ଓଡ଼ିଶାଲାଇଭ୍ ବ୍ୟୁରୋ

  • ସଜାଗ ରହିବେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ବିଭାଗୀୟ ଅଧିକାରୀ
  • ଆବଶ୍ୟକ ରିଲିଫ୍ ସାମଗ୍ରୀ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ

ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ ଅନ୍ୟ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଶୁକ୍ରବାର ଦିନ ସନ୍ଧ୍ୟାରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ଯୋଗେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଏବଂ ସବୁ ବିଭାଗର ଅଧିକାରୀ ଯେକୌଣସି ଜରୁରିକାଳୀନ ପରିସ୍ଥିତି ଲାଗି ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ନଦୀର ଜଳସ୍ତର ବଢୁଛି। ତେଣୁ, ସମଗ୍ର ଜିଲ୍ଲା ଉପରେ ସତର୍କ ଦୃଷ୍ଟି ରଖିବା ସହ ବଣାଇଁ ଓ ଲେଫ୍ରିପଡ଼ାରେ ଅଧିକ ବର୍ଷା ଆଶଙ୍କା ଥବାରୁ ସେହି ୨ଟି ବ୍ଲକ୍ ପ୍ରତି ବିଶେଷ ଧ୍ୟାନ ଦେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା।

ଗ୍ରାମାଞ୍ଚଳ, ବିଶେଷ କରି ନଦୀକୂଳରେ ରହୁଥିବା ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ସହ ସେମାନଙ୍କ ପାଇଁ ଶୁଖିଲା ଓ ରନ୍ଧାଖାଦ୍ୟର ବ୍ୟବସ୍ଥା କରିବାକୁ କୁହାଯାଇଛି। ରିଲିଫ୍ ସାମଗ୍ରୀରେ ଯଥେଷ୍ଟ ପରିମାଣରେ ଶୁଖିଲା ଖାଦ୍ୟ, ତାରପୋଲିନ୍ ଓ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ମହଜୁଦ୍ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଲଗାଣ ବର୍ଷା ବେଳେ ଜନସାଧାରଣଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସତର୍କ ଦୃଷ୍ଟି ରଖିବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ। ଗର୍ଭବତୀ ମହିଳାଙ୍କୁ ମା’ଗୃହକୁ ସ୍ଥାନାନ୍ତର ପାଇଁ ବିଭାଗକୁ ପରାମର୍ଶ ଦିଆଯାଇଛି।

ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ଯୋଗୁଁ ଯେପରି କୌଣସି ଧନଜୀବନ ହାନି ନହୁଏ, ସେଥିପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସ୍ଥାନରେ ରାସ୍ତା ଧୋଇହୋଇ ଗମନାଗମନ ବିଚ୍ଛିନ୍ନ ହେଲେ, ତୁରନ୍ତ ତାହାର ପ୍ରତିକାର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ପଞ୍ଚାୟତିରାଜ ପ୍ରତିନିଧି ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସହ ବ୍ଲକସ୍ତରୀୟ ଅଧିକାରୀମାନେ ନିରନ୍ତର ସମ୍ପର୍କରେ ରହିବେ। ଫଳରେ ଗ୍ରାମାଞ୍ଚଳର ସ୍ଥିତି, କୌଣସି କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ତୁରନ୍ତ ସୂଚନା ମିଳିପାରିବ। ସେହି ଅନୁଯାୟୀ ପରବର୍ତ୍ତୀ ଆଶୁ ପଦକ୍ଷେପ ନିଆଯିବ। ଉଦ୍ଧାର କାର୍ଯ୍ୟ ଲାଗି ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ବୈଠକରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବଶଙ୍କର ଟପ୍ପୋ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରବିନାରାୟଣ ସାହୁ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ସଦର ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Tags: #Sundargarh #Odisha #Flood, #FloodSituation #ସୁନ୍ଦରଗଡ଼ #ବନ୍ୟା

Comment