ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦୀବାସୀ ସମ୍ପ୍ରଦାୟଙ୍କ କଳା, ସଂସ୍କୃତି, ପରମ୍ପରା ଓ ଜୀବନଶୈଳୀ ସ୍ଵତନ୍ତ୍ର। ସେମାନଙ୍କର ଘର ହେଉ ବା ପୋଷାକ କିମ୍ବା ପୂଜାପର୍ବ ସବୁଥିରେ ଦେଖିବାକୁ ମିଳେ ଭିନ୍ନତା।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥବା ଲାଞ୍ଜିଆ ସଉରା, ଗଣ୍ଡ, ଜୁଆଙ୍ଗ, ଭୂମିଜ ଓ ସାନ୍ତାଳିଙ୍କ ଜୀବନଜୀବିକା, ରହଣୀସ୍ଥଳ, ବେଶଭୂଷା ସମ୍ପର୍କରେ ଜାଣିବାକୁ ଲୋକଙ୍କ ମଧ୍ୟ ଆଗ୍ରହ ରହିଛି। ସେମାନଙ୍କ ପାଇଁ ଦିନଟିଏ ଉତ୍ସର୍ଗ କରାଯାଇଛି। ପ୍ରତିବର୍ଷ ଅଗଷ୍ଟ ମାସ ୯ ତାରିଖରେ ପାଳନ କରାଯାଉଛି ‘ବିଶ୍ଵ ଆଦିବାସୀ ଦିବସ’।

ଲାଞ୍ଜିଆ ସଉରାଙ୍କ ଏକ ବଖରା ବିଶିଷ୍ଟ ଘର

ଓଡ଼ିଶାର ପାରଳାଖେମୁଣ୍ଡି ଏବଂ ଗୁଣପୁର ଅଞ୍ଚଳରେ ରହୁଥିବା ଲାଞ୍ଜିଆ ସଉରାମାନଙ୍କ ଜୀବନଧାରଣ ଶୈଳୀ ନିଆରା। ଏମାନେ ସାଧାରଣତଃ ଏକ ବଖରା ବିଶିଷ୍ଟ ଘରେ ରହୁନ୍ତି। ଗୋଟିଏ ପଟେ ଉଚ୍ଚ କାଠଭାଡ଼ିରେ ଶସ୍ୟ ସଂରକ୍ଷିତ ହୁଏ। ନିମ୍ନ ଭାଗରେ ଚୁଲି ଓ ଛୋଟ ମନ୍ଦିର ରହିଥାଏ। ଘରର ଅନ୍ୟ ପଟେ ପାରମ୍ପରିକ ‘ଇଡ଼ିତାଲ’ ଚିତ୍ରକଳା ରହିଥାଏ। ବାରଣ୍ଡା ତଳେ ଘୁଷୁରୀ ଓ ଅନ୍ୟ ପଶୁପକ୍ଷୀ ରଖିବାର ବ୍ୟବସ୍ଥା ରହିଥାଏ। ‘ଇଡ଼ିତାଲ’ ସଉରା ଜନଜାତି ସମ୍ପ୍ରଦାୟର ଏକ ଆନୁଷ୍ଠାନିକ ଚିତ୍ରକଳା। ନାଲି ମାଟି ଲେପ ଉପରେ ଚାଉଳ ଗୁଣ୍ଡରେ ଏହା ଅଙ୍କା ଯାଇଥାଏ।

ପ୍ରଶଂସା ସାଉଁଟୁଛି ଗଣ୍ଡଙ୍କ ଚିତ୍ରକଳା

କନ୍ଧ ଜନଜାତି ପରେ ଓଡ଼ିଶାରେ ବାସ କରୁଥିବା ଜନଜାତିଙ୍କ ମଧ୍ୟରେ ଗଣ୍ଡ ସର୍ବବୃହତ ଜନଜାତି। ଭାରତର ଗଣ୍ଡ ଚିତ୍ରକଳା ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍‌ ପ୍ରଶଂସା ସାଉଁଟୁଛି। ଓଡ଼ିଶାର ଗଣ୍ଡ ଜନଜାତିଙ୍କର ଚିତ୍ରକଳାରେ ବିଶେଷତ୍ଵ ରହିଛି। ଘରର କାନ୍ଥଗୁଡ଼ିକୁ ପାରମ୍ପରିକ ଗଣ୍ଡ ଚିତ୍ରକଳାରେ ସୁନ୍ଦର ଭାବେ ରଙ୍ଗ ସାହାଯ୍ୟରେ ଅଙ୍କନ କରାଯାଇଥାଏ। ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ପ୍ରାଣୀମାନଙ୍କୁ ପ୍ରତୀକ ସ୍ଵରୂପ ନିଆଯାଇ କାନ୍ଥରେ ଚିତ୍ର ଅଙ୍କନ କରାଯାଏ।

କାନ୍ଥରେ ଚିତ୍ରକଳା ଅଙ୍କନ କରି ପ୍ରତ୍ୟେକ ଗଣ୍ଡ ପରିବାର ଆନୁଷ୍ଠାନିକ ପୂଜା ପାଳନ କରିଥାନ୍ତି। ପ୍ରତ୍ୟେକ ଗୋତ୍ରର ପ୍ରତୀକ ଭାବେ ଜୀବଜନ୍ତୁଙ୍କ ପ୍ରତିକୃତି ଭଳି ଚିତ୍ରକୁ କାନ୍ଥରେ ଅଙ୍କନ କରିବା ସହ ପୂଜାର୍ଚ୍ଚନା କରାଯାଇଥାଏ। ବିଭିନ୍ନ ଗୋତ୍ରର ପ୍ରତୀକ ହେଉଛନ୍ତି ବାଘ, ମୟୂର, କଇଁଛ, ଛଞ୍ଚାଣ, ହାତୀ ଏବଂ ସର୍ପ।

ଘରର ଗୋଟିଏ ପାଖରେ ଚୁଲି ସ୍ଥାନିତ କରାଯାଇଥିବାବେଳେ ଅନ୍ୟ ପଟରେ ମାଛମରା ଉପକରଣ ରଖାଯାଇଥାଏ। ଘରର ମୁଖ୍ୟ ସ୍ଥାନରେ ଖାଦ୍ୟଶସ୍ୟ ରଖିବା ନିମନ୍ତେ କାଠ ତିଆରି ମଞ୍ଚା ମଧ୍ୟ କରାଯାଇଥାଏ।  ଆଗରୁ ଚିତ୍ରକଳାରେ କୃତ୍ରିମ ରଙ୍ଗ ବ୍ୟବହାର ହେଉନଥିଲା। ପୂର୍ବରୁ କେବଳ ପ୍ରାକୃତିକ ରଙ୍ଗ ଯେମିତିକି ନାଲି ମାଟି ଓ ଦୀପର କଳାକୁ ରଙ୍ଗ ଭାବେ ବ୍ୟବହାର କରୁଥିଲେ। ଗଣ୍ଡ ଚିତ୍ରକଳାରୁ ଆର୍ଥିକ ଲାଭ ମିଳିବା ସହିତ ଏହି ଜନଜାତିଙ୍କ ରୋଜଗାର ହୋଇପାରୁଛି। ଏବେ ଗଣ୍ଡ ଚିତ୍ରକଳାରେ କାନ୍‌ଭାସ୍‌ ଓ ଏକ୍ରିଲିକ୍‌ ରଙ୍ଗ ବ୍ୟବହାର କରାଯାଉଛି।

ଓଡ଼ିଶାର ନବରଙ୍ଗପୁର, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାରେ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି। ଗଣ୍ଡ ଜନଜାତିଙ୍କର ଗୋଟିଏ କୋଠରୀ ବିଶିଷ୍ଟ ଘର ହୋଇଥିବାବେଳେ ଘରର ତିନିପଟେ ବାରଣ୍ଡା ରହିଥାଏ।

‘ମଣ୍ଡଘରେ’ ରୁହନ୍ତି ଅବିବାହିତ ଜୁଆଙ୍ଗ

ଜୁଆଙ୍ଗ ଜନଜାତି କେନ୍ଦୁଝରର ପାର୍ବତ୍ୟ ଉପତ୍ୟକା ଓ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ସମତଳ ଅଞ୍ଚଳରେ ବାସ କରିଥାନ୍ତି। ଝରକା ନଥିବା ଏକ ବଖରିଆ ଘରେ ଜୁଆଙ୍ଗମାନେ ବସବାସ କରନ୍ତି। ଏହି ଘର ମଧ୍ୟରେ କାଠର ଚଉତରା ରହିଥାଏ। ଯେଉଁଥିରେ ଶସ୍ୟ ସଂରକ୍ଷିତ କରି ରଖାଯାଏ। କବାଟ ପାଖରେ ଏକ ହେମଦସ୍ତା ଆକୃତିର ପଥର ରଖାଯାଇଥାଏ। ଜୁଆଙ୍ଗଙ୍କ ଘର ଭିତରେ ଏକ ଚୁଲା ଥାଏ। ଜୁଆଙ୍ଗମାନଙ୍କ ସୁପ୍ରଶସ୍ତ ବୈଠକ ଗୃହକୁ ‘ମଣ୍ଡଘର’ କୁହାଯାଏ। ଅବିବାହିତ ଯୁବକମାନେ ‘ମଣ୍ଡଘର’ ମଧ୍ୟରେ ରାତ୍ରିଯାପନ କରିଥାନ୍ତି। ଦିନବେଳା ଏହି ‘ମଣ୍ଡଘର’ରେ ଗ୍ରାମର ସଭା ଅନୁଷ୍ଠିତ ହୋଇଥାଏ। ବର୍ଷ ସାରା ଏଠାରେ ଗୋଟିଏ କୋଣରେ ନିଆଁ ଜଳାଇ ରଖାଯାଇଥାଏ। ‘ମଣ୍ଡଘର’ ମଧ୍ୟରେ ଶସ୍ୟର ବିହନ କାଠରେ ତିଆରି ଏକ ଭାଡ଼ି ଉପରେ ରଖାଯାଇଥାଏ। ଏମାନେ କୃଷି କାର୍ଯ୍ୟ କରିବା ସହ ପୋଡ଼ୁ ଚାଷ, ଶିକାର ତଥା ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି।

ଭୂମିଜଙ୍କ ମୁଖ୍ୟ ଦେବତା ‘ସିଙ୍ଗ୍ ବଙ୍ଗା’

‘ଭୂମିଜ’ ଜନଜାତିର ଲୋକମାନେ ମୁଖ୍ୟତଃ ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ବସବାସ କରିଥାନ୍ତି। ‘ଭୂମିଜ’ ଜନଜାତି ଗୋଷ୍ଠୀ ଏକ ସ୍ଵତନ୍ତ୍ର ସାମାଜିକ-ଧାର୍ମିକ ବିଶ୍ଵାସକୁ ଅନୁସରଣ କରିଥାନ୍ତି।

ଘୋଡ଼ା, ପଦ୍ମ, ସର୍ପ ଏବଂ ପୃଥିବୀ ଆଦିଙ୍କୁ ନେଇ ଏହି ‘ଭୂମିଜ’ ଜନଜାତି ୧୫ଟି ଗୋଷ୍ଠୀରେ ବିଭକ୍ତ ହୋଇଥାନ୍ତି। ଭୂମିଜ ଜନଜାତିଙ୍କର ମୁଖ୍ୟ ଦେବତା ହେଉଛନ୍ତି ‘ସିଙ୍ଗ୍ ବଙ୍ଗା’। ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କ ପ୍ରତୀକ ଅନୁଯାୟୀ ବିଭିନ୍ନ ପ୍ରଥାକୁ ପାଳନ କରିଥାନ୍ତି।

କୃଷି କାର୍ଯ୍ୟ ସହ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏମାନେ ଜୀବିକା ନିର୍ବାହ କରିଥାନ୍ତି। ‘ଭୂମିଜ’ ଜନଜାତିର ପୁରୁଷମାନେ ଧୋତି ଓ ଗାମୁଛା ସହ ସାର୍ଟ ପରିଧାନ କରିଥାନ୍ତି। ସେହିଭଳି ମହିଳାମାନେ ଶାଢ଼ି ଓ ବ୍ଲାଉଜ ପିନ୍ଧନ୍ତି। ପାରମ୍ପରିକ ଭାବେ ସେଗୁଡ଼ିକ ସୂତା ବସ୍ତ୍ର ଓ ନାଲି-ନୀଳ ଧଡ଼ି ଥାଇ ପ୍ରସ୍ତୁତ ହୋଇଥାଏ। ମହିଳାମାନେ ନାକଚଣା, ମାଳିରେ ତିଆରି ହାର, ଆର୍ମଲେଟ୍ ଏବଂ ଚୁଡ଼ି ଆଦି ସ୍ଥାନୀୟ ବଜାରରୁ କିଣି ପିନ୍ଧିଥାନ୍ତି। ଅଧିକାଂଶ ଧାତୁ ମଧ୍ୟରୁ ରୂପା ତିଆରି ଗହଣା ମଧ୍ୟ ‘ଭୂମିଜ’ ଜନଜାତିର ମହିଳାମାନେ ପରିଧାନ କରିଥାନ୍ତି।

ସାନ୍ତାଳିଙ୍କ ସୁସଜ୍ଜିତ ଘର

ଭାରତ ବର୍ଷରେ ରହିଥିବା ଜନଜାତିଙ୍କ ମଧ୍ୟରେ ସାନ୍ତାଳି ଜନଜାତିଙ୍କ ସଂଖ୍ୟା ତୃତୀୟ ସ୍ଥାନରେ ରହିଛି। ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାରେ ବସବାସ କରୁଥିବା ସାନ୍ତାଳିମାନଙ୍କର ବସତିରେ ଗୃହଗୁଡ଼ିକ ସମାନ୍ତରାଳ ଭାବେ ଧାଡ଼ି କରି ନିର୍ମାଣ କରାଯାଇଥାଏ। ସାନ୍ତାଳିମାନେ ବହୁ ପ୍ରକୋଷ୍ଠ ଥିବା ସୁସଜ୍ଜିତ ଘର ନିର୍ମାଣ କରିଥାନ୍ତି। ସେମାନଙ୍କ ଘରଗୁଡ଼ିକ ନିର୍ଦ୍ଧିଷ୍ଟ କଳାରେ ପରିପୂର୍ଣ୍ଣ ତଥା ସ୍ଵତନ୍ତ୍ର ଶୈଳୀରେ ତିଆରି ହୋଇଥାଏ।

ଘରଗୁଡ଼ିକରେ ପ୍ରଶସ୍ତ ପାଚେରି ସହିତ ଅଗଣା ରହିଥାଏ। ସମକୋଣ ଆକୃତିର ଘରଗୁଡ଼ିକର କାନ୍ଥ ଓଦାମାଟିରେ ନିର୍ମାଣ କରାଯାଇଥାଏ। ଘରର କାନ୍ଥଗୁଡ଼ିକୁ ନାଲି ଓ କଳା ରଙ୍ଗରେ ପ୍ରଲେପ ଦିଆଯାଏ। ସାନ୍ତାଳି ଜନଜାତିଙ୍କ ଘରର ଛାତ ନଡ଼ା କିମ୍ବା ଟାଇଲ୍‌ରେ କରାଯାଇଥାଏ। ସାନ୍ତାଳି ଘର ମଧ୍ୟରେ ବୈଠକ ଘର, ରୋଷେଇଶାଳା, ବାରଣ୍ଡା ଓ ଗୃହପାଳିତ ପଶୁ ରହିବା ଗୃହ ଦେଖିବାକୁ ମିଳିଥାଏ।

Tags: #Janajati #GandaJananati #IndigenousPeoplesDay #Tribals

Comment