିଲେ। ଏହି ସମୟରେ ତାଙ୍କ ଭିତରେ ନେତୃତ୍ୱ ନେବାର କଳା ଦେଖାଯାଇଥିଲା। ହଷ୍ଟେଲରେ ରହିବା ସମୟରେ ସେ ମେସ୍ ପରିଚାଳନା ଦାୟିତ୍ଵରେ ରହିଥିଲେ। ରମାଦେବୀ ମହିଳା ମହାବିଦ୍ୟାଳୟରୁ ସେ ୧୯୭୯ ମସିହାରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ସରକାରୀ ଚାକିରି ଛାଡ଼ିଥିଲେ

ଗ୍ରାଜୁଏସନ ଡିଗ୍ରୀ ହାସଲ କରିବା ପରେ ସରକାରୀ ଚାକିରିରେ ନିଯୁକ୍ତ ହୋଇଥିଲେ ଦ୍ରୌପଦୀ ମୁର୍ମୁ। କିଛି ବର୍ଷ ପରେ ସରକାରୀ ଚାକିରି ଛାଡ଼ି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ସେ ଯୋଗ ଦେଇଥିଲେ। ଏହାପରେ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ।୧୯୯୭ରେ ରାଜନୀତିକୁ ଆସିଲେ

କିଛି ଦିନର ଚାକିରି ଜୀବନ ପରେ ରାଜନୀତି ପ୍ରତି ମନବଳାଇ ଥିଲେ ଦ୍ରୌପଦୀ ମୁର୍ମୁ। ୧୯୯୭ ମସିହାରେ ରାଜନୀତି ମଇଦାନକୁ ପ୍ରବେଶ କରିଥିଲେ ସେ। ୧୯୯୭ରେ ଓ୍ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ।  ଭାରତୀୟ ଜନତା ପାର୍ଟିର (ବିଜେପି) ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାନସଭା ଆସନରୁ ୨୦୦୦ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସେହି ବର୍ଷ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ଦୁଇ ଥର ବିଧାୟିକା ଏବଂ ମନ୍ତ୍ରୀ ଦାୟିତ୍ଵ ତୁଲାଇବା ପରେ ସେ ଜଣେ ସକ୍ରିୟ ବିଜେପି କର୍ମୀ ଏବଂ ଆଦିବାସୀ ଚେହେରା ଭାବେ ପରିଚିତ ହୋଇଥିଲେ।ବିଭିନ୍ନ ବିଭାଗର ମନ୍ତ୍ରୀ ପଦରେ ଥିଲେ

ବିଜୁ ଜନତା ଦଳ(ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି(ବିଜେପି)ର ମେଣ୍ଟ ଶାସନ ସମୟରେ ଦ୍ରୌପଦୀ ମୁର୍ମୁ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ (ସ୍ୱାଧୀନ) ଭାବେ ୨୦୦୦ ମସିହା ମାର୍ଚ୍ଚ ୬ ତାରିଖରୁ ୨୦୦୨ ମସିହା ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୦୨ ମସିହା ଅଗଷ୍ଟ ୬ ତାରିଖରୁ ୨୦୦୪ ମସିହା ମେ’ ୧୬ ତାରିଖ ପର୍ଯ୍ୟନ୍ତ ସେ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ଥିଲେ। ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ ଅଛନ୍ତି। ୧୯୯୭ ମସିହାରେ ତାଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା।

୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ବିଜେପି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାୟିତ୍ଵରେ ଥିଲେ। ଏହା ସହ ୨୦୦୬ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଥିଲେ ଦ୍ରୌପଦୀ ମୁର୍ମୁ। ୨୦୦୭ ମସିହାରେ ଓଡ଼ିଶା ବିଧାନସଭା ପକ୍ଷରୁ ସର୍ବଶ୍ରେଷ୍ଠ ବିଧାୟିକ ରୂପରେ ତାଙ୍କୁ ‘ନୀଳକଣ୍ଠ ପୁରସ୍କାର’ ପ୍ରଦାନ କରାଯାଇଥିଲା।ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଥିଲେ

ଜଣେ ଦକ୍ଷ ରାଜନୀତିଜ୍ଞ ଭାବେ ଦ୍ରୌପଦୀ ମୁର୍ମୁଙ୍କର ପରିଚୟ ରହିଛି। ୨୦୧୫ ମସିହା ମେ’ ୧୮ ତାରିଖରେ ସେ ହୋଇଥିଲେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ। ସେ ୨୦୧୫ରୁ ୨୦୨୧ ମସିହା ପର୍ଯ୍ୟନ୍ତ ରାଜ୍ୟପାଳ ଭାବେ ନିଜର ଦାୟିତ୍ଵ ଏବଂ କର୍ତ୍ତବ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ।

Tags: #PresidentofIndia #DraupadiMurmu #Rastrapati #Odisha #ଦ୍ରୌପଦୀମୁର୍ମୁ #ରାଷ୍ଟ୍ରପତିନିର୍ବାଚନ #ରାଷ୍ଟ୍ରପତି

Comment