ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସଫଳତାର ସହ ଉତକ୍ଷେପଣ କରିଛି ୩ଟି ସାଟେଲାଇଟ। ଶୁକ୍ରବାର ସକାଳ ୯ଟା ୧୮ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଛି। ଇସ୍ରୋ ନିଜର ନୂତନ ରକେଟ ଏସଏସଏଲଭି-ଡି୨(କ୍ଷୁଦ୍ର ସାଟେଲାଇଟ ଲଞ୍ଚ ଯାନ) ଜରିଆରେ ସାଟେଲାଇଟଗୁଡ଼ିକୁ ମହାକାଶକୁ ପଠାଇଛି।

ଇସ୍ରୋ ଏସଏସଏଲଭି-ଡି୨ ରକେଟ ମାଧ୍ୟମରେ ଭାରତର ଦୁଇଟି ଓ ଆମେରିକାର ଗୋଟିଏ ସାଟେଲାଇଟକୁ ମହାକାଶର ୪୫୦ କିଲୋମିଟର ଉଚ୍ଚରେ ଥିବା କକ୍ଷପଥରେ ପହଞ୍ଚାଇଛି। ଇସ୍ରୋର ରକେଟ ମାତ୍ର ୧୫ମିନିଟ ମଧ୍ୟରେ ଏହି ଅଭିଯାନକୁ ପୁରା କରିଥିଲା।

ଉତକ୍ଷେପଣ କରାଯାଇଥିବା ଉପଗ୍ରହ ମଧ୍ୟରେ ଇସ୍ରୋ ଦ୍ଵାରା ବିକଶିତ ଇଓଏସ୍‌-୦୭ ସାଟେଲାଇଟ ରହିଛି। ଏହା ପୃଥିବୀରେ ହେଉଥିବା ଜଳବାୟୁର ପରିବର୍ତ୍ତନ ଓ ଅନ୍ୟାନ୍ୟ ପାଣିପାଗ ସମ୍ବନ୍ଧୀୟ ଗତିବିଧି ଉପରେ ନଜର ରଖିବ। ଏହାଛଡ଼ା ଆମେରିକାର ଆଣ୍ଟାରିସ କମ୍ପାନିର ଉପଗ୍ରହ ଜାନସ-୧, ଚେନ୍ନାଇର ମହାକାଶ ଷ୍ଟ୍ରାର୍ଟଅପ୍ ସ୍ପେସ କିଡ୍ସର ଉପଗ୍ରହ ଆଜାଦିସାଟ-୨କୁ ମଧ୍ୟ ଉତକ୍ଷେପଣ କରାଯାଇଛି।

ଏସ୍‌ଏସ୍‌ଏଲ୍‌ଭି ରକେଟ ୫୦୦ କିଲୋଗ୍ରାମ ଓଜନ ଯାଏଁ ଉପଗ୍ରହକୁ ମହାକାଶର ନିମ୍ନ କକ୍ଷପଥରେ ଉତକ୍ଷେପଣ କରିବା ପାଇଁ ବ୍ୟବହାର କରାଯାଏ। ଏହା ଦ୍ଵାରା ଉପଗ୍ରହ ଉତକ୍ଷେପଣ ପାଇଁ କମ ଟଙ୍କା ଖର୍ଚ୍ଚ ହୁଏ। ଏହି ଏସ୍‌ଏସ୍‌ଏଲ୍‌ଭି ରକେଟର ବ୍ୟାସ ୨ ମିଟର ଏବଂ ଏହାର ମୋଟ ଓଜନ ୧୨୦ ଟନ ଅଟେ।

Tags: #ISRO #Successfullaunch #SSLVD-2 #Rocket #Nanosatellites #LowerEarthOrbit #SatishDhawanSpaceCentre #Sriharikota #India

Comment