ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵକପରେ ଭାରତ ଖେଳିବ ନିଜର ଅନ୍ତିମ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ। ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ୱେଲ୍ସ ବିପକ୍ଷରେ ଟିମ୍ ଇଣ୍ଡିଆ କରିବ ମୁକାବିଲା।ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଏହି ମ୍ୟାଚ। ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ। ମ୍ୟାଚରେ ଭାରତକୁ ବୃହତ୍‌ ଗୋଲ ବ୍ୟବଧାନରେ ଓ୍ବେଲ୍ସକୁ ହରାଇବାକୁ ପଡ଼ିବ। ଭାରତୀୟ ଦଳ ପ୍ରଥମ ୨ଟି ମ୍ୟାଚ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳିଥିବାବେଳେ ଚଳିତ ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଖେଳିବ।

ଗ୍ରୁପ୍ ପର୍ଯ୍ୟାୟରେ ୨ଟି ଲେଖାଏଁ ମ୍ୟାଚ ଶେଷ ହୋଇଛି। ଗ୍ରୁପ୍ ‘ଡି’ର ଭାରତ ବର୍ତ୍ତମାନ ଦ୍ଵିତୀୟ ସ୍ଥାନରେ ରହିଛି। ଭାରତ ଏହାର ପ୍ରଥମ ମ୍ୟାଚରେ ସ୍ପେନ୍‌କୁ ୨-୦ ଗୋଲରେ ହରାଇଥିବାବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ଏହାର ପ୍ରଥମ ମ୍ୟାଚକୁ ଓ୍ବେଲ୍ସ ବିପକ୍ଷରେ ୫-୦ ଗୋଲରେ ଜିତିଥିଲା। ଗୋଲ ବ୍ୟବଧାନରେ ଇଂଲଣ୍ଡ ଆଗରେ ରହି ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି।

ଗ୍ରୁପରେ ଇଂଲଣ୍ଡର ଗୋଲ ବ୍ୟବଧାନ +୫ ଥିବାବେଳେ ଭାରତର +୨ ରହିଛି। ତେଣୁ ଓ୍ବେଲ୍ସ ବିପକ୍ଷରେ ବୃହତ୍‌ ବିଜୟ ହିଁ କେବଳ ଭାରତକୁ ସିଧାସଳଖ କ୍ୱାର୍ଟର ଫାଇନାଲକୁ ନେଇଯାଇ ପାରିବ। ନଚେତ୍ ଭାରତକୁ କ୍ରସ୍ଓଭର ପର୍ଯ୍ୟାୟର ଜଟିଳତା ମଧ୍ୟରେ ପ୍ରବେଶ କରିବ ତେବେ ଗୁରୁବାର ଇଂଲଣ୍ଡ ଓ ସ୍ପେନ ମଧ୍ୟରେ ଆଗେ ମ୍ୟାଚ ହେଉଥିବାରୁ ଭାରତକୁ କେତେ ଗୋଲ ବ୍ୟବଧାନରେ ମ୍ୟାଚ ଜିତିବାକୁ ହେବ ତାର ଏକ ଲକ୍ଷ୍ୟ ମିଳିପାରିବ।

କ୍ରସ୍ଓଭର ମୁକାବିଲା କ’ଣ ?

ବିଶ୍ଵକପର ନିୟମ ଅନୁସାରେ ପ୍ରତି ଗ୍ରୁପର କେବଳ ଶୀର୍ଷ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଯୋଗ୍ୟତା ପାଇବ। ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିବା ଦଳ କ୍ରସ୍‌ଓଭର ମ୍ୟାଚ ଖେଳିବେ। କ୍ରସ୍ଓଭର ପର୍ଯ୍ୟାୟରେ ଗ୍ରୁପ୍ ‘ଡି’ର ଦ୍ଵିତୀୟ ସ୍ଥାନରେ ଥିବା ଦଳ ଗ୍ରୁପ୍ ‘ସି’ର ତୃତୀୟ ସ୍ଥାନରେ ଥିବା ଦଳ ସହ ମ୍ୟାଚ ଖେଳିବ।

ଅନ୍ୟପଟେ ଆଉ ଏକ କ୍ରସ୍ଓଭର ମୁକାବିଲାରେ ଗ୍ରୁପ୍ ‘ସି’ର ଦ୍ଵିତୀୟ ସ୍ଥାନରେ ଥିବା ଦଳ ଗ୍ରୁପ୍ ‘ଡି’ର ତୃତୀୟ ସ୍ଥାନରେ ଥିବା ଦଳ ସହ ମ୍ୟାଚ ଖେଳିବ। ଏହି ମ୍ୟାଚ ଗୁଡିକରେ ଜିତିବା ଦଳ ଶେଷରେ କ୍ୱାର୍ଟର ଫାଇନାଲକୁ ଯିବ। ଗ୍ରୁପ୍ ‘ଏ’ ଓ ଗ୍ରୁପ୍ ‘ବି’ରେ ମଧ୍ୟ ସମାନ ମୁକାବିଲା ହେବ।

Tags: #HockeyMen’sWorldCup #IndiaVsWales #KalingaStadium #LastGroupMatch #GroupD #HWC2023 #Odisha

Comment