ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ସୋମବାର ଭୋର ସମୟରେ ଏକ ବଡ଼ଧରଣର ବସ୍ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ବାଣିଗୋଛା ନିକଟରେ। ବସଟି ଏକ ଅଣଓସାରିଆ ପୋଲ ଦେହରେ ଧକ୍କା ହେବା ଫଳରେ ସମ୍ପୂର୍ଣ୍ଣ ଜଳିଯାଇଛି। ବସରେ ଥିବା ୪୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଣିଗୋଛା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିବା କହିଛନ୍ତି ଡାକ୍ତର କାଳିପ୍ରସାଦ ଷଢ଼ଙ୍ଗୀ। ଏହି ଦୁର୍ଘଟଣା ପରେ ବସ ଡ୍ରାଇଭର ଫେରାର ହୋଇଯାଇଛି।

ବୌଦ୍ଧ ଜିଲ୍ଲା ଚାରିଛକ, ପୁରୁଣା କଟକ, ବାଉଁସୁଣୀ, ଆଠମଲ୍ଲିକ ଓ ମନମୁଣ୍ଡା ଆଦି ଅଞ୍ଚଳର କିଛି ରୋଗୀ ଖୋର୍ଦ୍ଧା ଜିଲ୍ଲା କୁହୁଡ଼ି ଅଞ୍ଚଳର ଏକ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରୁଥିଲେ। ସରକାରୀ ସ୍ୱାସ୍ଥ୍ୟ ବୀମା ଯୋଜନାରେ ରୋଗୀମାନଙ୍କର ଚିକିତ୍ସା କରାଯିବା ପରେ ସେମାନେ ଏକ ସ୍ୱତନ୍ତ୍ର ବସ ଯୋଗେ ବୌଦ୍ଧ ଅଞ୍ଚଳକୁ ପେରୁଥିଲେ। ରୋଗୀଙ୍କ ସମେତ ସେମାନଙ୍କ ସମ୍ପର୍କୀୟଙ୍କୁ ମିଶାଇ ପ୍ରାୟ ୪୦ ଜଣ ବସରେ ଯାଉଥିଲେ। ୫୭ ନମ୍ବର ଜାତୀୟ ରାଜପଥ ବାଣିଗୋଛା ନିକଟରେ ବସଟି ଏକ ଅଣଓସାରିଆ ପୋଲ ସହ ଧକ୍କା ହୋଇଥିଲା। ଫଳରେ ବସଟି ନିଆଁ ଲାଗି ଜଳିବା ଆରମ୍ଭ କରିଥିଲା। 

ଖବର ପାଇ ଦଶପଲ୍ଲା ଅଗ୍ନୀଶମ ବାହୀନି ଦୁର୍ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ଜିନିଷ ପତ୍ର ବସ ସହ ଜଳି ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

Tags: #Nayagarh #BusAccident #Injured

Comment