ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦା ସହରରେ ଅଜଗର ସାପ ଉଦ୍ଧାର। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସଟିଆର)ର ଅଧିକାରୀ ଓ କର୍ମଚାରୀ ସାପଟିକୁ ଉଦ୍ଧାର କରି ନିରାପଦ ସ୍ଥାନରେ ରଖିଛନ୍ତି। ସାପଟିର ଡାକ୍ତରୀ ପରୀକ୍ଷା ପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ଏସଟିଆର ପକ୍ଷରୁ ସୂଚନା ଦିଆଯାଇଛି।

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ସରପଙ୍ଖା ଗ୍ରାମରେ ଗୁରୁବାର ସକାଳେ ମାଛ ଜାଲରେ ଏକ ବିଶାଳ ଅଜଗର ଫସିରହିଥିବା ଗ୍ରାମବାସୀ ଦେଖିଥିଲେ। ଅଜଗରକୁ ଉଦ୍ଧାର କରିବା ପାଇଁ ଭଞ୍ଜପୁରସ୍ଥିତ ଏକ ବେସରକାରୀ ସ୍ନେକ ହେଲ୍ପ ଲାଇନ କ୍ଲବର ସଦସ୍ୟକୁ ଖବର ଦେବା ପରେ ସେମାନେ ସେଠାରେ ପହଞ୍ଚି ସାପକୁ ଉଦ୍ଧାର କରି କୁଳିଅଣା ବଜାରରେ ଦୀର୍ଘ ସମୟ ଧରି ଲୋକଙ୍କ ସମ୍ମୁଖରେ ସାପ ସହ ଖେଳିଥିଲେ ଏବଂ ସାପକୁ ଧରି ବାରିପଦା ସହରର ବିଭିନ୍ନ ଜନଗହଳି ସ୍ଥାନରେ ବୁଲାଉଥିଲେ। ବାଟରେ ଯାଉଥିବା ବେଳେ ଲୋକମାନେ ମୋବାଇଲରେ ଫଟୋ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପ୍ରଘଟ ମଧ୍ୟ କରିଛନ୍ତି।

ବିଲୁପ୍ତପ୍ରାୟ ବା ସିଡ୍ୟୁଲ୍ଡ-୧ ପ୍ରଜାତିର ପ୍ରାଣୀମାନଙ୍କୁ ଉଦ୍ଧାର କରିବା ପୂର୍ବରୁ ସ୍ଥାନୀୟ ରେଞ୍ଜ ଅଫିସର କର୍ମଚାରୀ ଉପସ୍ଥିତ ରହିବା ନିୟମ ରହିଛି। କିନ୍ତୁ ବନ୍ୟ ବିଭାଗକୁ ଯୋଗାଯୋଗ ନକରି ସାପ ଉଦ୍ଧାର କରି ବଜାରରେ ବୁଲିବୁଲି ଦେଖାଇବା ଓ ସର୍ବସାଧାରଣରେ ସାପ ଧରି ସେଲଫି ଓ ଫଟୋ ଉଠାଇବା ଘଟଣା ସମସ୍ତଙ୍କୁ ଚକିତ କରିଛି।

ଏପରିକି ସାପଟିକୁ ହାତରେ ଧରିଥିବା ଯୁବତୀ ଜଣକ ଅନଭିଜ୍ଞ ଥିବା ବେଳେ ସାପଟିକୁ ଅସୁରକ୍ଷିତ ଭାବେ ଧରିଥିବା ଦେଖିବାକୁ ମିଳିଛି ।ଏହି ପ୍ରଜାତିର ପ୍ରାଣୀକୁ ଉଦ୍ଧାର କରିବା ପରେ ସୁରକ୍ଷିତ ଭାବେ କୌଣସି ବ୍ୟାଗ କିମ୍ବା ଥଳି ବ୍ୟବହାର କରି ସାପକୁ ବନ୍ୟ ବିଭାଗକୁ ହସ୍ତାନ୍ତର କରିବା ଉଚିତ। କିନ୍ତୁ ଖୋଲମଖୁଲା ସାପକୁ ଧରି ବୁଲିବା ଘଟଣାକୁ ବନ୍ୟଜନ୍ତୁ ପ୍ରେମୀ ନାପସନ୍ଦ କରିଛନ୍ତି। ସାପଟିର ବୟସ ୨ବର୍ଷ ଅନୁମାନ କରାଯାଉଥିବା ବେଳେ ଏହାର ଲମ୍ବ ୧୧ଫୁଟ ହେବା ସହ ୧୫ରୁ ୧୭କେଜି ଓଜନ ଥିବା ଜଣାପଡ଼ିଛି।

Tags: #SnakeRescue #Mayurbhanj #Baripada #SnakeHelpLine #ForestDepartment #Odisha

Comment