ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଗଶିର ମାସ ପ୍ରଥମ ଗୁରୁବାର ସାରା ରାଜ୍ୟରେ ପାଳନ କରାଯାଉଛି ‘ମାଣ୍ଡିଆ ଦିବସ’। ପ୍ରଥମ ଥର ଲାଗି ଏହାକୁ ରାଜ୍ୟର ସମସ୍ତ ଜିଲ୍ଲାରେ ପାଳନ କରାଯାଉଛି। ମାଣ୍ଡିଆ ଚାଷର ପ୍ରଚାର ଏବଂ ପ୍ରସାର ନିମନ୍ତେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଗୁରୁବାର ଦିନ ଭୁବନେଶ୍ଵର ସ୍ଥିତ ଲୋକସେବା ଭବନର କନଭେନସନ ହଲଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଅଧ୍ୟତାରେ ରାଜ୍ୟସ୍ତରୀୟ ମାଣ୍ଡିଆ ଦିସ ପାଳନ କରାଯାଇଛି।

ମାଣ୍ଡିଆ ଦିବସର ଉଦଘାଟନୀ କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ ଆସନ୍ତୁ ସମସ୍ତେ ସଂକଳ୍ପ ନେବା, ଆମ ଖାଦ୍ୟରେ ପୁଷ୍ଟିକର ଓ ଜଳବାୟୁ ଉପଯୋଗୀ ମିଲେଟସକୁ ସାମିଲ କରିବା। ଖାଦ୍ୟ ବ୍ୟବସ୍ଥାରେ ଏହାକୁ ସ୍ଵତନ୍ତ୍ର ସ୍ଥାନ ଦେଇ ଏକ ସୁସ୍ଥ ସମାଜ ସହ ଚାଷୀଙ୍କ କଲ୍ୟାଣ ଓ ଚିରସ୍ଥାୟୀ ପୃଥିବୀ ଗଠନ ଦିଗରେ ଆଗକୁ ବଢ଼ିବା।”

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ଅରବିନ୍ଦ କୁମାର ପାଢ଼ୀ, ମିଶନ ଶକ୍ତି ବିଭାଗର କମିଶନର ଓ ସଚିବ ସୁଜାତା କାର୍ତ୍ତିକେୟନ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଗବେଷକ ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟର ସମସ୍ତ ଜିଲ୍ଲାରେ ପାଳନ କରାଯାଇଛି ପ୍ରଥମ ମାଣ୍ଡିଆ ଦିବସ। ଏହି ଅବସରରେ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ମାଣ୍ଡିଆ ଷ୍ଟଲ ଖୋଲାଯାଇଛି। ମାଣ୍ଡିଆ ଏବଂ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ଏହି ଷ୍ଟଲଗୁଡ଼ିକରେ ସ୍ଥାନ ପାଇଛି। ଏଥିରେ ରହିଛି ମାଣ୍ଡିଆ ଲଡୁ, ବରା, ଆଳୁଚପ, ସିଙ୍ଗଡ଼ା, କେକ୍, ଗୁପଚୁପ ଏବଂ ଖିରି ଆଦି। ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ମଜା ନେବା ପାଇଁ ଷ୍ଟାଲଗୁଡ଼ିକ ଆଗରେ ଖାଦ୍ୟ ପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳୁଛି।

“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭାରତର ପ୍ରଥମ ରାଜ୍ୟ ଭାବେ କୃଷି ବିଭାଗ ଅଧୀନରେ ଓଡ଼ିଶା ମିଲେଟସ ମିଶନ ପକ୍ଷରୁ ମିଲେଟ ଦିବସ ପାଳନ କରାଯାଉଛି। ଓଡ଼ିଶା ମିଲେଟସ୍‌କୁ ସର୍ବୋତ୍ତମ ବିକଳ୍ପ ଭାବେ ପ୍ରୋତ୍ସାହିତ କରିବା ଲାଗି ଏହି ଦିବସ ପାଳନ କରାଯାଉଛି।” ଏହି ଅବସରେ ଓଡ଼ିଶା କୃଷି ଭବନ ପରିସରରେ ଖୋଲିଥିବା ମିଲେଟସ ମିଶନ ଶାଖାକୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

ମାଣ୍ଡିଆ ଦିବସ ଅବସରରେ ସମେସ୍ତ ମାଣବସା ଗୁରୁବାର ଦିନ ମା’ ମହାଲକ୍ଷ୍ମୀଙ୍କ ପାଖରେ ଅନ୍ୟ ଭୋଗ ସହ ମାଣ୍ଡିଆରୁ ପ୍ରସ୍ତୁତ ଭୋଗ ପରସିବାକୁ ଅନୁରୋଧ କରିଛନ୍ତି କୃଷି ମନ୍ତ୍ରୀ।

ମିଲେଟସ ମିଶନକୁ ସମସ୍ତ ୩୦ ଜିଲ୍ଲାକୁ ସମ୍ପ୍ରସାରିତ କରିବା ସହ ମାଣ୍ଡିଆ ସମେତ ଅନ୍ୟ ମିଲେଟସ ଚାଷ ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି ବୋଲି ପ୍ରଥମ ମାଣ୍ଡିଆ ଦିବସର ଅବସରରେ କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ଅରବିନ୍ଦ କୁମାର ପାଢ଼ୀ।

“ମିଲେଟସ ମିଶନ ମାଧ୍ୟମରେ ମିଶନ ଶକ୍ତି ମହିଳାମାନେ ସ୍ଵାବଲମ୍ବୀ ଏବଂ ଆତ୍ମନିର୍ଭରଶୀଳ ହେଉଛନ୍ତି। ମାଣ୍ଡିଆର ପ୍ରଚାର ଏବଂ ପ୍ରସାର କ୍ଷେତ୍ରରେ ମିଶନ ଶକ୍ତି ମା’ମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି”, କହିଛନ୍ତି ମିଶନ ଶକ୍ତି ବିଭାଗର କମିଶନର ଓ ସଚିବ ସୁଜାତା କାର୍ତ୍ତିକେୟନ।

ରାଜ୍ୟରେ ପ୍ରଥମେ ୭ଟି ଜିଲ୍ଲାର ୩୦ଟି ବ୍ଲକରେ ମିଲେଟସ ମିଶନ କାର୍ଯ୍ୟକାରୀ ହୋଇଥିଲା। ବର୍ତ୍ତମାନ ଏହି ସଂଖ୍ୟାରେ ବୃଦ୍ଧି ହୋଇଛି। ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି। ଓଡ଼ିଶାରେ ମାଣ୍ଡିଆର ଚାହିଦା ବଢ଼ିବା ସହ ଏହାକୁ ଦେଶ ବିଦେଶରେ ଉପଲବ୍ଧ କରାଇବାକୁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ମିଲେଟସ ମିଶନ ମାଧ୍ୟମରେ ଗାଁ ତଥା ସହରରେ ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି। ମିଲେଟସ ଜାତୀୟ ଖାଦ୍ୟ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ମାଣ୍ଡିଆ ଚାଷର ପ୍ରଚାର ଏବଂ ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାଣ୍ଡିଆରୁ ପ୍ରସ୍ତୁତ ସୁଆଦିଆ ଖାଦ୍ୟ ପ୍ରତି ରାଜ୍ୟ ତଥା ଦେଶ ବିଦେଶରେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ମାର୍ଗଶିର ମାସ ପ୍ରଥମ ଗୁରୁବାର ଦିନକୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଏକ ସ୍ଵତନ୍ତ୍ର ମାସ୍କଟ ଉନ୍ମୋଚନ କରାଯାଇଥିଲା। ଏହି ମାସ୍କଟର ନାଁ ହେଉଛି ‘ମିଲି’।

ମାସ୍କଟ ‘ମିଲି’ ମାଣ୍ଡିଆର ପ୍ରଚାର ଏବଂ ପ୍ରସାର କରିବ। ଆସନ୍ତା ୨୦୨୩ ଜାନୁଆରି ମାସରେ ହେବାକୁ ଥିବା ପୁରୁଷ ହକି ବିଶ୍ଵ କପ୍ ଅବସରରେ ମଧ୍ୟ ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ମିଲିକୁ ବ୍ୟବହାର କରାଯିବ।

ମାଣ୍ଡିଆରେ ପ୍ରଚୁର ପରିମାର ପୋଷଣ ଶକ୍ତି ରହିଥିବାରୁ ଏହାର ଚାଷ ନିମନ୍ତେ ରାଜ୍ୟ ସରକାର ଅଧିକ ଗୁରୁତ୍ଵ ଦେଉଛନ୍ତି। ଆଗରୁ ମାଣ୍ଡିଆ ଚାଷ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରାଶିକୁ ୩ ବର୍ଷ ପରିବର୍ତ୍ତେ ୫ ବର୍ଷକୁ ବୃଦ୍ଧି କରାଯାଇଛି। ଏହା ସହିତ ହେକ୍ଟର ପିଛା ୧୦ ହଜାର ଟଙ୍କା ବଦଳରେ ୨୬,୫୦୦ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନଙ୍କୁ ମଧ୍ୟ ସ୍ଵାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି।

ଓଡ଼ିଶା ମିଲେଟସ୍ ମିଶନ ପକ୍ଷରୁ ମାଣ୍ଡିଆର ପ୍ରଚାର ପ୍ରସାର ନିମନ୍ତେ ମଧ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ଯୋଡ଼ା ଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମିଲେଟସ ଶକ୍ତି ଆଉଲେଟ ଓ ମିଲେଟସ୍ କାଫେ ଖୋଲାଯାଉଛି।

Tags: #MandiaDivas #MilletsMission #OdishaMillets #MilletsDay

Comment