ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାୟୁ ପ୍ରଦୂଷଣରେ ହନ୍ତସନ୍ତ ଦିଲ୍ଲୀବାସୀ। ସ୍ଥିତି ଏତେ ବିଗିଡ଼ିଗଲାଣି ଯେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ ବୋଲି ପ୍ରେସ୍‌ମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସହରରେ ପ୍ରଦୂଷଣ ବଢ଼ାଉଥିବା କାର୍ଯ୍ୟକଳାପକୁ ବନ୍ଦ କରିବା ସହ ପୁଣିଥରେ ଗାଡ଼ି ଚଳାଚଳ କ୍ଷେତ୍ରରେ ଅଡ୍- ଇଭିନ ପ୍ରକ୍ରିୟା ଲାଗୁ କରିବା ନେଇ ସେ ବିଚାର କରୁଥିବାର ମଧ୍ୟ କହିଛନ୍ତି।

ଗତ ଦୁଇଦିନ ଧରି ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବହୁଳ ଭାବେ ବୃଦ୍ଧି ପାଇଛି। ଏଥିପାଇଁ ଅଭିଭାବକଙ୍କ ଅଭିଯୋଗ କ୍ରମେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ଦିଲ୍ଲୀ ସରକାରଙ୍କୁ ସ୍କୁଲଗୁଡ଼ିକୁ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଗତ ସପ୍ତାହରେ ପ୍ରଦୂଷଣ ବଢ଼ାଉଥିବା କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ପାଇଁ ଏକ ବିଶେଷ ବୈଠକ କରିଥିଲେ।

ପଞ୍ଜାବ, ହରିୟାଣା ଆଦି ଦିଲ୍ଲୀର ପାଖାପାଖି ରାଜ୍ୟଗୁଡ଼ିକରେ ଫସଲର ଅବଶିଷ୍ଟାଂଶ ଜଳାଇବା ଦ୍ଵାରା ଦିଲ୍ଲୀରେ ମୁଖ୍ୟତଃ ବାୟୁ ପ୍ରଦୂଶଣ ହେଉଥିବା ସିଷ୍ଟମ୍ ଅଫ ଏଆର କ୍ଵାଲିଟି ଓ ୱେଦର ଫୋରକଷ୍ଟିଂ ରିସର୍ଚ (SAFAR)ର ଏକ ରିପୋର୍ଟ୍‌ରୁ ପ୍ରକାଶ ପାଇଛି। ଏହା ପ୍ରଦୂଷଣରେ ୩୪ ପ୍ରତିଶତ ଯୋଗଦାନ ଦେଉଛି ବୋଲି କୁହାଯାଇଛି। ଗତ କିଛିଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତି ଭୟଙ୍କର ସ୍ଥିତିରେ ରହୁଛି। ଏହାକୁ ନେଇ ଅନେକ ଲୋକଙ୍କ ସ୍ଵାସ୍ଥ୍ୟ ଖରାପ ହେବାର ମାମଲା ମଧ୍ୟ ସାମ୍ନାକୁ ଆସୁଛି।

ଶୁକ୍ରବାର ସକାଳେ ଦିଲ୍ଲୀରେ ପ୍ରଦୂଷଣ ପିଏମ୍ ୨.୫ ମାନକରେ ୪୭୨ ଟପିଛି ଏବଂ ଜାତୀୟ ରାଜଧାନୀ କ୍ଷେତ୍ରରେ ଥିବା କେତେକ ଅଞ୍ଚଳରେ ଏହା ୭୦୦ ଅତିକ୍ରମ କରିଥିଲା। ଏଥିପାଇଁ ଆଜି ସକାଳେ ସେହି ଅଞ୍ଚଳର ଆକାଶରେ ପ୍ରଦୂଷଣର ଘନ କୁହୁଡି ଆଚ୍ଛାଦିତ ହୋଇଥିଲା। ବାୟୁ ପ୍ରଦୂଷଣର ଏହି ମାନକ ୧୦୦ ଭିତରେ ରହିଲେ ତାହାକୁ ଭଲ କୁହାଯାଏ।

ଆଜି ସୁପ୍ରିମକୋର୍ଟ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ରୁଜୁ ହୋଇଥିବା କେତେକ ଜନସ୍ଵାର୍ଥ ମାମଲାର ଶୁଣାଣି କରିବେ। ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ବାୟୁ ପ୍ରଦୂଷଣକୁ ରୋକିବାକୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ପାଇଁ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି।

ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କେତେକ ସ୍କୁଲ ଅନଲାଇନ କ୍ଲାସ କରିବା ଆରମ୍ଭ କରିଛନ୍ତି ଏବଂ ସ୍କୁଲ ଆସୁଥିବା କିଛି ବିଦ୍ୟାର୍ଥୀଙ୍କୁ ଏନ୍‌-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏହା ମଧ୍ୟରେ ଏବେ ଦିଲ୍ଲୀରେ ଡିଜେଲ ଚାଳିତ ଟ୍ରକ୍ ଗୁଡ଼ିକର ପ୍ରବେଶକୁ ବନ୍ଦ କରାଯାଇଛି। ନୋଏଡା ଓ ଗ୍ରେଟର ନୋଏଡାରେ ମଧ୍ୟ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲକୁ ବନ୍ଦ କରାଯାଇଛି।

ବାୟୁ ପ୍ରଦୂଷଣ ରୋକିବାରେ ଅସମର୍ଥ ଦିଲ୍ଲୀର ଆମ ଆଦମି ପାର୍ଟି ସରକାର ଏବଂ କେନ୍ଦ୍ରର ବିଜେପି ସରକାର ପରସ୍ପର ଉପରେ ଦୋଷାରୋପ କରିଛନ୍ତି।

Tags: #AirPollution #Delhi #MetroCity #DelhiGovt #ArvindKejriwal #AirQualityIndex #SAFAR #NCPCR #SupremeCourt

Comment