ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନ ଥିଲା ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରେ ରହି କେବଳ ଘର କାମରେ ନିୟୋଜିତ ଥିଲେ। ହେଲେ ଆଜି ସେମାନେ ସ୍ଵାବଲମ୍ଵୀ। ସମାଜରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ଗଢ଼ି ପାରିଛନ୍ତି। ଏହାର ଏକ ଉଦାହରଣ ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଦିବ୍ୟଜ୍ୟୋତି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ କାହାଣୀ।

ସୁନ୍ଦରଗଡ଼ ଜିଲ୍ଲାର ଝିରପାଣି ଗାଁର ୧୦ ଜଣ ମହିଳାଙ୍କୁ ନେଇ ୨୦୦୯ ମସିହାରେ ଗଠିତ ହୋଇଥିଲା ‘ଦିବ୍ୟଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ’। ପ୍ରଥମେ ସେମାନେ ଧୂପ, ଆଚାର, ମୁଢ଼ି ଏବଂ ଛତୁଆ ଆଦି ତିଆରି କରିବା ସହ ଅନ୍ୟାନ୍ୟ ଛୋଟ ବଡ଼ କାମରେ ନିୟୋଜିତ ଥିଲେ। ଅନେକ ପରିଶ୍ରମ ପରେ ମଧ୍ୟ ଉଚିତ୍ ମୂଲ୍ୟ ପାଇପାରୁନଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ମିଲେଟ୍ସ ମିଶନ ମାଧ୍ୟମରେ ସେମାନଙ୍କ ପାଇଁ ସୃଷ୍ଟି ହେଲା ଏକ ନୂଆ ସୁଯୋଗ।ସୁନ୍ଦରଗଡ଼ ଜିଲ୍ଲାରେ ପୁଷ୍ଟିଶସ୍ୟ ଉତ୍ପାଦନ ଅଧିକ ହେଉଥିବାରୁ ଏଥିରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ନେଇ ହୋଇଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦିବ୍ୟଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିଲେ।  ଏଥିରେ ସେମାନଙ୍କୁ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ପ୍ରସ୍ତୁତି ସହ କାଫେ ଓ ଆଉଟଲେଟର ପରିଚାଳନା ଉପରେ ତାଲିମ ଦିଆଯାଇଥିଲା। ତାଲିମ ପାଇ ସେମାନେ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟକୁ ନିଜେ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ତରଫରୁ ୨୦୨୧ ମସିହାରେ ମିଲେଟ୍ ଶକ୍ତି କାଫେର ପରିଚାଳନା ଦାୟିତ୍ୱର ସୁଯୋଗ ମଧ୍ୟ ପାଇଲେ।

ଏହି କାମରୁ ଧୀରେ ଧୀରେ ସେମାନେ ଅଧିକ ଲାଭବାନ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ବର୍ତ୍ତମାନ ସେମାନେ ପୁଷ୍ଟିଶସ୍ୟରୁ ୪୦ ପ୍ରକାରର କୁକିଜ୍ ସମେତ ମାଣ୍ଡିଆ ବରା, ପିଠା, ଦୋସା, ଖେଚୁଡ଼ି, ବିରିୟାନି ଆଦି ପ୍ରସ୍ତୁତ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି।   ଏହି ସଫଳତାକୁ ନେଇ ଦିବ୍ୟଜ୍ୟୋତି ସ୍ୱୟଂ ସହାୟିକା ଗୋଷ୍ଠୀର ସମ୍ପାଦିକା ପ୍ରେମା ଦାସ କହନ୍ତି, “ପୂର୍ବରୁ ମାଣ୍ଡିଆରୁ କେବଳ ଜାଉ ହୁଏ ବୋଲି ଜାଣିଥିଲୁ। କିନ୍ତୁ ଓଡ଼ିଶା ମିଲେଟ୍ସ ମିଶନର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରେ ପୁଷ୍ଟିଶସ୍ୟର ପ୍ରକାରଭେଦ ଏବଂ ଏଥିରୁ ପ୍ରସ୍ତୁତ ହୋଇପାରୁଥିବା କୁକିଜ୍, ବିସ୍କୁଟ, ପିଠା, ମିକ୍ସଚର୍ ଏବଂ ଅନ୍ୟାନ୍ୟ ଖାଦ୍ୟ ବିଷୟରେ ଜାଣିବାକୁ ପାଇଲୁ। ପରେ ଏହାକୁ ନିଜେ ପ୍ରସ୍ତୁତ କଲୁ। ଏହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଲା। ବର୍ତ୍ତମାନ ବର୍ଷକୁ ଆମେ ଦେଢ଼ କୋଟି ଟଙ୍କା ରୋଜଗାର କରୁଛୁ। ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରଶଂସା ସାଉଁଟିବା ପରେ ଏହାକୁ ଆମେ ଆମ ମୁଖ୍ୟ ବ୍ୟବସାୟ ଭାବେ ଆପଣେଇଛୁ। ଦିନେ ଯେଉଁଠି ଆମେ ନିଜେ ଏହି କାର୍ଯ୍ୟ ପାଇଁ ତାଲିମ ନେଉଥିଲୁ, ବର୍ତ୍ତମାନ ସେଠି ଆମେ ଅନ୍ୟ ମହିଳାମାନଙ୍କୁ ତାଲିମ ପ୍ରଦାନ କରୁଛୁ।”

କେବଳ ଏତିକି ନୁହେଁ ପ୍ୟାରିସଠାରେ ଆୟୋଜିତ ଅନ୍ତର୍ଜାତୀୟ ଖାଦ୍ୟ ସମ୍ମିଳନୀ ସିଆଲ୍-୨୦୨୨, ଗୋଆରେ ହୋଇଥିବା ଖାଦ୍ୟ ପ୍ରଦର୍ଶନୀ ଏବଂ ଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ରେ ଦିବ୍ୟଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ନେଇ ଅଂଶଗ୍ରହଣ କରିବାରେ ସୁଯୋଗ ପାଇଥିଲେ। ଏହା ସହ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା “ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ” ଭାବେ ପୁରସ୍କୃତ ହୋଇଥିଲେ।

Tags: #MilletMission #MissionShakti #DibyajyotiSHG #MilletShaktiCafe #Sundargarh #Odisha

Comment