ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନ ଭାରତ ପାଇଁ ସ୍ଵର୍ଣ୍ଣିମ ସାବ୍ୟସ୍ତ ହୋଇଛି। ଗୋଟିଏ ଦିନରେ ଭାରତକୁ ମିଳିଛି ତିନି ତିନିଟି ସ୍ଵର୍ଣ୍ଣ ପଦକ। ସବୁ ପଦକ କୁସ୍ତିକୁ ହିଁ ମିଳିଛି। ସ୍ଵର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଥିବା ଏହି ୩ କୁସ୍ତି ଯୋଦ୍ଧା ହେଉଛନ୍ତି ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ଦୀପକ ପୁନିଆ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନଙ୍କର ପ୍ରଦର୍ଶନ ଦମଦାର ରହିଛି। ସ୍ଵର୍ଣ୍ଣଠାରୁ କାଂସ୍ୟ ଗୋଟିଏ ପରେ ଗୋଟିଏ ପଦକ ହାସଲ କରି ବିଶ୍ଵ ଦରବାରରେ ନିଜ ଦକ୍ଷତା ଦେଖାଇବାରେ ଲାଗିଛିନ୍ତି ଭାରତୀୟ ଖେଳାଳି। ଅଗଷ୍ଟ ୫ ତାରିଖ ଭାରତ ପାଇଁ ସବୁଠାରୁ ଗରୁତ୍ଵପୂର୍ଣ୍ଣ ଏବଂ ଶୁଭ ଦିନ ଥିଲା। ଗୋଟିଏ ଦିନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ୬ଟି ପଦକ। ଏଥିରେ ୩ଟି ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି କାଂସ୍ୟ ପଦକ ରହିଛି। ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ଦୀପକ ପୁନିଆଙ୍କୁ ଫ୍ରିଷ୍ଟାଇଲ କୁସ୍ତିରେ ସ୍ଵର୍ଣ୍ଣ ପଦକ ମିଳିଥିବାବେଳେ ଅନ୍ୟ ୩ଟି ଟେବୁଲ ଟେନିସ ଏବଂ ଲନ ବଲ୍ସରେ ମିଳିଛି।

ପୁଣି ସ୍ଵର୍ଣ୍ଣ ଜିତିଲେ ବଜରଙ୍ଗ ପୁନିଆ

ଶୁକ୍ରବାର ଦିନ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଲଗାତର ଦ୍ଵିତୀୟ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ କୁଷ୍ଟି ଯୋଦ୍ଧା ବଜରଙ୍ଗ ପୁନିଆ। ଶୁକ୍ରବାର ଦିନ ଫ୍ରିଷ୍ଟାଇଲ କୁସ୍ତିରେ ଦେଶ ପାଇଁ ସ୍ଵର୍ଣ୍ଣ ପଦକ ଜିତିଥିଲେ ବଜରଙ୍ଗ ପୁନିଆ। ପୁରୁଷ ବର୍ଗ ୬୫ କିଲୋ ଭାର ବର୍ଗର ଫାଇନାଲରେ ବଜରଙ୍ଗ ପୁନିଆ କାନାଡ଼ାର ଏଲ. ମୌକଲୀନଙ୍କୁ ୯-୨ରେ ମାତ ଦେଇଥିଲେ।

କାନାଡ଼ାକୁ ହରାଇ ଭାରତ ପାଇଁ ସ୍ଵର୍ଣ୍ଣ ଆଣିଲେ ସାକ୍ଷୀ ମଲିକ

ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲିକ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣି ଦେଇଛନ୍ତି। ଫାଇନାଲରେ ସାକ୍ଷୀ କାନାଡ଼ାର ଏନା ଗୋଞ୍ଜାଲେଜଙ୍କୁ ମାତ ଦେଇଥିଲେ। ନିଜର ପଦକ ଗ୍ରହଣ କରିବା ଅବସରରେ ପୋଡିୟମ ଉପରେ ଛିଡ଼ା ହୋଇ କାନ୍ଦି ପକାଇଥିଲେ ସାକ୍ଷୀ। ସାକ୍ଷୀ ମଲିକ ମହିଳା ବର୍ଗରେ ୬୨ କିଲୋ ଭାରବର୍ଗରେ ୪-୪ରେ ଏନା ଗୋଞ୍ଜାଲେଜଙ୍କୁ ମାତ ଦେଇଥିଲେ।

ଭାରତ ପାଇଁ ସୁନା ଆଣିଲେ ସୁନା ପୁଅ ଦୀପକ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ଦିନ ତୃତୀୟ ସ୍ଵର୍ଣ୍ଣ ଆଣିଛନ୍ତି କୁସ୍ତି ଯୋଦ୍ଧା ଦୀପକ ପୁନିଆ। ୮୬ କିଲୋ କାଟାଗୋରିରେ ପାକିସ୍ତାନର କୁସ୍ତି ଯୋଦ୍ଧା ମହମ୍ମଦ ଇନାମଙ୍କୁ ୩-୦ରେ ମାତ ଦେଇ ସ୍ଵର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଥିଲେ ଦୀପକ। ଫ୍ରିଷ୍ଟାଇଲ କୁସ୍ତିରେ ଦୀପକ ଏହି ପଦକ ହାସଲ କରିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ବେଶ ଦମଦାର ରହିଛି। ବର୍ତ୍ତମାନ ସୁଦ୍ଧା ଭାରତକୁ ମିଳିଛି ମୋଟ ୨୬ଟି ପଦକ। ଏଥିରେ ୯ଟି ସ୍ଵର୍ଣ୍ଣ ପଦକ ରହିଛି। ଏହି ସଫଳତା ଆଗକୁ ଜାରି ରହିବ ବୋଲି ଆଶା ରଖିଛି ଭାରତ।

Tags: #Sports #Game #CommonwealthGames #GoldMedal #BajrangPunia #SakshiMalik #DeepakPunia

Comment