ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ଵକପ ୨୦୨୩ର ଗ୍ରୁପ୍ ପର୍ଯ୍ୟାୟ ଅନ୍ତିମ ସ୍ଥିତିରେ ପହଞ୍ଚିଛି। ସବୁ ଦଳ ୨ଟି ଲେଖାଏଁ ମ୍ୟାଚ ଖେଳି ସାରିଥିବାବେଳେ ଗୁରୁବାରଠାରୁ ତୃତୀୟ ତଥା ଶେଷ ଗ୍ରୁପ୍ ମ୍ୟାଚ ଖେଳିବେ। ଏହି ମ୍ୟାଚଗୁଡ଼ିକ ବିଶ୍ଵକପରେ ଦଳର ସ୍ଥିତିକୁ ନିର୍ଦ୍ଧାରିତ କରିବ। ଗୁରୁବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୪ଟି ମ୍ୟାଚ ଖେଳାଯିବ। ଦିନର ସମସ୍ତ ମ୍ୟାଚ ଶେଷ ହେବାପରେ ସନ୍ଧ୍ୟାରେ ବହୁ ପ୍ରତୀକ୍ଷିତ ଭାରତ-ୱେଲ୍ସ ମୁକାବିଲା ହେବ।

ଗୁରୁବାର ବିଶ୍ଵକପର ପ୍ରଥମ ମ୍ୟାଚ ମାଲେସିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଗ୍ରୁପ୍ ‘ସି’ର ଏହି ମ୍ୟାଚଟି କଳିଙ୍ଗ ଷ୍ଟାଡିୟମରେ ଦିନ ୧ଟା ବେଳେ ଆରମ୍ଭ ହେବ। ଅଧିନାୟକ ନିକ ଉଡ୍ସଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଖେଳିବାକୁ ଆସିବା ବେଳେ ମାରହନ ଜଲିଲ ମାଲେସିଆ ଦଳର ନେତୃତ୍ୱ ନେବେ। ଉଭୟ ଦଳ ବିଶ୍ଵକପରେ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି।

ଗ୍ରୁପ ‘ସି’ରେ ଗୁରୁବାର ନେଦରଲାଣ୍ଡସ ଓ ଚିଲି ମଧ୍ୟରେ ଦ୍ଵିତୀୟ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ସରିବା ପରେ ଅପରାହ୍ଣ ୩ଟା ବେଳେ ଏହି ମ୍ୟାଚଟି ଖେଳାଯିବ। ମ୍ୟାଚରେ ଥ୍ୟେରି ବ୍ରିଙ୍କମ୍ୟାନ ନେଦରଲାଣ୍ଡସ ଦଳର ନେତୃତ୍ୱ ନେବେ। ସେହିପରି ଫରନାଣ୍ଡୋ ରେଞ୍ଜଙ୍କ ଅଧିନାୟକତ୍ଵରେ ଖେଳିବ ଚିଲି ଦଳ। ନେଦରଲାଣ୍ଡସ ବିଶ୍ଵକପର ଦୁଇଟି ମ୍ୟାଚ ଜିତିସାରିଛି। ଅନ୍ୟପକ୍ଷରେ ଚିଲି ନିଜର ପ୍ରଥମ ଦୁଇଟି ମୁକାବିଲାରେ ପରାସ୍ତ ହୋଇଛି।

ଗ୍ରୁପ ‘ସି’ର ଦୁଇଟି ମ୍ୟାଚ ଶେଷ ହେବ ପରେ ଗ୍ରୁପ ‘ଡି’ର ମ୍ୟାଚ ଆରମ୍ଭ ହେବ। ଗ୍ରୁପର ପ୍ରଥମ ମ୍ୟାଚରେ ସ୍ପେନ ଓ ଇଂଲଣ୍ଡ ମୁହାଁ ମୁହିଁ ହେବେ। ଏହି ମ୍ୟାଚଟି ଅପରାହ୍ଣ ୫ଟା ବେଳେ ଆରମ୍ଭ ହେବ। ଉଭୟ ଦଳ ଏହି ମ୍ୟାଚ ଜିତିବାକୁ କଡ଼ା ସଂଘର୍ଷ କରିବେ। ସ୍ପେନ ବିଶ୍ଵକପରେ ଗୋଟିଏ ମ୍ୟାଚ ଜିତି ଥିବା ବେଳେ ଇଂଲଣ୍ଡ ଗୋଟିଏ ଜିତି ଓ ଗୋଟିଏ ମ୍ୟାଚ ଡ୍ର ରଖିଛି।

ଦିନର ସବୁ ମ୍ୟାଚ ପରେ ଗୁରୁବାର ସନ୍ଧ୍ୟାରେ ଭାରତ ଓ ୱେଲ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚକୁ ବଡ଼ ଗୋଲ ବ୍ୟବଧାନରେ ଜିତି ବିଶ୍ଵକପ କ୍ଵର୍ଟର ଫାଇନାଲ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିବ ଭାରତ। ଗ୍ରୁପ ‘ଡି’ର ଏହି ମ୍ୟାଚଟି ସନ୍ଧ୍ୟା ୭ଟା ବେଳେ ଖେଳାଯିବ। ହରମନପ୍ରିତ ସିଂହଙ୍କ ଭାରତର ନେତୃତ୍ୱ ନେବେ।

Tags: #HockeyMen’sWorldCup #Groupstage #India #Wales #Nederlands #Chile #Malaysia #NewZealand #England #Spain #Hockey #Odisha

LEAVE A REPLY

Please enter your comment!
Please enter your name here