ଓଡ଼ିଶାଲାଇଭ୍ ବ୍ୟୁରୋ

ତାଳଚେରଠାରୁ ଗୋପାଳପୁର ରେଳପଥ ନିର୍ମାଣ ପାଇଁ ୨୫ ବର୍ଷ ତଳୁ ତୃତୀୟ ସର୍ଭେ ସରିଥିବାବେଳେ ଏଥିପାଇଁ ଅନ୍ତିମ ଲୋକେସନ ସର୍ଭେ ପାଇଁ ଅନୁମତି ଦେଇଛି ରେଳ ବିଭାଗ। ରେଳ ବିଭାଗର ଏହି ଅନୁମତି ପରେ ବହୁ ପ୍ରତୀକ୍ଷିତ ତାଳଚେର-ଗୋପାଳପୁର ରେଳ ପ୍ରକଳ୍ପ କାର୍ଯକାରୀ ହେବା ନେଇ ବାଟ ଫିଟିଥିବା କୁହାଯାଉଛି।

ଏହି ରେଳପଥ ପାଇଁ ଅନ୍ତିମ ଲୋକେସନ ସର୍ଭେ ସମାପ୍ତ କରି ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ଜୋନାଲ ରେଲୱେ ( ଇଷ୍ଟ କୋଷ୍ଟ)କୁ ପରାମର୍ଶ ଦିଆଯାଇଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଓ ତାଳଚେର-ଗୋପାଳପୁର ରେଳ ପଥ ଏକ ଉତ୍ତମ ଭିତ୍ତିଭୂମି ସୃଷ୍ଟି କରିବ ବୋଲି ନୟାଗଡ଼ ଜିଲ୍ଲାବାସୀ ଆଶାବ୍ୟକ୍ତ କରିଛନ୍ତି। ତାଳଚେରଠାରୁ ଗୋପାଳପୁର ୨୯୩ କିଲୋମିଟର ରେଳ ପଥ ନିର୍ମାଣ ପାଇଁ ୧୯୯୦ ମସିହାରେ ସ୍ବର୍ଗତ ବିଜୁ ପଟ୍ଟନାୟକ ପରିକଳ୍ପନା କରିଥିଲେ। ଏହି ରେଳପଥ ନିର୍ମାଣ ହେଲେ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ ଜିଲ୍ଲାର ସାମାଜିକ, ଅର୍ଥନୈତିକ, ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତି ହେବାସହ ତାଳଚେରରୁ ଗୋପାଳପୁର ସିଧାସଳଖ କୋଇଲା ଆସିପାରିବ ବୋଲି ସ୍ବର୍ଗତ ବିଜୁ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।

ଏହି ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରି ରେଳପଥ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ୧୯୯୦, ୧୯୯୬, ୨୦୦୩  ମସିହାରେ ସର୍ଭେ କରାଯାଇଥିଲା। ଅନ୍ତିମ ଲୋକେସନ ସର୍ଭେ କାର୍ଯ୍ୟରେ ମନ୍ଥରତା ହେତୁ ନୟାଗଡ଼ ଜିଲ୍ଲାବାସୀଙ୍କ ତରଫରୁ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁଙ୍କ ମାଧ୍ୟମରେ  କେନ୍ଦ୍ର ରେଳ ମନ୍ତ୍ରାଳୟକୁ ଦାବିପତ୍ର ଦିଆଯାଇଥିଲା। ଏହି ରେଳପଥ ଗୋପାଳପୁରଠାରୁ ଆରମ୍ଭ ହୋଇ ବ୍ରହ୍ମପୁର, କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ଧବଳପୁର, ଆସ୍କା, ସୁବଳୟା, ଗଳିପଦର, ବୁଗୁଡ଼ା, କରଚୁଲି, ବନ୍ତ ପୁର, ଶରଣକୁଳ, ନୟାଗଡ଼, ଖଣ୍ଡପଡ଼ା, କଣ୍ଟିଲୋ, ବଡ଼ମ୍ବା, ନୂଆପାଟଣା, ଗୋବିନ୍ଦପୁର, ରସୋଲ, ମଇଧରପୁର ଏବଂ ଟାକୁଆ ହୋଇ ଅନୁଗୁଳ ଷ୍ଟେସନକୁ ସଂଯୋଗ କରିବାର ପ୍ରସ୍ତାବ ରହିଥିବା ଜଣାପଡ଼ିଛି।

Tags: #Nayagarh #RailwayStation #TalcherToGopalpur

Comment