ଓଡ଼ିଶା ଲାଇଭ୍ ବ୍ୟୁରୋ

ରବିବାର ଟି-୨୦ ବିଶ୍ୱକପ୍‌ ୨୦୨୨ର ଫାଇନାଲ ମ୍ୟାଚ୍‌ରେ ୫ ଓ୍ଵିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରି ବିଶ୍ୱବିଜୟୀ ହୋଇଛି ଇଂଲଣ୍ଡ। ଏହି ବିଜୟ ସହ ଇଂଲଣ୍ଡ ନିଜର ଦ୍ଵିତୀୟ ବିଶ୍ୱକପ୍‌ ଟ୍ରଫି ହାସଲ କରିଛି।

ଫାଇନାଲ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ ୧୩୭ ରନ୍ କରିଥିଲା ପାକିସ୍ତାନ।

ପାକିସ୍ତାନ ପକ୍ଷରୁ ଅଧିନାୟକ ବାବର ଆଜମ ୨୮ ବଲ୍‌ରେ ୩୨ ରନ୍ ଓ ଶାନ ମସୁଦ ୨୮ ବଲ୍‌ରେ ୩୮ ରନ୍ କରିଥିବା ବେଳେ ଅନ୍ୟ  ବ୍ୟାଟସ୍‌ମ୍ୟାନମାନେ ଭଲ ପ୍ରଦର୍ଶନ କରିପାରିନଥିଲେ। ଇଂଲଣ୍ଡ ପକ୍ଷରୁ ସାମ୍ କରନ୍ ୪ ଓଭରରେ ୧୨ ରନ ଦେଇ ୩ଟି ୱିକେଟ ନେଇଥିବା ବେଳେ କ୍ରିସ୍ ଜୋର୍ଡାନ୍ ଓ ଆଦିଲ ରସିଦ ୨ଟି ଲେଖାଏଁ ୱିକେଟ ନେଇଥିଲେ। ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିବା ପାକିସ୍ତାନ ଇଂଲଣ୍ଡ ଆଗରେ ୧୩୮ ରନର ବିଜୟ ଲକ୍ଷ୍ୟ ରଖିଥିଲା।

ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ପାକିସ୍ତାନର ସାହୀନ ଆଫ୍ରିଦି ପ୍ରଥମେ  ଇଂଲଣ୍ଡର ଅଲେକ୍ସ ହେଲସ୍‌ଙ୍କୁ ଆଉଟ କରିଥିଲେ। ପରେ ଇଂଲଣ୍ଡର ଅନ୍ୟ ବ୍ୟାଟସମ୍ୟାନମାନେ ମଧ୍ୟ ପାକିସ୍ତାନର ଘାତକ ବୋଲିଂର ଶିକାର ହୋଇଥିଲେ। ଇଂଲଣ୍ଡର ୪୫ ରନରେ ୩ଟି ୱିକେଟ ଯିବା ପରେ ବେନ୍ ଷ୍ଟୋକସ୍ ପଡ଼ିଆକୁ ଓହ୍ଲାଇଥିଲେ। ଷ୍ଟୋକସ୍ ୪୯ ବଲ୍‌ରେ ୫୨ ରନର ଅପରାଜିତ ଇନିଂସ୍‌ ଖେଳି ଇଂଲଣ୍ଡକୁ ବିଜୟୀ କରିଥିଲେ।

ଫାଇନାଲ ମ୍ୟାଚରେ ଭଲ ପ୍ରଦର୍ଶନ କରି ସାମ୍ କରନ୍ ମ୍ୟାନ ଅଫ୍ ଦି ମ୍ୟାଚ୍ ସହିତ ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ମଧ୍ୟ ହାସଲ କରିଛନ୍ତି।

ଏହି ବିଜୟ ସହିତ ଇଂଲଣ୍ଡ ଦ୍ୱିତୀୟ ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ପୂର୍ବରୁ ୨୦୧୦ ମସିହାରେ ଇଂଲଣ୍ଡ ଟି-୨୦ ବିଶ୍ୱକପ୍‌ ଚାମ୍ପିୟାନ ହୋଇଥିଲା।

Tags: #T20WorldCup #England #Winner #Pakistan #Defeated

LEAVE A REPLY

Please enter your comment!
Please enter your name here