ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): ବାପାଙ୍କ ପଥ ଅନୁସରଣ କରୁଛନ୍ତି ଝିଅ। ପ୍ରତିଭାରେ କେହି କାହାଠାରୁ ନୁହନ୍ତି କମ। ରାଜ୍ୟସ୍ତରୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ବିଶ୍ଵନାଥ ନାୟକ ଏବଂ ତାଙ୍କ ୧୪ ବର୍ଷର ଝିଅ ବୈଭବୀ ନାୟକଙ୍କୁ ମିଳିଛି ସ୍ଵର୍ଣ୍ଣ ପଦକ।

କୋରାପୁଟ ଜିଲ୍ଲା ଜୟପୁର ସହରର ସୌରାସାହି ବାସିନ୍ଦା ବିଶ୍ଵନାଥ ନାୟକ ଏବଂ ତାଙ୍କ ଝିଅ ବୈଭବୀ ନାୟକ ପାୱାରଲିଫ୍ଟିଂରେ ସ୍ଵର୍ଣ୍ଣ ପଦକ ହାସଲ କରି କେବଳ ନିଜ ଜିଲ୍ଲା ନୁହେଁ ସମଗ୍ର ଓଡ଼ିଶା ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

ଭୁବନେଶ୍ୱରର ମଞ୍ଚେଶ୍ୱର ରେଳବାଇ ଅଡିଟୋରିୟମଠାରେ ରେଳବାଇ ବିଭାଗ ଓ ଇଣ୍ଡିଆନ ପାୱାରଲିଫ୍ଟିଂ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅଗଷ୍ଟ ୧୯ରୁ ୨୧ ତାରିଖ ୩ ଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ୭୭ କିଲୋଗ୍ରାମ ମାଷ୍ଟର୍ସ ବର୍ଗରେ ବିଶ୍ଵନାଥ ସ୍ଵର୍ଣ୍ଣ ପଦକ ହାସଲ କରିଥିବାବେଳେ ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଝିଅ ବୈଭବୀ ନାୟକ। ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ୧୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ଜିତିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ବୈଭବୀ।

ବୈଭବୀ ଆଗରୁ କୌଣସି ପ୍ରତିଯୋଗିତାରେ ଭାଗ ନେଇନାହାନ୍ତି। ଏହା ତାଙ୍କର ପ୍ରଥମ ଅଂଶ ଗ୍ରହଣ ଯେଉଁଥିରେ ସେ ପ୍ରଥମ ପ୍ରୟାସରେ ହିଁ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ନିଜ ସଫଳତାଠାରୁ ଝିଅ ପାଇଁ ଅଧିକ ଗର୍ବିତ ବୋଲି କୁହନ୍ତି ବାପା ବିଶ୍ଵନାଥ ନାୟକ।

ବିଶ୍ୱନାଥ ପେସାରେ ଜଣେ ଆଇନଜୀବୀ। ଦୀର୍ଘ ବର୍ଷ ଧରି ସହରର ଜଣେ ଆଗଧାଡ଼ିର ପାୱାରଲିଫ୍ଟର ଭାବେ ତାଙ୍କର ପରିଚୟ ରହିଛି। ପୂର୍ବରୁ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଏକାଧିକ ପ୍ରତିଯୋଗିତାରେ ସେ ବହୁ ପଦକ ଜିଣିଛନ୍ତି। ଜାତୀୟ ସ୍ତରରେ ସେ ୨ଟି ସ୍ଵର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ହାସଲ କରିଥିବାବେଳେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୧ଟି ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

ଏହି ସଫଳତା ପରେ ବୈଭବୀ ଏବଂ ବିଶ୍ୱନାଥ ଆଗାମୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଗକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖେଳି ଦେଶ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ବିଶ୍ୱନାଥ ନାୟକ।

Tags: #IndianPowerLiftingAssociation #PowerLifting #Competition #GoldMedal #BiswanathNayak #BaivabiNayak

Comment