ଓଡ଼ିଶାଲାଇଭ୍ ବ୍ୟୁରୋ

ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ସଂସ୍ଥାର ରିପୋର୍ଟ ପ୍ରକାଶ ପାଇବା ପରଠାରୁ ଏହି ମାମଲା ଦେଶରେ ଚହଳ ସୃଷ୍ଟି କରିଛି। ଏହାକୁ ନେଇ ଗ୍ରୁପର ସେୟାର ବା ଷ୍ଟକ ମୂଲ୍ୟ ଅନେକ ମାତ୍ରାରେ ହ୍ରାସ ପାଇଛି। ଆଦାନୀ ଗ୍ରୁପର ମାର୍କେଟ କ୍ୟାପ୍ ମଧ୍ୟ ୫୦ ପ୍ରତିଶତରୁ ଅଧିକ ହ୍ରାସ ହୋଇଛି। ଆଦାନୀ ଗ୍ରୁପ୍ ଉପରେ ଆସିଥିବା ଏହି ସଙ୍କଟରୁ ଗ୍ରୁପର ନିବେଶକମାନେ ମଧ୍ୟ ବର୍ତ୍ତି ନାହାନ୍ତି। ଆଦାନୀ ଗ୍ରୁପରେ ବଡ଼ ଅକାରରେ ନିବେଶ କରିଥିବା ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ସେୟାର ମୂଲ୍ୟ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି।

ଆଦାନୀ ଗ୍ରୁପ୍ ବିରୋଧରେ ଅଭିଯୋଗ ଆସିବା ପରଠାରୁ ଏଲଆଇସିର ପ୍ରତି ସେୟାର ମୂଲ୍ୟରେ ପାଖାପାଖି ୧୫ ପ୍ରତିଶତର ହ୍ରାସ ଦେଖିବାକୁ ମିଳିଛି। ଏଥିଲାଗି ଜାନୁଆରି ୨୪ ପୂର୍ବରୁ ପ୍ରାୟ ୭୦୦ ଟଙ୍କା ଉପରେ ଥିବା ଏଲଆଇସିର ପ୍ରତି ସେୟାର ମୂଲ୍ୟ ଏବେ ପ୍ରାୟ ୬୦୦ ଟଙ୍କାକୁ ଖସିଯାଇଛି।

ଏଲଆଇସିର ସେୟାର ମୂଲ୍ୟ ହ୍ରାସ ପାଇବାପରେ ନିଗମର କାର୍ଯ୍ୟନିର୍ବାହୀ କମିଟିର ବୈଠକ ହୋଇଛି। ଏହି ବୈଠକରେ ଆଦାନୀ ଗ୍ରୁପ୍ ପକ୍ଷରୁ ହିଣ୍ଡେନବର୍ଗ ରିପୋର୍ଟ ଉପରେ ଦିଆଯାଇଥିବା ପ୍ରତିକ୍ରିୟା ବିବରଣୀକୁ ଅଧ୍ୟୟନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାଛଡ଼ା ଏଲଆଇସି ପକ୍ଷରୁ ଆଦାନୀ ଗ୍ରୁପ୍ ମ୍ୟାନେଜମେଣ୍ଟ ସହ ଆଲୋଚନା କରାଯିବ ବୋଲି କୁହାଯାଇଛି। ପ୍ରାରମ୍ଭିକ ଭାବେ ଏଲଆଇସି ଆଦାନୀ ଗ୍ରୁପରେ ଥିବା ନିଜର ଅଂଶକୁ ବିକ୍ରି କରିନାହିଁ।

“ବର୍ତ୍ତମାନ ଆଦାନୀ ଗ୍ରୁପ୍ ସହ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହାର ପ୍ରକୃତ ସ୍ଥିତି ବିଷୟରେ ଆମେ ନିଶ୍ଚିତ ନାହୁଁ। ଆମେ ବର୍ତ୍ତମାନର ପରିସ୍ଥିତିକୁ ଭଲଭାବେ ବୁଝିବାକୁ ପ୍ରୟାସ କରୁଛୁ। ଆମେ ଆଦାନୀ ଗ୍ରୁପର ବୃହତ ନିବେଶକ ଅଟୁ, ତେଣୁ ଆମର ଗ୍ରୁପକୁ ପ୍ରଶ୍ନ ପଚାରିବାର ଅଧିକାର ଅଛି ଏବଂ ଆମେ ନିଶ୍ଚିତ ଭାବରେ ଗ୍ରୁପ୍ ସହ ଏନେଇ ଆଲୋଚନା କରିବୁ”, କହିଛନ୍ତି ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ରାଜ କୁମାର।  ଏଲଆଇସି ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକର ଏକ ବଡ଼ ଅଂଶୀଦାର। ଏହି ସରକାରୀ ଜୀବନ ବୀମା ସଂସ୍ଥା ଆଦାନୀ ଗ୍ରୁପ୍ କମ୍ପାନିଗୁଡିକରେ ପାଖାପାଖି ୩୬ ହଜାର ୫୦୦ କୋଟି ଟଙ୍କା ନିବେଶ କରିଛି। ଏହା ଏଲଆଇସି ଅଧୀନରେ ଥିବା ମୋଟ ସମ୍ପତ୍ତିର ପ୍ରାୟ ୧ ପ୍ରତିଶତ ଅଟେ।

୨୦୨୨ ମସିହା ଶେଷ ସୁଦ୍ଧା ଆଦାନୀ ଏଣ୍ଟରପ୍ରାଇଜରେ ୪.୨୩ ପ୍ରତିଶତ ଅଂଶ ଏଲଆଇସିର ରହିଛି। ସେହିଭଳି ଆଦାନୀ ପୋର୍ଟ୍ସରେ ୯.୧୪ ପ୍ରତିଶତ, ଆଦାନୀ ଟ୍ରାନ୍ସମିସନରେ ୩.୬୫ ପ୍ରତିଶତ, ଆଦାନୀ ଗ୍ରୀନ୍ ଏନର୍ଜିରେ ୧.୨୮ ପ୍ରତିଶତ ଏବଂ ଆଦାନୀ ଟୋଟାଲ ଗ୍ୟାସରେ ୫.୯୬ ପ୍ରତିଶତ ଅଂଶ ଏଲଆଇସିର ରହିଛି।

Tags: #AdaniGroup #Stockcrash #LIC #SharePriceDown #HindenburgReport #Mumbai #India

Comment