ଓଡ଼ିଶାଲାଇଭ୍ ବ୍ୟୁରୋ

ଶୁକ୍ରବାର ମେକ୍ ଇନ୍ ଓଡ଼ିଶା କନକ୍ଲେଭର ୨୦୨୨ର ତୃତୀୟ ଦିନରେ ସ୍କିଲ୍ଡ ଇନ୍ ଓଡ଼ିଶାର ସେସନ ଆୟୋଜିତ ହୋଇଛି । ଏହି ଅବସରରେ ଓଡ଼ିଶା ସରକାର ଓ ସ୍କିଲ୍ ଓଡ଼ିଶା ଦେଶ ବିଦେଶରେ ଥିବା ବିଭିନ୍ନ ଶିଳ୍ପ ଓ ଶିକ୍ଷ୍ୟ ଅନୁଷ୍ଠାନ ସହ ୮ଟି ଏମଓୟୁ ସ୍ଵାକ୍ଷର କରିଛନ୍ତି। ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଓ ଅଭିଜ୍ଞତା ବିଷୟରେ ନିବେଶକମାନଙ୍କୁ ଅବଗତ କରାଇବା ଓ ସେମାନଙ୍କଠାରୁ କିଛି ନୂଆ ଶିଖିବା ଉଦ୍ଦେଶ୍ୟରେ ଏହି ସେସନ ଆୟୋଜିତ ହୋଇଯାଇଛି।

ଏହି ସେସନରେ ସ୍କିଲ୍ଡ ଇନ୍ ଓଡ଼ିଶାର ଏକ ପୁସ୍ତିକା ଉନ୍ମୋଚନ କରାଯାଇଛି। ଏହାସହ ମେକ୍ ଇନ୍ ଓଡ଼ିଶା ସ୍ମାର୍ଟ ହାକାଥନରେ କୃତିତ୍ଵ ଅର୍ଜନ କରିଥିବା ୬୬ଟି ଦଳକୁ ପୁରସ୍କୃତ କରାଯାଇଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା ଆଦି ବିଷୟରେ ନୂତନ ଜ୍ଞାନ ଓ ଉଦ୍ଭାବନଗୁଡିକୁ ପ୍ରୋତ୍ସାହନ ଦେବା ପାଇଁ  ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖରେ ଏହି ସ୍ମାର୍ଟ ହାକାଥନ ହୋଇଥିଲା।

ଓଡ଼ିଶା ସରକାର, ସ୍କିଲ୍ ଓଡ଼ିଶା ଓ ୱାର୍ଲ୍ଡ ସ୍କିଲ ସେଣ୍ଟର ତରଫରୁ ରାଜ୍ୟରେ ଦକ୍ଷତା ଓ ଷ୍ଟାର୍ଟଅପମାନଙ୍କ ବିକାଶ ଦିଗରେ ଆଇବିମ ସିଷ୍ଟମ୍, ଇଭୋସ ବିଲ୍ଡକନ, ଏସଏମଏସ ଗ୍ରୁପ୍ , ହେକ୍ସାଗନ ସିଷ୍ଟମ୍,ସିଙ୍ଗାପୁରର ଆଇଟିଇ ଏଜୁକେଶନ ସର୍ଭିସ ଓ ଟାଟା ଷ୍ଟିଲ ଭଳି ଅନୁଷ୍ଠାନ ସହ ଏମଓୟୁ ସ୍ଵାକ୍ଷର କରିଛନ୍ତି।

“ମେକ୍ ଇନ୍ ଓଡ଼ିଶା ରାଜ୍ୟରେ ଦକ୍ଷତା ବିକାଶ ପାଇଁ ଏକ ଉନ୍ନତ ମାଧ୍ୟମ ସାଜିଛି। ଏହା ଓଡ଼ିଶାକୁ ଏକ ସ୍କିଲ୍ ହବରେ ପରିଣତ କରିଛି। ଆଗକୁ ଓଡ଼ିଶା ଭାରତରେ ଦକ୍ଷତା ବିକାଶ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଲୋକମାନଙ୍କ ଦକ୍ଷତା ବିକାଶ ପାଇଁ ବହୁତ ସମ୍ବଳ ଆବଶ୍ୟକ ହୋଇଥାଏ। ଓଡ଼ିଶା ଏହା କରିବାରେ ସଫଳ ହୋଇଥିବାରୁ ମୁଁ ବହୁତ ଖୁସି।”, କହିଛନ୍ତି ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ।

“ଓଡ଼ିଶାର ଦକ୍ଷତା ବିକାଶ କ୍ଷେତ୍ରରେ ଅତି ପ୍ରଶଂସନୀୟ ଉନ୍ନତି ଲାଭ କରିଛି। ଓଡ଼ିଶାର ଏହି ଯାତ୍ରାରେ ଆଇଟିଇ ଏଜୁକେଶନ ସର୍ଭିସ ସାଥି ହେବା ଆମ ଦୁହିଁଙ୍କ ପାଇଁ ଲାଭଦାୟକ ହେବ। ଓଡ଼ିଶା ଏହି ମେକ୍ ଇନ୍ ଓଡ଼ିଶା ଆୟୋଜନ କରିଥିବାରୁ ମୁଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି।”, କହିଛନ୍ତି ଆଇଟିଇ ଏଜୁକେଶନ ସର୍ଭିସର ସିଇଓ ବ୍ରୁଶ ପୋହ।

ଏହି ସେସନରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ , ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ସିଙ୍ଗାପୁରର କାଉନସିଲ ଜେନେରାଲ୍ ଚୋମିଙ୍ଗ ଫୁନସର, ସିଙ୍ଗାପୁରର ଆଇଟିଇ ଏଜୁକେଶନ ସର୍ଭିସର ସିଇଓ ବ୍ରୁଶ ପୋହ, ୱାର୍ଲ୍ଡ ସ୍କିଲ ସେଣ୍ଟର ର ସିଇଓ ଅଳକା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Tags: #MakeInOdishaConclave2022 #SkilledinOdishaSession #Investers #SkillDevelopment #Odisha

Comment