ଡକ୍ଟର ଫକୀର ମୋହନ ନାହାକTelevision Katha

ଓଡ଼ିଶାରେ ଟେଲିଭିଜନର ଯାତ୍ରାଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି

ଦଳେ ଉତ୍ସାହୀ ଯୁବକ ଏବଂ ତରୁଣଙ୍କୁ ନେଇ ଆରମ୍ଭ ହୋଇଥିବା କେବୁଲ ଟେଲିଭିଜନ ଓଟିଭି ପ୍ରାୟ ନଅ ବର୍ଷ ଧରି କେବୁଲ ଚାନେଲ ଭାବେ ହିଁ ନିଜର କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ପ୍ରସାରଣ କରୁଥିଲା। ତେବେ ଓରଟେଲ କମ୍ୟୁନିକେସନରୁ ଓଡ଼ିଶା ଟେଲିଭିଜନ ଲିମିଟେଡ୍ ରୂପରେ ଏକ ଭିନ୍ନ କମ୍ପାନି ଭାବେ ଗଢ଼ିହେବା ଏବଂ ଅସଜଡ଼ା ବ୍ୟବସ୍ଥାକୁ ସଜାଡ଼ିବାକୁ ଢେର ସମୟ ଲାଗି ଯାଇଥିଲା ଓଟିଭିକୁ। କେବୁଲ ଟେଲିଭିଜନ୍ ଭାବେ କାମ କରୁଥିଲା ବେଳେ କୌଣସି ବ୍ୟବସ୍ଥା ବ୍ୟବସ୍ଥିତ ନଥିଲା। ସାଧାରଣତଃ ଯେକୌଣସି ନ୍ୟୁଜ୍ ଅନୁଷ୍ଠାନ ବା ଟେଲିଭିଜନ ଚାନେଲରେ ଏକ ସଂସ୍ଥାଗତ ଢାଞ୍ଚା ରହିଥାଏ। ଯେଉଁଥିରେ ଜଣେ ସମ୍ପାଦକଙ୍କ ଅଧୀନରେ ଦୁଇ ଜଣ ଇନପୁଟ୍ ଏବଂ ଆଉଟପୁଟ୍ ସମ୍ପାଦକ କାମ କରିଥାନ୍ତି। ଖବର ସଂଗ୍ରହ କରିବା, ଖବର ପାଇଁ ଯୋଜନା କରିବା ଏବଂ ଏହାକୁ କାର୍ଯ୍ୟାନ୍ୱୟନ କରିବା ଯାଏଁ ଏକ ବିଧିବଦ୍ଧ ବ୍ୟବସ୍ଥା ଥାଏ।

ସମସ୍ତେ ସେହି ବ୍ୟବସ୍ଥା ଭିତରେ କାମ କରିଥାନ୍ତି। ସମସ୍ତଙ୍କ ଦାୟିତ୍ୱ ଏବଂ କାମ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। କେଉଁ ଷ୍ଟୋରି ପାଇଁ କିଏ ରିପୋର୍ଟିଂ କରିବାକୁ ଯିବେ ଏବଂ ସମ୍ପୃକ୍ତ ରିପୋର୍ଟଙ୍କ ସହିତ କିଏ କ୍ୟାମେରାପର୍ସନ ବା ଭିଡିଓ ଜର୍ଣ୍ଣାଲିଷ୍ଟ ଯିବେ, ତାହା ବି ସ୍ଥିର କରାଯାଇଥାଏ। ଗୋଟିଏ ଖବର ନ୍ୟୁଜ୍ ଡେସ୍କରେ ପହଞ୍ଚିଲା ପରେ ଏହାକୁ ପ୍ରଥମେ କିଏ ଦେଖିବେ ଏବଂ ପରବର୍ତ୍ତୀ ସମୟରେ ସେହି ଖବରକୁ କିଭିଳି ଭାବରେ ପ୍ରସାରଣ କରାଯିବ, ସେ ଦିଗରେ ବି ଗୋଟିଏ ବିଧିବଦ୍ଧ ବ୍ୟବସ୍ଥା ରହିଥାଏ। କିନ୍ତୁ ଓଟିଭିର ପ୍ରାରମ୍ଭିକ ପର୍ଯ୍ୟାୟରେ ଏଭଳି କୌଣସି ବ୍ୟବସ୍ଥା କାର୍ଯ୍ୟ କରୁନଥିଲା। ତେଣୁ କେବୁଲରେ କାମ କରୁଥିବା ସେ ସମୟର ସାମ୍ବାଦିକ ଏବଂ ଅନ୍ୟ ଟେକ୍ନିସିଆନମାନେ ପ୍ରାୟତଃ ସବୁ କାମ କରିପାରୁଥିଲେ। ଯେତେବେଳେ ଯାହା ଆବଶ୍ୟକ ପଡ଼ିଲା, ସେ ଅନୁସାରେ ସେମାନେ ନିଜକୁ ପ୍ରସ୍ତୁତ କରିନେଉଥିଲେ ଏବଂ ନିଜର କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରୁଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୌଣସି ବ୍ୟବସ୍ଥିତ ବ୍ୟବସ୍ଥା ନଥାଇ ବି ଢେର୍ ସାରା କାମ କରିପାରୁଥିଲେ ସେମାନେ।ଏ ସବୁ ଭିତରେ ଯେତେବେଳେ ସାଟେଲାଇଟ୍ ଚାନେଲ କଥା ଚିନ୍ତା କରାଗଲା, ସେତେବେଳେ ଚାନେଲ ପରିଚାଳନା କର୍ତ୍ତୃପକ୍ଷ ଅନୁଭବ କଲେ ଯେ, ଏଣିକି ଏକ ବିଧିବଦ୍ଧ ବ୍ୟବସ୍ଥା ଦରକାର। ବ୍ୟବସ୍ଥାଟିଏ ତିଆରି କରିବାକୁ ହେଲେ, ଏମିତି ଏକ ବ୍ୟବସ୍ଥା ଭିତରେ କାମ କରିଥିବା ଜନସମ୍ବଳ ଦରକାର। ତେଣୁ ସେତେବେଳେ ଏକ ସୁନିୟନ୍ତ୍ରିତ ତଥା ପ୍ରତିଷ୍ଠିତ ବ୍ୟବସ୍ଥା ଭିତରେ କାମ କରୁଥିବା ଏକମାତ୍ର ଅନୁଷ୍ଠାନ ଥିଲା ଈଟିଭି ଓଡ଼ିଆ। ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଟେଲିଭିଜନର ସବୁ ବିଭାଗ ଯେପରିକି ଇନପୁଟ୍, ଆଉଟପୁଟ୍, ପିସିଆର୍ (Production Control Room), ଆଙ୍କରିଂ ଆଦି ବିଭାଗରେ ଈଟିଭିରୁ ବହୁ ସଂଖ୍ୟାରେ କର୍ମଚାରୀ ଆସି ଯୋଗ ଦେଲେ ଓଟିଭିରେ। ଏତେ ସଂଖ୍ୟାରେ ଲୋକ ଏକା ସାଙ୍ଗରେ ଈଟିଭି ଛାଡ଼ିବା ପଛରେ ଆଉ ଏକ ମୁଖ୍ୟ କାରଣ ଥିଲା, ଘରବାହୁଡ଼ା। ଯେହେତୁ ସମସ୍ତେ ଓଡ଼ିଶାରୁ ଯାଇ ହାଇଦ୍ରାବାଦରେ ଅଣଓଡ଼ିଆ ସ୍ଥାନରେ କାମ କରୁଥିଲେ, ତେଣୁ କେଉଁଠି ନା କେଉଁଠି ସେମାନଙ୍କ ମନ ଓଡ଼ିଶା ଆଡ଼କୁ ଟାଣିହେବା ସ୍ୱାଭାବିକ। ତା’ ଛଡ଼ା ଈଟିଭିରେ କାମ କଲାବେଳେ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା।

କାରଣ ଓଡ଼ିଶାରେ ଅନ୍ୟ କୌଣସି ଚାନେଲ ନଥିଲା, ଯେଉଁଠି ସେମାନେ ଆସି କାମ କରିପାରିବେ। ତେଣୁ ସାଟେଲାଇଟ୍ ଚାନେଲ ଭାବେ ଓଟିଭି ଯେତେବେଳେ ଓଡ଼ିଶାରେ ତା’ର ପ୍ରସାରଣ ସେବା ଆରମ୍ଭ କରିବା କଥା ଜଣାପଡ଼ିଲା, ସେତେବେଳେ ହାଇଦ୍ରାବାଦରେ ଈଟିଭିରେ କାମ କରୁଥିବା ଓଡ଼ିଆମାନଙ୍କ ପାଇଁ ଏକ ବିକଳ୍ପ ପନ୍ଥା ଖୋଲି ଯାଇଥିଲା। ୨୦୦୬ ମସିହାରେ ଈଟିଭି ଛାଡ଼ି ଆସିଥିବା ସାମ୍ବାଦିକ ଓ କର୍ମଚାରୀମାନେ ଓଟିଭିରେ ଏକ ବ୍ୟବସ୍ଥିତ ବ୍ୟବସ୍ଥା ପ୍ରତିଷ୍ଠା କରିବାରେ ବିଶେଷ ସହାୟକ ହୋଇଥିଲେ। ସେ ସମୟରେ ଈଟିଭି ଛାଡ଼ି ଓଟିଭିରେ ଯୋଗ ଦେଇଥିବା ବହୁ କର୍ମଚାରୀ ଏବେ ବି ଓଟିଭିରେ କାମ କରୁଛନ୍ତି ଏବଂ ନିରବଚ୍ଛିନ୍ନ ଭାବେ ନିଜର ସେବା ଯୋଗାଇ ଦେଇ ଆସୁଛନ୍ତି।

ସେହି ସମୟରେ ଈଟିଭିରୁ ଆସି ଓଟିଭିରେ କାମ କରିଥିବା ବରିଷ୍ଠ ନ୍ୟୁଜ୍ ଉପସ୍ଥାପକ ମୃଣାଳକାନ୍ତି ନନ୍ଦ କହନ୍ତି, ଈଟିଭିର ବ୍ୟବସ୍ଥିତ ବ୍ୟବସ୍ଥା ଭିତରେ କାମ କରି ଆସିବା ପରେ ଏଇଠି ପ୍ରଥମେ ଟିକିଏ ଅଡୁଆ ଲାଗୁଥିଲା। କିନ୍ତୁ ଧୀରେ ଧୀରେ ଗୋଟିଏ ବ୍ୟବସ୍ଥା ତିଆରି ହେଲା ଓଟିଭିରେ। ତେଣୁ ଆଉ କିଛି ଅସୁବିଧା ହେଲାନି। ତେବେ ଈଟିଭିରୁ ଆସିଥିବା ଆଙ୍କରଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଟିକିଏ ଅଡୁଆ ଥିଲା। କାରଣ ସେମାନେ ଈଟିଭିରେ ନିୟମିତ ନ୍ୟୁଜ୍ ପଢ଼ିବା ବ୍ୟତୀତ, କେବେ କେମିତି ରିପୋର୍ଟରଙ୍କ ଫୋନ୍ ଇନ୍ କିମ୍ବା ଅକାଳେ ସକାଳେ ଟିକିଏ ଲାଇଭ୍ ନେବାର ସୁଯୋଗ ପାଉଥିଲେ। କିନ୍ତୁ ଓଟିଭିରେ ଯେହେତୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ କାର୍ଯ୍ୟକ୍ରମ ନଥିଲା, ତେଣୁ ଅଧିକାଂଶ ସମୟରେ ଷ୍ଟୁଡିଓ ଆଲୋଚନା, ୱାନ୍ ଟୁ ୱାନ୍, କିମ୍ବା ରିପୋର୍ଟର ଲାଇଭରେ ଶୋ ଚଲାଇବାକୁ ପଡୁଥିଲା। ତେଣୁ ଏ ସବୁ ଦୃଷ୍ଟିରୁ ସାମାନ୍ୟ ଅନଭିଜ୍ଞ ଥିବା ଆଙ୍କରମାନେ ଏହି ବ୍ୟବସ୍ଥା ସାଙ୍ଗରେ ଖାପ ଖୁଆଇବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସମୟ ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ସମ୍ଭାଳି ନେଇଥିଲେ ଏହି ସବୁ କାର୍ଯ୍ୟକ୍ରମକୁ।

                                                                          ଓଟିଭିର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ଦିଶା’

ସାଟେଲାଇଟ୍ ଚାନେଲ ହେବା ପରେ ଓଟିଭି ପ୍ରସ୍ତୁତ କରିଥିଲା ନିଜର ପ୍ରଫେସନାଲ ଷ୍ଟୁଡିଓ। ଧୀରେ ଧୀରେ କାର୍ଯ୍ୟକ୍ରମର ରୂପରେଖ ବି ପରିବର୍ତ୍ତନ ହେବାରେ ଲାଗିଲା। ରିପୋର୍ଟିଂ ଭିତ୍ତିକ କାର୍ଯ୍ୟକ୍ରମ ସତ ଓ ମତ, ଦର୍ଶକମାନଙ୍କୁ ସହାୟତା ପ୍ରଦାନ ପାଇଁ ଫୋନ୍ ଇନ୍ ଭିତ୍ତିକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ – ଓଟିଭି ହେଲପ୍ ଲାଇନ୍ ସେତେବେଳେ ଲୋକପ୍ରିୟତା ହାସଲ କରିଥିଲା। ମୃଣାଳକାନ୍ତିଙ୍କ କହିବା ଅନୁସାରେ, ପ୍ରାରମ୍ଭିକ ପର୍ଯ୍ୟାୟରେ, ଫୋନ୍ ଇନରେ ଆସୁଥିବା କଲ୍ ସବୁକୁ ନିଜେ ଆଙ୍କର ହିଁ ରିସିଭ୍ କରୁଥିଲେ ଏବଂ ଯେହେତୁ ତାହା ପିସିଆର ବାଟ ଦେଇ ସେମାନଙ୍କ ପାଖକୁ ଆସୁନଥିଲା, ତେଣୁ ଅନେକ ସମୟରେ ଦର୍ଶକମାନେ କିଛି ଅଲଗା କଥା ଏବଂ ବେଳେ ବେଳେ ଅଶାଳୀନ କଥା ବି କହି ଦେଉଥିଲେ। ସେହି ଅନୁକୂଳ ଦିନଗୁଡ଼ିକରେ ଓଟିଭି ପ୍ରସ୍ତୁତ କରୁଥିଲା ଏକ ଫିଚରଭିତ୍ତିକ ବିଚିତ୍ରା କାର୍ଯ୍ୟକ୍ରମ- ଇନ୍ଦ୍ରଧନୁ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମଟିର ସବୁ କାମ, ସ୍କ୍ରିପ୍ଟ ଲେଖିବାଠାରୁ ଆରମ୍ଭ କରି ଏଥିପାଇଁ ଆଙ୍କରିଂ କରିବା ଏବଂ ଭିଜୁଆଲ ଏଡିଟର ପାଖରେ ବସି ତାକୁ ଏଡିଟ କରି ପ୍ରସାରଣ ଲାଗି ଯୋଗାଇଦେବା ଯାଏଁ ଦାୟିତ୍ୱ ସମ୍ପୃକ୍ତ କର୍ମଚାରୀଙ୍କର ଥିଲା।

ମହିଳାମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିଲା ଓଟିଭି। ଏହି ଲୋକପ୍ରିୟ କାର୍ଯ୍ୟକ୍ରମର ନାଁ ଥିଲା- ଦିଶା। ଟେଲିଭିଜନର ବରିଷ୍ଠ ଉପସ୍ଥାପିକା ଗାୟତ୍ରୀ ମହାନ୍ତି ଏହି କାର୍ଯ୍ୟକ୍ରମକୁ ଅନେକ ଦିନ ଧରି ଉପସ୍ଥାପନ କରିଆସୁଥିଲେ। ସେହିଭଳି ତାଙ୍କରି ଉପସ୍ଥାପନାରେ ଏକ ସାକ୍ଷାତକାରଭିତ୍ତିକ କାର୍ଯ୍ୟକ୍ରମ ଚାଲୁଥିଲା, ତା’ ହେଉଛି ଗପସପ୍। ସେହି ସମୟରେ ଦର୍ଶକମାନଙ୍କୁ ଷ୍ଟୁଡିଓକୁ ଡାକି, ସେଇମାନଙ୍କ ବିଭିନ୍ନ ପ୍ରସଙ୍ଗରେ ଜନପ୍ରତିନିଧିମାନଙ୍କ ସହିତ ଆଲୋଚନା କରି, ଏକ କାର୍ଯ୍ୟକ୍ରମ ଉପସ୍ଥାପନ କରାଯାଉଥିଲା। ସେହି କାର୍ଯ୍ୟକ୍ରମର ନାଁ ଥିଲା ଜନମଞ୍ଚ। ଯାହାକି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଷ୍ଟୁଡିଓଭିତ୍ତିକ ଆଲୋଚନା କରି କାର୍ଯ୍ୟକ୍ରମକୁ ଜାରି ରଖିଛି ଓଟିଭି।

                        ଓଟିଭିର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ଜନମଞ୍ଚ’କୁ ଉପସ୍ଥାପନ କରିବା ଅବସରରେ ଭବାନୀଶଙ୍କର ମହାପାତ୍ର, ମନୋରଞ୍ଜନ ମିଶ୍ର ଏବଂ ଦୟାନିଧି ଦାଶ

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଜନମଞ୍ଚ କାର୍ଯ୍ୟକ୍ରମକୁ ଉପସ୍ଥାପନ କରୁଥିଲେ ଦୟାନିଧି ଦାଶ, ମନୋରଞ୍ଜନ ମିଶ୍ର ଏବଂ ପରେ ପରେ ଭବାନୀଶଙ୍କର ମହାପାତ୍ର। ଓଡ଼ିଆ ଟେଲିଭିଜନରେ ଏଭଳି ଏକ ନିୟମିତ କାର୍ଯ୍ୟକ୍ରମ ପ୍ରସ୍ତୁତି କରିବା ଦିଗରେ ଜନମଞ୍ଚ ଥିଲା ଏକ ମାଇଲଖୁଣ୍ଟ। ଏହି କାର୍ଯ୍ୟକ୍ରମ ରାଜ୍ୟରେ ବର୍ତ୍ତମାନ ନିଜସ୍ୱ ଏକ ପରିଚୟ ସୃଷ୍ଟି କରିପାରିଛି ଏବଂ ଲୋକପ୍ରିୟତା ବି ହାସଲ କରିପାରିଛି। ଏହା ବ୍ୟତୀତ ପୁଞ୍ଜି ବିନିଯୋଗ ଏବଂ ଷ୍ଟକ୍ ମାର୍କେଟ୍ ସମ୍ପର୍କିତ ଖବର, ତଥ୍ୟ ଏବଂ ଆଲୋଚନା ଭିତ୍ତିକ ଏକ କାର୍ଯ୍ୟକ୍ରମ- ଇନଭେଷ୍ଟମେଣ୍ଟ ଗୁରୁ ବି ଥିଲା ଏକ ଅନନ୍ୟ କାର୍ଯ୍ୟକ୍ରମ।

ମୋଟାମୋଟି କହିବାକୁ ଗଲେ, ମୂଳ ଭିତ୍ତିଭୂମିର ଘୋର ଅଭାବ ସାଙ୍ଗକୁ ସମ୍ପୂର୍ଣ୍ଣରୂପେ ଅସଜଡ଼ା ଏକ ଅନୁଷ୍ଠାନକୁ ଧୀରେ ଧୀରେ ସଜାଡ଼ି, ତାକୁ ଆଗକୁ ନେବା ଏବଂ ରାଜ୍ୟରେ ଲୋକପ୍ରିୟତା କ୍ଷେତ୍ରରେ ଏକ ନମ୍ବର ଚାନେଲରେ ପରିଣତ କରିବା ପଛରେ ଅନେକ ଲୋକଙ୍କ ଅଦମ୍ୟ ଉତ୍ସାହ ଏବଂ ନିରବଚ୍ଛିନ୍ନ ପ୍ରଚେଷ୍ଟା ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଚାନେଲଟି ଭଗବାନଙ୍କ ଦୟାରେ ଚାଲିଛି ବୋଲି ଏହାର କିଛି କର୍ମଚାରୀ କହୁଥିଲା ବେଳେ ଏବେ ସେମାନଙ୍କ ଭାଷାରେ ଓଟିଭି ରାଜ୍ୟରେ ଅପ୍ରତିଦ୍ୱନ୍ଦୀ ଚାନେଲ। ଓଟିଭିର ଆଉ କିଛି କାର୍ଯ୍ୟକ୍ରମ ଏବଂ ଘଟଣା ସମ୍ପର୍କରେ ଆଲୋଚନା କରିବା, ଆଗାମୀ ଅଧ୍ୟାୟରେ।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Tags: #DrFakirMohanNahak #OTV #OdishaTelevisionLimited #TelevisionKatha #TelevisionJourney #Odisha #ETV

LEAVE A REPLY

Please enter your comment!
Please enter your name here