ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼, ଫୁଟ୍‌ପାଥ ଏବଂ ଡ୍ରେନ୍‌ ଉପରେ ରହିବନି ଖାଦ୍ୟ ଦୋକାନ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି କରାଯାଇଛି ନୂଆ ଗାଇଡଲାଇନ୍। ଗ୍ରାହକଙ୍କ ଗାଡ଼ି ରଖିବା ପାଇଁ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା ନଥିବା ସ୍ଥାନରେ ଖାଦ୍ୟ ଦୋକାନୀମାନେ ବିକ୍ରି  କରିପାରିବେ ନାହିଁ। ଏଭଳି କ୍ଷେତ୍ରରେ ସେମାନେ ପାର୍ସଲ ଦେଇପାରିବେ କିମ୍ବା ଅନଲାଇନ ଡେଲିଭରି କରିପାରିବେ।

ବିଏମ୍‌ସିର ଗାଇଡଲାଇନ୍‌ ଅନୁସାରେ ରାସ୍ତାକଡ଼ରେ ଖାଦ୍ୟ ଦୋକାନ ପରିଚାଳନା ପାଇଁ ଖାଦ୍ୟ ଦୋକାନୀଙ୍କୁ ସ୍ଵଚ୍ଛତା ଉପରେ ଗୁରୁତ୍ଵ ଦେବାକୁ ହେବ ଏବଂ ପାର୍କିଂ ସ୍ଥାନ ଥିବା ଦରକାର। ସେହିଭଳି ଖାଦ୍ୟ ଦୋକାନରେ କାମ କରୁଥିବା ବ୍ୟକ୍ତି ପରିଷ୍କାର ପୋଷାକ ପିନ୍ଧିବା (ମୁଣ୍ଡ ଟୋପି, ସଫା ଆପ୍ରନ, ହ୍ୟାଣ୍ଡ ଗ୍ଲୋଭ୍‌ସ ଏବଂ ଫେସ୍‌ ମାସ୍କ) ଆବଶ୍ୟକ। ଦୋକାନୀମାନେ ସୁସ୍ଥ ପରିବେଶରେ ଖାଦ୍ୟ ପରଷିବା ଆବଶ୍ୟକ। ଦୋକାନୀମାନେ ଖାଦ୍ୟ ସୁରକ୍ଷା ନିୟମକୁ ପାଳନ କରିବେ ଏବଂ ନୋ ଭେଣ୍ଡିଂ ଜୋନ୍‌ରେ ଖାଦ୍ୟ ଦେକାନ ରହିପାରିବ ନାହିଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି। 

ପାର୍କିଂ ପାଇଁ ସ୍ଥାନ ନଥିବାରୁ ରାସ୍ତା ଉପରେ ଏଠିସେଠି ଗାଡ଼ି ରଖି ଲୋକେ ଖାଦ୍ୟ ଷ୍ଟଲଗୁଡ଼ିକ ଆଗରେ ଭିଡ଼ ଜମାଉଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଥିବା ଦର୍ଶାଇ ବିଏମସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି।

ବିଏମସିର ଏହି ନିଷ୍ପତ୍ତି ପରେ ଏବେ ରାସ୍ତାକଡ଼ରେ ଖାଦ୍ୟ ଦୋକାନ କରିଥିବା ଦୋକାନୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଥଇଥାନ ବ୍ୟବସ୍ଥା କରିବା ପରେ ପଦକ୍ଷେପ ଗ୍ରହଣ କରିବାକୁ ଏହି ଦୋକାନୀମାନେ ଦାବି କରିଛନ୍ତି। ଆଉ କିଛି ଦୋକାନୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଆଜି ଚେତାବନୀ ଦେଇଛନ୍ତି।

Tags: #BMC #NewGuidelines #FootpathfoodStall #FoodSafety #HygieneFood

Comment