ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରାମାଞ୍ଚଳର ଲୋକମାନଙ୍କୁ କାମ ଯୋଗାଇବା ପାଇଁ ଆରମ୍ଭ କରାଯାଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ସରକାର ପରିବର୍ତ୍ତନ କରିବେ। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ଏହି ଯୋଜନରେ ଯେଭଳି ଗରିବ ଲୋକମାନଙ୍କ ପାଖରେ ଅଧିକ ଲାଭ ପହଞ୍ଚିପାରିବ ସେଥିପାଇଁ ଆବଶ୍ୟକ ପରିବର୍ତ୍ତନ କରାଯିବ।
ଏବେ ଓଡ଼ିଶା ଓ ବିହାର ଭଳି ଗରିବ ରାଜ୍ୟ ତୁଳନାରେ ତାମିଲନାଡ଼ୁ ଓ ରାଜ୍ୟସ୍ଥାନ ଭଳି ଆର୍ଥିକ ସ୍ଵଚ୍ଛଳ ରାଜ୍ୟଗୁଡ଼ିକର ଲୋକମାନେ ଏହା ଦ୍ଵାରା ଅଧିକ ଉପକୃତ ହେଉଛନ୍ତି। ଗରିବ ଲୋକଙ୍କ ପାଖରେ ଏହି ଯୋଜନାର ଲାଭ ଅଧିକ ପହଞ୍ଚିବ ସେଥିଲାଗି ସ୍କିମ୍ରେ ପରିବର୍ତ୍ତନ କରାଯିବ। ବିଭିନ୍ନ ରାଜ୍ୟରେ ଯୋଜନାର ପ୍ରଦର୍ଶନ କାହିଁକି ଅଲଗା ରହୁଛି ତାହାକୁ କମିଟି ଅନୁଧ୍ୟାନ କରିବ।
ଏହି ଯୋଜନା ପାଇଁ ଆବଣ୍ଟିତ ପାଣ୍ଠିକୁ କିଭଳି ପାରଦର୍ଶୀ ଢଙ୍ଗରେ ବ୍ୟବହାର କରାଯିବ ଏବଂ ଦାରିଦ୍ର୍ୟ ଦୂର ହୋଇପାରିବ ସେଥିପାଇଁ ଯୋଜନାରେ ପରିବର୍ତ୍ତନ କରିବାକୁ କମିଟି ସୁପାରିସ କରିବ। ଏହି କମିଟି ଆସନ୍ତା ବର୍ଷ ଜାନୁଆରି ମାସରେ ରିପୋର୍ଟ ଦାଖଲ କରିବ।
୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଲାଗି ୭୩,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୨୦୨୦-୨୧ରେ ଏଥିପାଇଁ ୧.୧୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। କରୋନା ମହାମାରୀ ସମୟରେ ପ୍ରବାସୀ ଶ୍ରମିକମାନେ ନିଜ ଗାଁକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଫେରିଥିଲେ, ସେହି ସମୟରେ ଏହି ଯୋଜନା ହିଁ ସେମାନଙ୍କୁ ରୋଜଗାର ଦେବାରେ ବିଶେଷ ସହାୟକ ହୋଇଥିଲା
ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଯୋଜନା ହେଉଛି ମନରେଗା। ପ୍ରତିବର୍ଷ ଏହି ଯୋଜନା ପାଇଁ ଟଙ୍କା ଆବଣ୍ଟନ କରାଯାଉଛି। ଏଥିରେ ଗରିବ ଲୋକମାନଙ୍କୁ ବର୍ଷକୁ ୧୦୦ ଦିନର କାମ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି। ଶ୍ରମିକ ଆବଶ୍ୟକ ହେଉଥିବା କାର୍ଯ୍ୟ ଯଥା ସଡ଼କ, କୁଅ, ପୋଖରି ଆଦି ନିର୍ମାଣ କରିବା ଏବଂ ଗ୍ରାମୀଣ ଭିତ୍ତିଭୁମି ବିକାଶ କରିବାରେ ଏହି ଯୋଜନାର ପାଣ୍ଠି ବ୍ୟୟ କରାଯାଉଛି।
Tags: #MANREGAscheme #Villagelevel #RuraldevelopmentMinistry #India



















