ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ମିଂହାମଠାରେ ଚାଲିଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ବିଜୟ ଧାରା ଜାରି ରହିଛି। ଭାରତ ପାଇଁ ଆଉ ଏକ ସ୍ଵର୍ଣ୍ଣ ଜିତିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପି ଭି ସିନ୍ଧୁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସିନ୍ଧୁଙ୍କର ଏହା ପ୍ରଥମ ସ୍ଵର୍ଣ୍ଣ ପଦକ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଫାଇନାଲରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପି ଭି ସିନ୍ଧୁ ଫାଇନାରେ କାନାଡ଼ାର ମିସେଲ ଲି’ଙ୍କୁ ହରାଇ ସ୍ଵର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଲେ ସିନ୍ଧୁ

ପି ଭି ସିନ୍ଧୁ ଦୁଇ ଦୁଇ ଥର ଅଲମ୍ପିକ୍ସ ଚାମ୍ପିଅନ ରହିସାରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗତ ସିଜିନ ୨୦୧୪ରେ ସିନ୍ଧୁ କାଂସ୍ୟ ପଦକ ହାସଲ କରିଥିବାବେଳେ ୨୦୧୮ରେ ରୌପ୍ୟ ପଦକ ହାସଲ କରିଥିଲେ। ଚଳିତ ଥର ସ୍ଵର୍ଣ୍ଣ ପଦକ ଜିତି ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି ସିନ୍ଧୁ। କିନ୍ତୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସିନ୍ଧୁ ମିକ୍ସଡ ଟିମ୍ ଇଭେଣ୍ଟରେ ସ୍ଵର୍ଣ୍ଣ ପଦକ ଜିତିଥିଲେ।

ମିସେଲଙ୍କୁ ୯ ଥର ହରାଇଲେଣି ସିନ୍ଧୁ

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାନାଡ଼ାର ବ୍ୟାଡମିଣ୍ଟନ ଖେଳାଳି ମିସେଲ ଲି’ଙ୍କୁ ମାତ ଦେଇ ପି ଭି ସିନ୍ଧୁ ସ୍ଵର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ସିନ୍ଧୁଙ୍କଠାରୁ ଏହା ମିସେଲଙ୍କର ପ୍ରଥମ ହାର ନୁହେଁ। ପ୍ରାୟ ୯ ଥର ବ୍ୟାଡମିଣ୍ଟନ ଖେଳରେ ମିସେଲଙ୍କୁ ହରାଇଛନ୍ତି ସିନ୍ଧୁ। ରାଜ୍ୟ ଗୋଷ୍ଠୀକ୍ରୀଡ଼ା ପୂର୍ବରୁ ମିସେଲ-ସିନ୍ଧୁ ୧୦ ଥର ମ୍ୟାଚ ଲଢ଼ିଛନ୍ତି। ଯେଉଁଥିରେ ୮ ଥର ଜିତ ହାସଲ କରିଛନ୍ତି ପି ଭି ସିନ୍ଧୁ। ଆଜି ପୁଣି ଥରେ ମିସେଲଙ୍କୁ ଏକ ବଡ଼ ଝଟକା ଦେଇ ସ୍ଵର୍ଣ୍ଣ ପଦକ ବିଜେତା ହୋଇଛନ୍ତି ପି ଭି ସିନ୍ଧୁ।

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ଭାରତକୁ ୧୯ଟି ସ୍ଵର୍ଣ୍ଣ ପଦକ ହାସଲ ହୋଇଛି। ଏହି ଧାରା ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା ରଖିଛି ଭାରତ।

Tags: #Sports #Games #CommonwealthGames2022 #GoldMedal #PVSindhu

Comment