ଓଡ଼ିଶାଲାଇଭ୍ ବ୍ୟୁରୋ

ତୁର୍କୀ ଓ ସିରିଆରେ ହୋଇଛି ବଡ଼ଧରଣର ଭୂମିକମ୍ପ। ସୋମବାର ସକାଳ ୪ଟା ୧୫ ସମୟରେ ଦକ୍ଷିଣ-ପୂର୍ବ ତୁର୍କୀ ଏବଂ ସିରିଆରେ ୭.୮ ରିକ୍ଟର ସ୍କେଲ ତୀବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଭୂମିକମ୍ପରେ ଦୁଇ ଦେଶରେ ୨୦୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାଛଡ଼ା ତୁର୍କୀ ଓ ସିରିଆରେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୂମିକମ୍ପ ଯୋଗୁଁ ଅନେକ କୋଠାଘର ଭୁଷୁଡ଼ି ପଡିଛି। ଅନେକଲୋକ ଘରମାନଙ୍କରେ ଫସି ରହିଥିବାର ମଧ୍ୟ ସୂଚନା ମିଳିଛି।

ଭୂମିକମ୍ପର କେନ୍ଦ୍ରସ୍ଥଳ ତୁର୍କୀର ଦକ୍ଷିଣରେ ଥିବା ସହର ଗାଜିଏନ୍ଟେପର ନିକଟରେ ଭୂମିରୁ ୧୦ କିମି ତଳେ ରହିଥିଲା। ଭୂମିକମ୍ପ ପ୍ରାୟ ୧ ମିନିଟ ଯାଏଁ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଝଟକା ତୁର୍କୀ ଓ ସିରିଆ ଛଡ଼ା ଲେବାନନ, ଇଜିପ୍ଟ,,ସାଇପ୍ରସ୍ ଓ ଅନ୍ୟ ପାର୍ଶ୍ଵବର୍ତ୍ତୀ ଦେଶମାନଙ୍କରେ ଅନୁଭୂତ ହୋଇଥିଲା।

ଭୂମିକମ୍ପ ଭୋର ସମୟରେ ହୋଇଥିବାରୁ ଅନେକ ଲୋକ ଘରଗୁଡ଼ିକରେ ଫସି ରହିଥିବାର ଦେଖିବାକୁ ମିଳୁଛି। ଫଳରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପରେ ବୋଲି ଆଶଙ୍କା କରାଯାଉଛି। ଭୂମିକମ୍ପ ପାଇଁ ଅନେକ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବାର ଦେଖିବାକୁ ମିଳୁଛି।

ଉଦ୍ଧାରକାରୀ ଦଳ ଭାଙ୍ଗି ଯାଇଥିବା ଘରମାନଙ୍କରୁ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ତୁର୍କୀର ସେନା ମଧ୍ୟ ଏହି ଉଦ୍ଧାରକାର୍ଯ୍ୟରେ ସାମିଲ  ହୋଇଛି। ଉଦ୍ଧାରକାରୀ ଦଳ ଆହତ ଲୋକମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଉଛନ୍ତି। ସରକାର ବର୍ତ୍ତମାନ ପାଇଁ ଲୋକମାନଙ୍କୁ ଘରେ ନରହି ଖୋଲା ସ୍ଥାନରେ ରହିବାକୁ ସୂଚନା ଦେଇଛନ୍ତି।

ଭୂମିକମ୍ପ ଯୋଗୁଁ ତୁର୍କୀର ଦକ୍ଷିଣ-ପୂର୍ବରେ ଥିବା ୭ଟି ରାଜ୍ୟ ଅଧିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ରାଜ୍ୟଗୁଡ଼ିକ ତୁର୍କୀ ଓ ସିରିଆ ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ସିରିଆରେ ଅନେକ ଦିନରୁ ଚାଲୁଥିବା ଗୃହଯୁଦ୍ଧ ପାଇଁ ଅନେକ ସିରିଆ ଶରଣାର୍ଥୀ ମଧ୍ୟ ନିଜ ଦେଶରୁ ଆସି ଏଠାରେ ବସବାସ କରୁଛନ୍ତି।

Tags: #Earthquake #7.8Magnitude #Turkey #Syria #Gaziantep #Turkey-SiriyaBorder #200Dead #500injured

LEAVE A REPLY

Please enter your comment!
Please enter your name here