ଓଡ଼ିଶାଲାଇଭ୍ ବ୍ୟୁରୋ

ଆହୁରି ବଢ଼ିବ ଭାରତୀୟ ନୌସେନାର ଶକ୍ତି ଏବଂ ସାବାଡ଼ ହେବେ ଶତ୍ରୁ। କାରଣ ନୌସେନାରେ ସାମିଲ ହୋଇଛି ଆଇଏନଏସ ବିକ୍ରାନ୍ତ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଶୁକ୍ରବାର ଦିନ ଏହାକୁ ଦେଶ ଉଦ୍ଦେଶ୍ୟରେ କେରଳର କୋଚି ସିପ୍‌ୟାର୍ଡଠାରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିକ୍ରାନ୍ତ ସାମିଲ ହେବା ଫଳରେ ଭାରତୀୟ ନୌସେନାର ଶକ୍ତି ଆହୁରି ଦୃଢ଼ ହେବା ସହ ନୌସେନାର ଉଭୟ ଆକ୍ରମଣାତ୍ମକ ଓ ରକ୍ଷାତ୍ମକ କ୍ଷମତାରେ ବୃଦ୍ଧି ହେବ।

ଆଇଏନଏସ ବିକ୍ରାନ୍ତ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଜାହାଜ ଓ ଭାରତର ନୌସେନା ଇତିହାସରେ ସର୍ବ ବୃହତ। ଏବେ ଭାରତ ପାଖରେ ଦୁଇ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ରହିବ। ପୂର୍ବରୁ ନୌସେନା ପାଖରେ ଆଇଏନଏସ୍ ବିକ୍ରମାଦିତ୍ୟ ରହିଥିଲା ଏବେ ସାମିଲ ହୋଇଛି ବିକ୍ରାନ୍ତ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଇଏନଏସ ବିକ୍ରାନ୍ତ ଏକ ନୂତନ ସୂର୍ଯ୍ୟୋଦୟର ମୁକସାକ୍ଷୀ ହେବାକୁ ଯାଉଛି। ବିକ୍ରାନ୍ତ ଭାରତର ଅଦ୍ୱିତୀୟ ପ୍ରତିବିମ୍ବ ଅଟେ। ଏହାର ପ୍ରତିଟି ଅଂଶର ବିଶେଷତ୍ଵ ରହିଛି। ଏହା ହେଉଛି ସ୍ଵଦେଶୀ ସାମର୍ଥ୍ୟ, ସ୍ଵଦେଶୀ ସଂସାଧାନ ଏବଂ ସ୍ଵଦେଶୀ ଜ୍ଞାନକୌଶଳର ପ୍ରତୀକ। ପ୍ରତି ଭାରତୀୟଙ୍କ ପାଇଁ ଏହା ଗର୍ବ ଏବଂ ଗୌରବର ବିଷୟ। ଏହା ପ୍ରତ୍ୟେକ ଭାରତୀୟଙ୍କ ମାନ ଏବଂ ସ୍ଵାଭିମାନ ବୃଦ୍ଧି କରିବାର ଅବସର ଆଣିଛି। ବିକ୍ରାନ୍ତ ଯୁଦ୍ଧ ଜାହଜ ନୁହେଁ, ପରିଶ୍ରମୀ ଓ ପ୍ରତିବଦ୍ଧତାର ପ୍ରମାଣ। ଆତ୍ମ ନିର୍ଭର ଭାରତର ବିକ୍ରାନ୍ତ ହେଉଛି ବଡ଼ ଉଦାହରଣ।”

ପୁରୁଣା ବିକ୍ରାନ୍ତ ଅବସର ନେବାର ୮ ବର୍ଷ ପରେ ସମୁଦ୍ରରେ ପୁଣି ବୀରତ୍ୱ ଦେଖାଇଛି ନୂତନ ବିକ୍ରାନ୍ତ। ଏବେ ସାବାଡ଼ ହେବେ ଶତ୍ରୁ। ସମୁଦ୍ରରେ ବିକ୍ରାନ୍ତର ଉପସ୍ଥିତି, ଶତ୍ରୁଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିବ। ଏହା ପୂର୍ବରୁ ‌ଆମେରିକା, ଚୀନ୍, ରୁଷ, ଫ୍ରାନ୍ସ ଏବଂ ବ୍ରିଟେନ ପାଖରେ ଯୁଦ୍ଧ ଜାହଜ ନିର୍ମାଣ କରିବାର କ୍ଷମତା ରହିଥିଲା। ଏବେ ଏହି ଗ୍ରୁପରେ ସାମିଲ ହୋଇଛି ଭାରତ। ଆଇଏନଏସ ବିକ୍ରମାଦିତ୍ୟ ଏବଂ ଆଇଏନଏସ ବିକ୍ରାନ୍ତ ପାଇଁ ଭାରତର ସୁରକ୍ଷା ଆହୁରି ସୁଦୃଢ଼ ହୋଇଛି।

ଆଇଏନଏସ ବିକ୍ରାନ୍ତରେ ରହିଥିବା ବିଶେଷତ୍ଵ

ବିକ୍ରାନ୍ତରେ ଅନେକ ବିଶେଷତ୍ଵ ଭରି ରହିଛି। ଏହାକୁ ନିର୍ମାଣ କରିବା ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିଯାଇଛି। ନୂତନ ବିକ୍ରାନ୍ତରେ ଏକ ସଙ୍ଗେ ୩୦ଟି ଯୁଦ୍ଧ ବିମାନ ରହିବାର କ୍ଷମତା ରହିଛି । ୧୬ ଶହ କ୍ରୁ-ମେମ୍ବର ମଧ୍ୟ ଏଥିରେ ରହିବାର ସୁବିଧା ରହିଛି।

ଏହି ସ୍ଵଦେଶୀ ଏୟାରକ୍ରାଫ୍ଟ କ୍ୟାରିୟରେ ପ୍ରାୟ ଅଢ଼େଇ ହଜାର କିଲୋମିଟର ଲମ୍ବ ଇଲେକ୍ଟ୍ରିକ କେବଲ ସଂଯୋଗ ହୋଇଛି। ଏହି କେବଲର ଲମ୍ବ କୋଚିଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ହେବ।

ବିକ୍ରାନ୍ତର ଟପ୍ ସ୍ପିଡ୍ ୨୮ ନଟସ୍ ରହିଛି ଏବଂ ଏକା ଥରକେ ୧୪ ହଜାର କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବାର କ୍ଷମତା ରହିଛି। ଅର୍ଥାତ ଏହା ଗୋଟିଏ ଥରରେ ଭାରତରୁ ବାହାରିଲେ ବ୍ରାଜିଲରେ ପହଞ୍ଚି ପାରିବ।

ଆଇଏନଏସ ବିକ୍ରାନ୍ତରେ ୧୪ଟି ମହଲା ଏବଂ ୨,୩୦୦ କମ୍ପାଟମେଣ୍ଟ ରହିଛି। ଏଥିରେ ପ୍ରାୟ ୧,୭୦୦ ନୌସୈନିକ ମୁତୟନ ହୋଇପାରିବେ। ମହିଳା ଅଧିକାରୀ ଏବଂ ମହିଳା ଅଗ୍ନିବୀରଙ୍କ ପାଇଁ ସ୍ଵଦେଶୀ ଏୟାରକ୍ରାଫ୍ଟ କ୍ୟାରିୟରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବିକ୍ରାନ୍ତରେ ରହିଥିବା କିଚେନରେ ଦିନରେ ପ୍ରାୟ ୪,୮୦୦ ଜଣ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ ଏବଂ ଗୋଟିଏ ଦିନରେ ୧୦ ହଜାର ରୁଟି ପ୍ରସ୍ତୁତ କରାଯାଇପାରିବ।

ବିକ୍ରାନ୍ତରେ ଏକ ଛୋଟିଆ ହସ୍ପିଟାଲ ମଧ୍ୟ ରହିଛି। ଏହି ହସ୍ପିଟାଲରେ ୧୬ଟି ବେଡ ରହିଛି।

ପୂର୍ବରୁ ନୌସେନା ପାଖରେ ବିକ୍ରାନ୍ତ ନାମରେ ଏକ ଏୟାରକ୍ରାଫ୍ଟ କ୍ୟାରିୟର ଥିଲା। ଯାହାର ଭୂମିକା ୧୯୭୧ ଯୁଦ୍ଧରେ ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଥିଲା। ଏହାର ସମ୍ମାନରେ ନୂଆ ଏୟାରକ୍ରାଫ୍ଟ କ୍ୟାରିୟରକୁ ବିକ୍ରାନ୍ତ ନାମରେ ନାମିତ କରାଯାଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ବିକ୍ରାନ୍ତ ନିର୍ମିତ ହୋଇଛି। ବିକ୍ରାନ୍ତକୁ ୱାରସିପ୍ ଡିଜାଇନ୍ ବ୍ୟୁରୋ ଡିଜାଇନ କରିଥିବାବେଳେ କୋଚି ସିପୟାର୍ଡ ଲିମିଟେଡ ଏହାର ନିର୍ମାଣ କରିଛି।

ଅଇଏନଏସ ବିକ୍ରାନ୍ତ ନିର୍ମାଣ କରିବାରେ ୧୦୦ ଏମଏସଏମଇ ଓ ୫୫୦ ଭାରତୀୟ କମ୍ପାନିଙ୍କର ଅବଦାନ ରହିଛି। ଏଥିରେ ପ୍ରାୟ ୭୬ ପ୍ରତିଶତ ସ୍ୱଦେଶୀ ସାମଗ୍ରୀ ସାମିଲ ରହିଛି। ଏହାର ଦୂରଗାମୀ ସାମରିକ ଶକ୍ତି ଭାରତ ମହାସାଗର କ୍ଷେତ୍ରରେ ସୁରକ୍ଷାକୁ ବଢ଼ାଇବ। ନିଜସ୍ୱ ଏୟାରକ୍ରାଫ୍ଟ କ୍ୟାରିୟର ଡିଜାଇନ୍ ଓ ନିର୍ମାଣ କରିବାରେ ଏବେ ଭାରତ କିଛି ନିର୍ଦ୍ଦିଷ୍ଟ ଦେଶ ତାଲିକାରେ ସାମିଲ ହୋଇଛି।

Tags: #INSVikrant #IndianNavy #Agniveer #AircraftCareer #Kochi #PMNarendraModi

Comment