ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ମାଣ୍ଡିଆ ଚାଷ କରାଯାଏ। କେଉଁଠି କେଉଁଠି ଏହା ମୁଖ୍ୟ ଫସଲ ଭାବେ ଚାଷ ହୁଏ। ଏବେ ମାଣ୍ଡିଆର ଚାହିଦା ମଧ୍ୟ ବଢ଼ିଲାଣି। ଏଥିରେ ଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଉଛି। ତେଣୁ ମାଣ୍ଡିଆ ଚାଷର ଠିକ ପଦ୍ଧତି ଜାଣି ଲାଭବାନ ହୁଅନ୍ତୁ।

ମାଣ୍ଡିଆ ଚାଷ ପାଇଁ ଜମି ପ୍ରସ୍ତୁତି

ନିଗିଡ଼ି ଦୋରସା ମାଟି ମାଣ୍ଡିଆ ଚାଷ ପାଇଁ ଖୁବ୍‌ ଭଲ। ମାଣ୍ଡିଆ ଚାଷ କରିବାକୁ ବିହନ ବୁଣିବା ପାଇଁ କିମ୍ବା ତଳି ରୋଇବା ପାଇଁ ବର୍ଷାଦିନେ ଜୁନ୍‌ ମାସ ହିଁ ଠିକ ସମୟ। ଚାଷୀମାନେ ଜମିକୁ ୨ ବା ୩ ଥର ଓଡ଼ ଗୁଣ୍ଡ ଚାଷ କରି ସେଥିରେ ଏକର ପ୍ରତି ୨ ଟନ୍‌ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ  ପ୍ରୟୋଗ କରନ୍ତୁ।

ବଜାରରେ ଉପଲବ୍ଧ ତଥା ସରକାରଙ୍କ ଦ୍ୱାରା ଅନୁମୋଦିତ ବିହନ ଏକର ପ୍ରତି ୪ କେଜି ସଂଗ୍ରହ କରି ତାକୁ ଭଲ ଭାବେ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିବା ନିମିତ୍ତ  ୧ କେଜି ବିହନ ପାଇଁ ୨ ଗ୍ରାମ କାର୍ବେଣ୍ଡାଜିମ କିମ୍ବା ୩ ଗ୍ରାମ ଥିରାମ ଫିମ୍ପି ନାଶକ ବ୍ୟବହାର କରନ୍ତୁ।

ପ୍ରସ୍ତୁତ ହୋଇଥିବା ଜମିରେ ଗୋଜି ଳଙ୍ଗଳରେ ସିଆର କରି ଧାଡ଼ିକୁ ଧାଡ଼ି ୨୫ ସେଣ୍ଟିମିଟର ବ୍ୟବଧାନରେ ତଥା ୩ରୁ ୪ ସେଣ୍ଟିମିଟର ଗଭୀରରେ ବିଶୋଧିତ ମାଣ୍ଡିଆ ବିହନକୁ ଧାଡ଼ିରେ ବୁଣନ୍ତୁ।

ରୁଆ ମାଣ୍ଡିଆ ଚାଷ କରୁଥିଲେ…

ଯେଉଁ ଚାଷୀଭାଇମାନେ ମାଣ୍ଡିଆ ରୁଆ ଚାଷ କରିବାକୁ ଚାହୁଁଛନ୍ତି ସେମାନେ ଏକର ପ୍ରତି ଦୁଇରୁ ଅଢେଇ କେଜି ବିହନ ସଂଗ୍ରହ କରନ୍ତୁ। ୧ମିଟର ଓସାର ଓ ୫ ମିଟର ଲମ୍ବର ତଳି ପଟି ପ୍ରସ୍ତୁତ କରି ପ୍ରତି ପଟାଳୀରେ ୫୦ ଗ୍ରାମ ଯବକ୍ଷାରଯାନ ଓ ୫୦ ଗ୍ରାମ ଫସଫରସ ପ୍ରୟୋଗ କରନ୍ତୁ। ଏହାପରେ ପଟାଳୀରେ ବିହନ ବୁଣନ୍ତୁ।

ଗଛ ଉଠିବାର ୨୫ ଦିନ ହୋଇଗଲେ ମାଣ୍ଡିଆ ତଳି ପ୍ରସ୍ତୁତ ହୋଇଯାଏ। ତେଣୁ ତଳି ଉପାଡ଼ିବାର ୧୦ ଦିନ ପୂର୍ବରୁ କାର୍ଟାପ ହାଇଡ୍ରୋ କ୍ଲୋରାଇଡ ଦାନାଦାର ପ୍ରୟୋଗ କରନ୍ତୁ। ଏହାଦ୍ୱାରା ଗଛରେ ପୋକ କମ ଲାଗିଥାଏ।CGU new

ମାଣ୍ଡିଆ ତଳି ରୋଇବା ପାଇଁ ଜମିକୁ କାଦୁଅ କରିବା ଦରକାର ନାହିଁ। ମାଟିର ବତ୍ତର ଦେଖି ଜମିକୁ ୨/୩ ଥର ଓଡ଼ ଚାଷ କରି ଧାଡ଼ିକୁ ଧାଡ଼ି ୧୫ ସେଣ୍ଟିମିଟର ଏବଂ ଗଛକୁ ଗଛ ୧୦ ସେଣ୍ଟିମଟର ବ୍ୟବଧାନରେ ମାଣ୍ଡିଆ ତଳିକୁ ଧାଡ଼ିରେ ରୁଅନ୍ତୁ।

ତଳି ରୋଇବାର ୩ ଦିନ ପରେ ଜମିରେ ପାଣି ମଡ଼ାନ୍ତୁ। ଚାଷୀ ଭାଇମାନ ଧ୍ୟାନ ଦେବା ଉଚିତ ଯେ ସାଧାରଣତଃ ମାଣ୍ଡିଆ ବୁଣା ଚାଷ ଅପେକ୍ଷା ରୁଆ ଚାଷରେ ଅଧିକ ଅମଳ ହୋଇଥାଏ।

(ଭିଡିଓ ସୌଜନ୍ୟ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment