ଓଡ଼ିଶାଲାଇଭ୍ ବ୍ୟୁରୋ

  • ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ଦ୍ଵାରା ସ୍ୱାବଲମ୍ବୀ ହେଉଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ
  • ୧୪ଟିମିଲେଟ କ୍ତି ବିକ୍ରୟ କେନ୍ଦ୍ରରୁ ଅଢେଇ କୋଟିର ବ୍ୟବସାୟ

୫୦ ଟଙ୍କା ଜମା ରାଶିରୁ ଆରମ୍ଭ କରିଥିଲେ ବ୍ୟବସାୟ। ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଏବେ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ। ଦିନ ଥିଲା ସେମାନେ ବଡ଼ି, ପାମ୍ପଡ଼, ଆରିଷା ଆଦି ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବ୍ୟାଗ୍‌ରେ ଧରି ଘର ଘର ବୁଲି ବିକ୍ରି କରୁଥିଲେ। ମାତ୍ର ଏବେ ସେମାନେ ବିଶ୍ୱ ଦରବାରରେ ପହଞ୍ଚିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ପୁଷ୍ଟିଶସ୍ୟର ପୁନରୁଦ୍ଧାର ସହ ଏହାକୁ ଖାଦ୍ୟ ଥାଳିରେ ସାମିଲ କରିବା ପାଇଁ ୨୦୧୭ ମସିହାରୁ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଆରମ୍ଭ ହୋଇଥିଲା ଓଡ଼ିଶା ମିଲେଟ୍ସ ମିଶନ। ପରବର୍ତ୍ତୀ ସମୟରେ ଏଥିରେ ମିଶନ ଶକ୍ତିକୁ ସଂଯୋଗ କରାଯାଇ ହଜାର ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପଦକ୍ଷେପ ନିଆଯାଇଛି। ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ଦିଗରେ ମିଲେଟ୍ ଶକ୍ତି ଆଉଟଲେଟ୍ ଓ ମିଲେଟ୍ ଶକ୍ତି କାଫେର ଦାୟିତ୍ୱ ଦିଆଯାଇଛି।

ଓଡ଼ିଶା ମିଲେଟ୍ସ ମିଶନ ସହାୟତାରେ ଆର୍ଥିକ ସ୍ତରରେ ଅନଗ୍ରସର ଥିବା ମହିଳାମାନେ ଏବେ ପ୍ୟାରିସ୍‌, ଦୁବାଇ ଭଳି ଅନେକ ସହରରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି କରିବା ସହ ପ୍ରଶଂସା ସାଉଁଟି ପାରିଛନ୍ତି। ଘରର ଚାରିକୋଣରୁ ବାହାରି ଏବେ ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିଛନ୍ତି।ଚଳିତ ମେ’ ମାସ ସୁଦ୍ଧା ରାଜ୍ୟରେ ପୁରୀ, କଟକ, ସୁନ୍ଦରଗଡ଼, କେନ୍ଦୁଝର, ନୂଆପଡ଼ା, ଖୋର୍ଦ୍ଧା, ଗଞ୍ଜାମ, ଅନୁଗୁଳ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ୧୪ଟି ସ୍ଥାନରେ ୭ଟି ମିଲେଟ୍ ଶକ୍ତି କାଫେ ଓ ୬ଟି ମିଲେଟ୍ ଶକ୍ତି ବିକ୍ରୟ କେନ୍ଦ୍ରରେ ଅଢେଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇପାରିଥିବା ସୂଚନା ମିଳିଛି। ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାରେ ଥିବା ୨ଟି ମିଲେଟ୍ ଶକ୍ତି କାଫେ ମଧ୍ୟରୁ ଗୋଟିଏ କାଫେରୁ ଗୋଟିଏ ମାସରେ ସର୍ବାଧିକ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହୋଇଛି।

ମିଲେଟ ଶକ୍ତି ବିକ୍ରୟ କେନ୍ଦ୍ର ଜରିଆରେ ମହିଳାମାନେ ଏବେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରିପାରୁଛନ୍ତି। ଏହି ମିଲେଟ୍ସ ଶକ୍ତି ଆଉଟଲେଟରେ ପୁଷ୍ଟିଶସ୍ୟ ଯୁକ୍ତ ଖାଦ୍ୟ ସାମଗ୍ରୀ ବିକ୍ରି କରିବା ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀର ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ଏଥିପାଇଁ ମହିଳାମାନଙ୍କୁ ଭୁବନେଶ୍ଵର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ୍ ଓ ମହୀଶୂର ସ୍ଥିତ ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲୋଜି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଧ୍ୟମରେ ପୁଷ୍ଟିଶସ୍ୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି, କାଫେ ଓ ଆଉଟଲେଟ ପରିଚାଳନାର ପ୍ରଶିକ୍ଷଣ ଦିଆଯାଉଛି।“ବର୍ଷ ବର୍ଷର ସଂଘର୍ଷ ପରେ ଆମ ସଦସ୍ୟାମାନେ ଓଡ଼ିଶା ମିଲେଟ୍ସ ମିଶନ ମାଧ୍ୟମରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ଏବେ ସଫଳତା ପଥରେ ଆଗେଇ ଚାଲିଛନ୍ତି। ବିଶ୍ୱକପ୍ ହକି ସମୟରେ କଳିଙ୍ଗ ଷ୍ଟାଡିୟମ୍‌ରେ ମିଲେଟ୍ ଆଉଟଲେଟର ଦାୟିତ୍ୱ ତୁଲାଇ ବହୁ ପ୍ରଶଂସା ସାଉଁଟିବା ସହ ଲୋକାଦୃତ ହୋଇପାରିଛୁ। କେବଳ ୧୭ ଦିନରେ ଆମେ ପୁଷ୍ଟିଶସ୍ୟ ଯୁକ୍ତ ଖାଦ୍ୟ ପରଷି ସାଢେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରି ପାରିଥିଲୁ। ଏହାସହ କଳିଙ୍ଗ ଷ୍ଟାଡିୟମ୍‌କୁ ଆସୁଥିବା ବିଦେଶୀ ଖେଳାଳି ଓ ପର୍ଯ୍ୟଟକମାନଙ୍କ ଦ୍ଵାରା ଆଦୃତି ଖୁବ୍ କମ୍‌ଦିନରେ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିପାରିଛୁ।”, କହିଛନ୍ତି କଳିଙ୍ଗ ଷ୍ଟାଡିୟମଠାରେ ଖୋଲିଥିବା ‘ମିଲେଟ୍ ଶକ୍ତି ଆଉଟଲେଟ୍’ର ଦାୟିତ୍ୱରେ ଥିବା ସ୍ୱୟଂଶ୍ରଦ୍ଧା ଆଞ୍ଚଳିକ ପରିଷଦର ସମ୍ପାଦିକା ମିନତୀ ସାବତ।

ସେହିପରି ସୁନ୍ଦରଗଡ଼ର ଦିବ୍ୟଜ୍ୟୋତି ମହିଳା ମହାସଂଘର ପ୍ରେମା ଦାସ କହନ୍ତି, “୨୦୧୯ ମସିହାରୁ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନର ସହାୟତା ପାଇବା ପରେ ଏବେ ବର୍ଷକୁ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିପାରୁଛୁ। ଗୋଆ, ମୁମ୍ବାଇ, କୋଲକାତା, ପ୍ୟାରିସ୍ ଭଳି ସହରରେ ଆମ ଦ୍ୱାରା ପ୍ରସ୍ତୁତ ପୁଷ୍ଟିଶସ୍ୟ ପହଞ୍ଚାଇ ପାରୁଛୁ। ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରୁ ସଦସ୍ୟମାନେ ଆସି ଆମଠାରୁ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଣାଳୀର ପ୍ରଶିକ୍ଷଶ ନେଉଛନ୍ତି। ପ୍ୟାରିସ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ଖାଦ୍ୟ ପ୍ରଦର୍ଶନୀ ‘ସିଆଲ୍‌-୨୦୨୨’ରେ, ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ରେ ଅଂଶଗ୍ରହଣ କରିବାର ସୁଯୋଗ ମଧ୍ୟ ପାଇଥିଲୁ। ଏହାସହ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲୁ।”

Tags: #OdishaMilletMission #MissionShakti #Odisha #MilletShaktiCafe

Comment