ଓଡ଼ିଶାଲାଇଭ୍ ବ୍ୟୁରୋ

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ୨୦୨୨ ପରିପ୍ରେକ୍ଷୀରେ ଶୁକ୍ରବାର ଷ୍ଟାର୍ଟଅପ ଓଡ଼ିଶା ଇକୋସିଷ୍ଟମର ଏକ ସେସନ ଭୁବନେଶ୍ଵରସ୍ଥିତ ଓ-ହବରେ ଆୟୋଜିତ ହୋଇଛି । ଓଡ଼ିଶାରେ ଷ୍ଟାର୍ଟଅପ ଇକୋସିଷ୍ଟମର ଅଗ୍ରଗତି, ଏଠାରେ ଷ୍ଟାର୍ଟଅପକୁ ମିଳୁଥିବା ସୁବିଧା ଓ ଷ୍ଟାର୍ଟଅପ କ୍ଷେତ୍ରରେ ଥିବା ସମ୍ଭାବନା ବିଷୟରେ ଆଲୋଚନା ପାଇଁ ଆୟୋଜନ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ତଥା ସମାଜର ଉନ୍ନତିରେ ଷ୍ଟାର୍ଟଅପମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି।

“ଆଜିକାଲିର ଷ୍ଟାର୍ଟଅପମାନେ ନୂତନ ଜିନିଷମାନ ବାହାରକରି ଲୋକମାନଙ୍କ ଜୀବନଶୈଳୀକୁ ସହଜ ବେନେଇବାରେ ଲାଗିଛନ୍ତି।  ଓଡ଼ିଶାରେ ଷ୍ଟାର୍ଟଅପ ଇକୋସିଷ୍ଟମ ଆଗକୁ ଆସି ତୃଣମୂଳ ସ୍ତରରେ ଲୋକମାନଙ୍କ ଜୀବନକୁ ଆହୁରି ଉନ୍ନତ କରିବା ପାଇଁ ଲାଗି ଯିବାକୁ ପଡିବ। ଷ୍ଟାର୍ଟଅପମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଟେକ୍ନୋଲୋଜି ବ୍ୟବହାର କରି ଆଗକୁ ବଢିଲେ ରାଜ୍ୟ ତଥା ଦେଶର ଜିଡିପି ଆଗକୁ ବଢିବ। ଓଡ଼ିଶା ସରକାରଙ୍କ ଷ୍ଟାର୍ଟଅପ ଯାତ୍ରା ରାଜ୍ୟର କୋଣଅନୁକୋଣରୁ ୧୦ହଜାର ଛାତ୍ରଛାତ୍ରୀଙ୍କୁ ଯୋଡି ସେମାନଙ୍କୁ ଠାରୁ ୩୦୦ ରୁ ଅଧିକ ଆଇଡିଆ ଆଣିବାରେ ସଫଳ ହୋଇଥିଲା ୨୦୨୫ ସୁଦ୍ଧା ଓଡିଶାରୁ ୫୦୦୦ଷ୍ଟାର୍ଟଅପ ବହରିବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ” କହିଛନ୍ତି ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ।

“ଗୋଟେ ଆଇଡିଆକୁ ବିଜନେସ ବନେଇ ଲକ୍ଷ୍ୟ ହାସଲ କରିବା ହେଉଛି ଉଦ୍ୟୋଗ,ଏହାହିଁ ଷ୍ଟାର୍ଟଅପର ମୂଳମନ୍ତ୍ର।ଏବେ ଭାରତରେ ଡିଜିଟାଲ କ୍ରାନ୍ତି ଆସିଛି। ଓଡ଼ିଶାରେ ଷ୍ଟାର୍ଟଅପମାନଙ୍କୁ ଏହା ବହୁଳ ଭାବେ ସହାୟ ହେଉଛି। ଏବେ ଓଡ଼ିଶାର ଷ୍ଟାର୍ଟଅପମାନଙ୍କୁ ଯେଉଁଭଳି ସୁବିଧା ସୁଯୋଗ ମିଳୁଛି ତାହା ଆଗରୁ ମିଳୁନଥିଲା। ଓଡ଼ିଶାର ଷ୍ଟାର୍ଟଅପ ପଲିସି ବହୁତ ଭଲ।   ଷ୍ଟାର୍ଟଅପମାନଙ୍କ ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର ସେମାନଙ୍କୁ ଆହୁରି ଆଗକୁ ନେବା ସହ ଓଡ଼ିଶାକୁ ଉନ୍ନତ କରିବ। ଆଗକୁ ଓଡ଼ିଶାର ସହର ଗୁଡିକ ବିଶ୍ଵସ୍ତରୀୟ ହେବ।” କହିଛନ୍ତି ଆଇଆଇଏମ ସମ୍ବଲପୁରର ଡାଇରେକ୍ଟର ମହାଦେବ ଜୈସୱାଲ୍।

“ଓଡ଼ିଶା ଟେକ୍ନୋଲୋଜିର ବ୍ୟବହାର କରି ଶିକ୍ଷା, ସ୍ଵାସ୍ଥ୍ୟ, ବିପର୍ଜୟ ପରିଚାଳନା ଆଦି କ୍ଷେତ୍ରରେ କାମ କରିବା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ, ବାତ୍ୟା ଫନିର ମୁକାବିଲା ଏହାର ଉଦାହରଣ। ଉନ୍ନତ ଟେକ୍ନୋଲୋଜିର ବ୍ୟବହାର ଓଡ଼ିଶାରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ଆହୁରି ମଜବୁତ କରିବ।”, କହିଛନ୍ତି ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ଅଧ୍ୟକ୍ଷ ରଜିତା କୁଲକର୍ଣୀ।

ଏହି ସେସନରେ ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ, ଆଇଆଇଏମ ସମ୍ବଲପୁରର ଡାଇରେକ୍ଟର ମହାଦେବ ଜୈସୱାଲ୍, ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ଅଧ୍ୟକ୍ଷ ରଜିତା କୁଲକର୍ଣୀ ନିଜର ବକ୍ତବ୍ୟ ରଖଛନ୍ତି।ଏହାସହ ପରବର୍ତ୍ତୀ ସେସନରେ କର୍ନାଟକ ଡିଜିଟାଲ ଇକୋନୋମିକ ମିଶନର ସିଇଓ ସଂଜୀବ କୁମାର ଗୁପ୍ତା, ନିଷ୍ଟ ବ୍ରହ୍ମପୁରର ଅଧ୍ୟକ୍ଷ ସୁଶାନ୍ତ କୁମାର ମହାପାତ୍ର, ଡେଲଏଟର ଡାଇରେକ୍ଟର ଅଜୟ କୁମାର ମହାନ୍ତି, ଇଣ୍ଡିଆ କ୍ୟାପିଟାଲର ସିଇଓ ରାଜ ମିଶ୍ର ପ୍ରମୁଖ ଯୋଗ ଦେଇ ଓଡ଼ିଶାରେ ଷ୍ଟାର୍ଟଅପ ଇକୋସିଷ୍ଟମ ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖିଛନ୍ତି। ଏହି ସମୟରେ ବକ୍ତାମାନେ ଉପସ୍ଥିତ ଲୋକମାନଙ୍କ ସହ ଷ୍ଟାର୍ଟଅପ୍‌ ଏବଂ ବାଣିଜ୍ୟ ସମ୍ବନ୍ଧୀୟ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ କରିଛନ୍ତି।

Tags: #MakeInOdishaConclave2022 #StartupOdishaEcosystem #Investers #SkillDevelopment #Odisha

Comment