ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଚାଲିଥିବା ହକି ପୁରୁଷ ବିଶ୍ଵକପର ପରିସମାପ୍ତି ଘଟିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ଵକପ ଫାଇନାଲରେ ବେଲଜିୟମକୁ ପରାସ୍ତ କରି ଜର୍ମାନୀ ଚାମ୍ପିୟାନ୍‌ ହୋଇଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଜର୍ମାନୀ ପେନାଲ୍ଟି ସୁଟଆଉଟ୍ ସଡନଡେଥରେ ୫-୪ ଗୋଲ୍‌ରେ ବେଲଜିୟମକୁ ପରାସ୍ତ କରଛି। ଏହି ମ୍ୟାଚରେ ବାଜି ମାରି ଜର୍ମାନୀ ତୃତୀୟଥର ଲାଗି ବିଶ୍ଵକପ ଚାମ୍ପିୟନ ହୋଇଛି।

ଫାଇନାଲ ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପାଇଁ ଜର୍ମାନୀର ନିକଲାସ ୱେଲେନ ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି। ସେହିପରି ୩ୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡସ୍ ୩-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି।

ରବିବାର କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ଜର୍ମାନୀ-ବେଲଜିୟମ ଫାଇନାଲ ମ୍ୟାଚ। ଉଭୟ ଦଳ ବିଶ୍ଵକପରେ ଅତି ସୁନ୍ଦର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିଲେ। ହକିର ବିଶ୍ଵ ବିଜେତା ହେବା ଲକ୍ଷ୍ୟରେ ଦୁଇ ଦଳ ପଡ଼ିଆକୁ ଓହ୍ଲାଇଥିଲେ। ମ୍ୟାଚ ଆରମ୍ଭରୁ ବେଲଜିୟମ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା। ମ୍ୟାଚର ପ୍ରଥମ ୧୦ ମିନିଟରେ ବେଲଜିୟମ ଦୁଇଟି ଗୋଲ ଦେଇ ପରମ୍ଭିକ ଭାବେ ଅଗ୍ରଣୀ ହୋଇଥିଲା। ବେଲଜିୟମର ଖେଳାଳିମନେ ଜର୍ମାନୀ ଉପରେ ଆରମ୍ଭରୁ ଚାପ ପକାଇଥିଲେ।

ମ୍ୟାଚର ଦ୍ଵିତୀୟ ଭାଗରେ ଜର୍ମାନୀ ଭଲ ପ୍ରତ୍ୟବର୍ତ୍ତନ କରିଥିଲା। ଜର୍ମାନୀର ଫରୱାର୍ଡମାନେ ଲଢୁଆ ପ୍ରଦର୍ଶନ କରି ୩ଟି ଗୋଲଦେଇ ମ୍ୟାଚରେ ଅଗ୍ରଣୀ ହୋଇଥିଲେ। ଜର୍ମାନୀର ନିକଲାସ ୱେଲେନ, ଗୋଞ୍ଜାଲୋ ପିଲାଟ ଓ ଅଧିନାୟକ ମ୍ୟାଟ୍ସ ଗ୍ରାମବୁଶ୍ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଏହି ୩ଟି ଗୋଲ ବଳରେ ଜର୍ମାନୀ ମ୍ୟାଚରେ ଅଗ୍ରଣୀ ହୋଇଥିଲା, ହେଲେ ବେଲଜିୟମ ମ୍ୟାଚ ହାତରୁ  ଛାଡିବାକୁ ପ୍ରସ୍ତୁତ ନଥିଲା। ମ୍ୟାଚ ସାରିବାକୁ ଆଉ ୩ ମିନିଟ୍ ଥିବାବେଳେ ବେଲଜିୟମର ଟମ ବୁନ୍ ଗୋଲ ଦେଇ ମ୍ୟାଚ ବରାବର କରିଥିଲେ।

ମ୍ୟାଚର ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୩-୩ ଗୋଲ୍‌ରେ ସୀମିତ ରହିଥିଲେ। ଫଳରେ ଫଳାଫଳ ପାଇଁ ପେନାଲ୍ଟି ସୁଟଆଉଟ୍ ସହାୟତା ନିଆଯାଇଥିଲା। ପ୍ରାରମ୍ଭିକ ସୁଟଆଉଟରେ ମ୍ୟାଚ ପୁଣିଥରେ ବରାବର ରହିବାରୁ ସଡନଡେଥ୍ ହୋଇଥିଲା। ଏଥିରେ ୨୦୧୮ର ଚାମ୍ପିୟାନ ବେଲେଜିୟମକୁ ୫-୪ ଗୋଲ୍‌ରେ ପରାସ୍ତ କରି ପୁରୁଷ ହକି ବିଶ୍ଵକପ ଜିତିଲା ଜର୍ମାନୀ।

 

ଏହି ବିଶ୍ଵକପ ଟାଇଟଲ ଜର୍ମାନୀର ତୃତୀୟ ଟ୍ରଫି। ଏହାପୂର୍ବରୁ ଦଳ ୨୦୦୨ ଓ ୨୦୦୬ ରେ ହକି ବିଶ୍ଵକପ ଜିତି ସାରିଛି।

Tags: #HockeyMen’sWorldCup #Final #Germany #Wins #Belgium #KalingaStadium #WorldChampions #Hockey #India #Odisha

Comment