ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଷ ହକି ବିଶ୍ୱକପରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଗ୍ରୁପ୍ ‘ବି’ ମ୍ୟାଚ। ମଙ୍ଗଳବାର ବେଲଜିୟମ ଓ ଜର୍ମାନୀ ମଧ୍ୟରେ ହୋଇଥିବା ମୁକବିଲାଟି ୨-୨ ଗୋଲରେ ଡ୍ର ରହିଛି। ୟୁରୋପର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଟକ୍କର ହୋଇଥିବା ସ୍ୱତ୍ତେ କିଛି ଫଳାଫଳ ମିଳିପାରି ନାହିଁ। ମ୍ୟାଚ ଡ୍ର ରହିବା ଯୋଗୁଁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ କରିଛନ୍ତି। ମ୍ୟାଚରେ ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଜର୍ମାନୀର ନିକୋଲାସ ୱେଲେନ ‘ପ୍ଲେୟର ଅଫ୍‌ ଦି ମ୍ୟାଚ’ ବିବେଚିତ ହୋଇଛନ୍ତି।

ମଙ୍ଗଳବାର ସନ୍ଧ୍ୟା ୭ଟାରେ ବେଲଜିୟମ-ଜର୍ମାନୀ ମ୍ୟାଚ ଆରମ୍ଭ ହୋଇଥିଲା। ଉଭୟ ଦଳ ଆକ୍ରମଣାତ୍ମକ ହକି ଖେଳି ଅଗ୍ରଣୀ ନେବାକୁ ଉଦ୍ୟମ କରିଥିଲେ। ଗତଥରର ଚାମ୍ପିୟନ ବେଲଜିୟମ ଏଥିରେ ସାମାନ୍ୟ ଆଗୁଆ ହୋଇ ନବମ ମିନିଟରେ ଏକ ଏକ ଗୋଲ ଦେଇଥିଲା। ବେଲଜିୟମ ପକ୍ଷରୁ ସେଡ୍ରିକ୍ ଚାର୍ଲିୟର ଏହି ଗୋଲ ଦେଇଥିଲେ।

ଏହାପରେ ଜର୍ମାନୀର ଖେଳାଳି ଲାଢୁଆ ପ୍ରଦର୍ଶନ ଆରମ୍ଭ କରିଥିଲେ। ମ୍ୟାଚର ୨୨ତମ ମିନିଟ ଓ ଶେଷ ଆଡ଼କୁ ୫୨ତମ ମିନିଟରେ ଜର୍ମାନୀ ୨ଟି ଗୋଲ ଦେଇ ଅଗ୍ରଣୀ ହୋଇଥିଲା। ଦଳ ପକ୍ଷରୁ ନିକୋଲାସ ୱେଲେନ ଓ ଟମ୍ ଗ୍ରାମବୁସ ଗୋଲ ସ୍କୋର କରିଥିଲେ। ମ୍ୟାଚରେ ବେଲଜିୟମର ଖେଳାଳି ଆପ୍ରାଣ ଉଦ୍ୟମ କରିଥିଲେ। ମୁକାବିଲା ଶେଷ ହେବାକୁ ଆଉ ୬ ମିନିଟ ବାକି ଥିବାବେଳେ ବେଲଜିୟମର ଭିକ୍ଟର ୱେଗନେଜ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚ ବରାବର କରିଦେଇଥିଲେ। ତାଙ୍କର ଏହି ଗୋଲ ବେଲଜିୟମକୁ ପରାଜୟରୁ ରକ୍ଷା କରିଥିଲା।

ଉଭୟ ବେଲଜିୟମ ଓ ଜର୍ମାନୀ ଚଳିତ ବିଶ୍ଵକପରେ ଗୋଟିଏ ମ୍ୟାଚ ଜିତି ଓ ଗୋଟିଏ ମ୍ୟାଚ ଡ୍ର ରଖି ୪ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ତେବେ ଗୋଲ ବ୍ୟବଧାନରେ ଆଗୁଆ ଥିବାରୁ ବେଲଜିୟମ ଗ୍ରୁପ୍ ଶୀର୍ଷରେ ରହିଛି। ଏବେ ବେଲଜିୟମ ଦଳ ଜାପାନ ସହ ଏବଂ ଜର୍ମାନୀ ଦଳ ଦକ୍ଷିଣ କୋରିଆ ସହ ଶେଷ ଗ୍ରୁପ୍ ମ୍ୟାଚ ଖେଳିବେ। ଏହି ଦୁଇଟି ମ୍ୟାଚ ଜାନୁଆରି ୨୦ ତାରିଖରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ।

Tags: #HockeyMen’sWorldCup #Groupstage #Belgium #Germany #MatchDraw #kalingaStadium #Hockey #India #Odisha

Comment