ଓଡ଼ିଶାଲାଇଭ୍‌ ବ୍ୟୁରୋ

‘କୃଷି ଓଡ଼ିଶା’ରେ ମୁଖ୍ୟ ଆକର୍ଷଣ ମାଣ୍ଡିଆ ଫୁଡ୍‌ ଜୋନ।

ସାଧାରଣତଃ ମାଣ୍ଡିଆରେ ଆପଣ ଖିରି ପ୍ରସ୍ତୁତ କରି ଖାଇଥିବେ। ମାତ୍ର ମାଣ୍ଡିଆରେ ନାନା ପ୍ରକାରର ସୁସ୍ୱାଦୁ ଖାଦ୍ୟ ତଥା ପିଜା, ସ୍ୟାଣ୍ଡଓ୍ୱିଚ, ମାଲପୁଆ, ଜିଲାପି, କୁକିଜ୍‌ କେକ୍‌, ଲଡୁ, ପିଠା ଭଳି ଖାଦ୍ୟ ବି ପ୍ରସ୍ତୁତ କରାଯାଇପାରେ ଏହା ଆପଣ କଳ୍ପନା ବି କରିନଥିବେ।

ମାଣ୍ଡିଆରେ ପ୍ରସ୍ତୁତ ଏଭଳି ଖାଦ୍ୟର ଭଣ୍ଡାର ଦେଖିବାକୁ ମିଳିଛି ‘କୃଷି ଓଡ଼ିଶା ୨୦୨୦’ କାର୍ଯ୍ୟକ୍ରମରେ। ଏଥିରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟକୁ ନେଇ ଏକ ସ୍ୱତନ୍ତ୍ର ଫୁଡ ଜୋନ୍‌ କରାଯାଇଛି। ଏହି ଫୁଡ୍‌ ଜୋନରେ ଗ୍ରାହକଙ୍କ ଭିଡ଼ ମଧ୍ୟ ଲାଗିଛି। ଖାସ କରି ଯୁବକ ଯୁବତୀମାନେ ଏହି ଖାଦ୍ୟ ପ୍ରତି ବିଶେଷ ଆକର୍ଷିତ ହୋଇଥିବା ଦେଖିବାକୁ ମିଳିଛି।

‘‘ପୂର୍ବରୁ କେବଳ ମୁଁ ମାଣ୍ଡିଆ ଖିରି କଥା ଜାଣିଥିଲି। ମାଣ୍ଡିଆରେ ଏତେ ପ୍ରକାର ଖାଦ୍ୟ ହୋଇପାରେ ତାହା ମୁଁ ଭାବିନଥିଲି। ଏହାର ସ୍ୱାଦ ମଧ୍ୟ ଭଲ ରହିଛି’’, କହିଛନ୍ତି ଜଣେ ଗ୍ରାହକ ସ୍ୱପ୍ନାରାଣୀ ସାହୁ।

ମାଣ୍ଡିଆର ବହୁ ଉପକାରୀ ଗୁଣ ରହିଛି। କିନ୍ତୁ ଧୀରେ ଧୀରେ ଏହା ଓଡ଼ିଶା ବଜାରରୁ ହଜି ଯାଉଥିଲା, ଯାହାକୁ ପୁଣି ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାର ମାଣ୍ଡିଆ ମିସନ ମଧ୍ୟ ଆରମ୍ଭ କରିଛନ୍ତି।

ମାଣ୍ଡିଆ ଉତ୍ପାଦନରେ ଓଡ଼ିଶା ସାରା ଭାରତକୁ ନୂଆ ଦିଶା ଦେଖାଇଛି

‘‘ମାଣ୍ଡିଆ ଚାଷକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି। ମିଲେଟ୍‌ ମିସନ୍‌ ଜରିଆରେ ୧୪ଟି ଜିଲ୍ଲାର ୪୦ଟି ବ୍ଲକରେ ମାଣ୍ଡିଆ ଚାଷକୁ ପ୍ରାଧାନ୍ୟ ଦିଆଯାଇଛି। ପ୍ରଥମ ଥର ପାଇଁ ମାଲକାନଗିରିରେ ମାଣ୍ଡିଆ ମଣ୍ଡି କରାଯାଇଛି। ମାଣ୍ଡିଆ ଉତ୍ପାଦନରେ ଓଡ଼ିଶା ସାରା ଭାରତକୁ ନୂଆ ଦିଶା ଦେଖାଇଛି। ଏଣୁ ଚଳିତ କୃଷି ଓଡ଼ିଶାର ମାସ୍କଟ୍‌ ରହିଛି ମାଣ୍ଡିଆ।’’, ‘କୃଷି ଓଡ଼ିଶା’ ଉଦଘାଟନ ସମାରୋହରେ କହିଥିଲେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ

ମାଣ୍ଡିଆ ମିସନ ପାଇଁ ଜାତୀୟସ୍ତରରେ ଓଡ଼ିଶା ପୁରସ୍କୃତ

ମାଣ୍ଡିଆ ମିସନ ଭଳି ଅଭିନବ ଯୋଜନା ପାଇଁ ଜାତୀୟସ୍ତରରେ ଓଡ଼ିଶାକୁ ପୁରସ୍କାର ମିଳିଥିବା କଥା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ।

“ଏବର୍ଷ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚାଷୀମାନଙ୍କଠାରୁ ସରକାର ମାଣ୍ଡିଆ କିଣୁଛନ୍ତି। ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ୧୨ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୪୦ଟି ବ୍ଲକ୍‌ରେ କୃଷି ଉତ୍ପାଦନ କ୍ଲଷ୍ଟରକୁ ନେଇ ଏକ ପ୍ରକଳ୍ପ ସୃଷ୍ଟି କରାଯାଇଛି। ଏହା ଅଧିନରେ ୬୫୦ଟି ଉତ୍ପାଦକ ଗୋଷ୍ଠୀ ଏବଂ ୩୦ଟି ଉତ୍ପାଦନ କମ୍ପାନି ଗଠନ କରାଯିବ” କହିଥିଲେ ଡକ୍ଟର ସୌରଭ ଗର୍ଗ।

1 COMMENT

  1. Odisha is great for traditional culture and crops ,krushi Odisha is a great idea of cm Mr. Naveen patnaik and minister Sri . Arunkumar sahoo

Comment