ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ଭାରତରେ ପହଁଞ୍ଚିଛି ୩୬ତମ ରାଫେଲ ଯୁଦ୍ଧ ବିମାନ। ଭାରତୀୟ ବାୟୁସେନାର ପାଇଲଟ ସିଧାସଳଖ ଫ୍ରାନ୍ସରୁ ଏହି ଲଢୁଆ ବିମାନକୁ ଉଡ଼ାଇ ଭାରତରେ ଅବତରଣ କରାଇଛନ୍ତି। ଯାତ୍ରା ସମୟରେ ୟୁଏଇ ବାୟୁସେନା ସହାୟତାରେ ଏହି ବିମାନରେ ଆକାଶରେ ଇନ୍ଧନ ଭରାଯାଇଥିଲା। ଏହି କ୍ରମରେ ଫ୍ରାନ୍ସରୁ ଯେତିକି ରାଫେଲ ବିମାନ ଆସିବା କଥା ତାହା ସମ୍ପୂର୍ଣ୍ଣ ହୋଇଛି।

ଏହି ଶେଷ ଲଢୁଆ ବିମାନ ସହିତ ଚଳିତ ବର୍ଷ ବାୟୁସେନାରେ ସାମିଲ ହୋଇଥିବା ଆଉ ୪ଟି ରାଫେଲ ବିମାନରେ ଭାରତ କରିଥିବା ସ୍ଵତନ୍ତ୍ର ପରିବର୍ତ୍ତନ ସାମିଲ ଅଛି। ଏଥିରେ ଭାରତୀୟ ବାୟୁ ସେନାର ଆବଶ୍ୟକତା ଅନୁସାରେ ରାଡାର, ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ ଭଳି ସରଞ୍ଜାମରେ ଉନ୍ନତିକରଣ କରାଯାଇଛି। ଏହି ବିମାନଗୁଡ଼ିକ ଫ୍ରାନ୍ସରେ ଭାରତୀୟ ବାୟୁସେନାର ପାଇଲଟମାନଙ୍କୁ ପ୍ରଶିକ୍ଷଣ ଦେବାରେ ବ୍ୟବହାର କରାଯାଉଥିଲା। ଯାହାଫଳରେ ସେମାନେ ଏହି ବିମାନରେ ଲାଗିଥିବା ଉତ୍କୃଷ୍ଟ ସରଞ୍ଜାମ ଓ ନୂତନ ଟେକ୍ନୋଲୋଜି ସହ ଭଲଭାବେ ପରିଚିତ ହୋଇପାରିବେ। ଏହି ବିମାନଟିକୁ ଏବେ ଭାରତୀୟ ସାମରିକ ପରିବେଶରେ ଆଉ ଅଧିକ ପରୀକ୍ଷଣ କରାଯିବ, ସେଥିରୁ ଯେଉଁ ତଥ୍ୟ ମିଳିବ ସେହି ଅନୁଯାୟୀ ବାୟୁସେନାରେ ପୂର୍ବରୁ ସାମିଲଥିବା ଅନ୍ୟ ରାଫେଲ ବିମାନଗୁଡିକୁ ଅପଗ୍ରେଡ କରାଯିବ।

୨୦୧୬ ମସିହାରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ୫୯ ହଜାର କୋଟି ଟଙ୍କାର ଏକ ରାଫେଲ ଚୁକ୍ତି ସ୍ଵାକ୍ଷର ହୋଇଥିଲା। ଭାରତ ଫ୍ରାନ୍ସଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ନେଇ ଏହି ଚୁକ୍ତିରେ ଉଲ୍ଲେଖ ଥିଲା। ଏହି କ୍ରମରେ ୨୦୨୦ ଜୁଲାଇମାସରେ ପ୍ରଥମ ପାଞ୍ଚଟି ରାଫେଲ ଯୁଦ୍ଧ ବିମାନ ଭାରତରେ ପହଁଞ୍ଚିଥିଲା।

Tags: #IndianAirForce #RafaleFighterJet #RafaelDeal #India #France #ରାଫେଲଯୁଦ୍ଧବିମାନ

Comment