ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜାନୁଆରି ମାସରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵକପ୍‌। ଏଥିପାଇଁ ତତ୍ପର ରାଜ୍ୟ ସରକାର ଏବଂ ରାଜ୍ୟ କ୍ରୀଡ଼ା ବିଭାଗ। ଲୋକଙ୍କ ମଧ୍ୟରେ ହକିକୁ ନେଇ ଉତ୍ସାହ ବଢ଼ାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ହକିର ପ୍ରଚାର ପ୍ରସାର ପାଇଁ କଟକ ବାଲିଯାତ୍ରାରେ ଏକ ସ୍ଵତନ୍ତ୍ର ପ୍ୟାଭେଲିୟନ୍ ଖୋଲାଯାଇଛି।

ବାଲିଯାତ୍ରା ପଡ଼ିଆରେ ଏକ ପ୍ୟାଭେଲିୟନ୍ ନିର୍ମାଣ କରି ହକି ବିଶ୍ଵକପ ଟ୍ରଫିର ଏକ ପ୍ରତିରୂପ ରଖାଯାଇଛି। ମଙ୍ଗଳବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ହକି ଖେଳାଳି ଓ ହକିପ୍ରେମୀଙ୍କ ଉପସ୍ଥିତିରେ ଏହାର ଉଦ୍‌ଘାଟନ କରିଛନ୍ତି।

କ୍ରୀଡ଼ା ବିଭାଗ ପକ୍ଷରୁ ହୋଇଥିବା ଏହି ପ୍ୟାଭେଲିୟନରେ ହକି ଖେଳ ସମ୍ବନ୍ଧୀୟ ତଥ୍ୟ ଏବଂ ହକି ପ୍ରତି ଓଡ଼ିଶାର ଅବଦାନ ସମ୍ପର୍କରେ ଏଲ୍‌ଇଡି ସ୍କ୍ରିନ୍ ମାଧ୍ୟମରେ ପ୍ରଦର୍ଶିତ ହେଉଛି। ଏଠାରେ ଦର୍ଶକଙ୍କ ପାଇଁ ଫଟୋ ବୁଥ୍ ଓ ଫ୍ୟାନ୍ ଜୋନ କରାଯାଇଛି।

ଫଟୋ ବୁଥ୍‌ରେ ଲୋକେ ପ୍ରତୀକାତ୍ମକ ବିଶ୍ଵକପ୍ ଟ୍ରଫି ସହ ଫଟୋ ଉଠାଉଛନ୍ତି। ବାଲିଯାତ୍ରା ବୁଲିବାକୁ ଆସୁଥିବା ଲୋକମାନଙ୍କ ମଧ୍ୟରେ ହକି କ୍ରେଜ୍ ବଢ଼ାଇବା ପାଇଁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ଏହି ଉଦ୍ୟମ କରାଯାଇଛି।

୨୦୨୩ ଜାନୁଆରି ମାସରେ ରାଜଧାନୀ ଭୁବନେଶ୍ୱର ଓ ରାଉରକେଲା ସହରରେ ହକି ବିଶ୍ଵକପ୍ ଆୟୋଜିତ ହେବାକୁ ଯାଉଛି। ଏହି ଆୟୋଜନର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରକୁ ମାଧ୍ୟମ କରିଛନ୍ତି। ସୋସିଆଲ ମିଡିଆଠାରୁ ଆରମ୍ଭକରି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରରେ ସରକାର ବିଶ୍ଵକପ୍‌ର ପ୍ରଚାର ପାଇଁ ଉଦ୍ୟମ କରୁଛନ୍ତି।

ବିଶ୍ଵକପ୍ ପାଇଁ ସମସ୍ତ ବିଭିନ୍ନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ସରକାର ଏହି ବିଶ୍ଵକପ୍‌କୁ ପୂର୍ବ ସଂସ୍କରଣଠାରୁ ଅଧିକ ଆକର୍ଷଣୀୟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Tags: #OdishaMensHockeyWorldCup #Balijatra #Cuttack #TusharKantBehera #Rourkela #Bhubaneswar

Comment