ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୧୦ ତାରିଖ ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ପ୍ରଥମଥର ପାଇଁ ସାରା ରାଜ୍ୟରେ ପାଳନ କରାଯିବ ‘ମାଣ୍ଡିଆ ଦିବସ’। ଘରେ ଘରେ ମିଲେଟ୍ ଖାଦ୍ୟ ତଥା ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ‘ମିଲେଟ୍ ଦିବସ’ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ସମସ୍ତେ କିଭଳି ଏହି ମାଣ୍ଡିଆ ଦିବସକୁ ପାଳନ କରିବେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ମାଣ୍ଡିଆ ଦିବସ ଅବସରରେ ରେସ୍ତୋରାଁ ଆସୋସିଏସନ୍ ସହଯୋଗରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପରସା ଯିବ। ଆସୋସିଏସନ୍ ଅଧୀନରେ ଥିବା ୧ଶହରୁ ଅଧିକ ରେସ୍ତୋରାଁ ଏବଂ କ୍ୟାଫେରେ ମିଲେଟ୍ ଦିବସରେ ଗ୍ରାହକଙ୍କୁ ଅତିବେଶୀରେ ୨-୩ଟି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପରସାଯିବାର ବ୍ୟବସ୍ଥା ରହିଛି। ଏଥିପାଇଁ ଓଡ଼ିଶା ମିଲେଟ୍ସ ମିଶନ ଏବଂ ଓଡ଼ିଶା ରେସ୍ତୋରାଁ ଆସୋସିଏସନ୍ ମିଳିତ ଭାବରେ ଯୋଜନା କରିଛନ୍ତି।

ଏହି ଅବସରରେ ମିଲେଟ୍ସ ମିଶନ ପକ୍ଷରୁ ରେସ୍ତୋରାଁର ସଦସ୍ୟମାନଙ୍କୁ ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ଦିଆଯାଉଛି। ଏହି ଦିବସରେ ରେସ୍ତୋରାଁର ଖାଦ୍ୟଥାଳିରେ ମିଲେଟ୍‌ଜାତୀୟ ଖାଦ୍ୟକୁ ସାମିଲ କରାଯିବ। ଏହା ସହିତ ମିଲେଟ୍‌ରୁ ପ୍ରସ୍ତୁତ ଶୁଖିଲା ଖାଦ୍ୟ ଲଡ଼ୁ, ମୁଡୁକି ସାମଗ୍ରୀକୁ ରେସ୍ତୋରାଁରେ ବିକ୍ରି କରାଯିବ। ମିଠାରେ ମଧ୍ୟ ମିଲେଟ୍‌ରୁ ପ୍ରସ୍ତୁତ ସାମଗ୍ରୀ ପରସାଯିବ ବୋଲି ଆସୋସିଏସନ ସଭାପତି ରାଜୀବ ସ୍ଵାଇଁ କହିଛନ୍ତି।

ସ୍ଵାସ୍ଥ୍ୟ ପାଇଁ ହିତକର ପୃଷ୍ଟିଶସ୍ୟର ବହୁଳ ପ୍ରଚାରପ୍ରସାର ଓ ବ୍ୟବହାର ଏହାର ମୂଳ ଲକ୍ଷ୍ୟ ରଖାଯାଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ୍‌ର ପ୍ରଚାରପ୍ରସାର ଏବଂ ଖାଦ୍ୟ ଥାଳିରେ ଲଘୁ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ମିଲେଟ୍ସ ମିଶନ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ କୃଷି ବିଭାଗ ଦ୍ଵାରା ରାଜ୍ୟର ୩୦ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଛି।

Tags: #MilletMission #OdishaMilletMission #GovtOfOdisha #MandiaDiwas #MilletMission

Comment