ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ବର୍ଡର-ଗଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ। ଶୁକ୍ରବାର ନାଗପୁରରେ ମ୍ୟାଚର ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ୍ ବିନିମୟରେ ୩୨୧ ରନ ସଂଗ୍ରହ କରିଛି। ମ୍ୟାଚର ପ୍ରଥମ ଇନିଂସରେ ଦଳ ୧୪୪ ରନରେ ଆଗୁଆ ରହିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୨୦ ରନ କରିଥିବାବେଳେ ରବୀନ୍ଦ୍ର ଜଡେଜା ୬୬ ରନ ଓ ଅକ୍ଷର ପଟେଲ ୫୨ ରନ କରି ଅପରାଜିତ ରହିଛନ୍ତି।

ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆକୁ ୧୭୭ ରନରେ ଅଲଆଉଟ କରିବା ପରେ, ଦ୍ଵିତୀୟ ଦିନରେ ଭାରତ ନିଜର ସୁନ୍ଦର ବ୍ୟାଟିଂ ବଜାୟ ରଖିଥିଲା। ଦ୍ଵିତୀୟ ଦିନ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା ଧୂଆଁଧାର ଖେଳ ଆରମ୍ଭ କରି ନିଜ ଟେଷ୍ଟ କ୍ୟାରିୟରର ନବମ ଶତକ ହାସଲ କରିଥିଲେ। ସେ ପ୍ରଥମ ଇନିଂସରେ ୧୨୦ ରନ କରିଥିବା ସମୟରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ।

ରୋହିତ ଶର୍ମା ଥିବା ସମୟରେ ମଧ୍ୟ ଭାରତୀୟ ବ୍ୟାଟିଂର ମଧ୍ୟଭାଗର ଖେଳାଳିମାନେ ଅଷ୍ଟ୍ରେଲିଆର ଘାତକ ବୋଲିଂର ସାମନା କରିଥିଲେ। ବିରାଟ କୋହଲି ତଥା ଚେତେଶ୍ଵର ପୂଜାରାଙ୍କ ଭଳି ଖେଳାଳି କମ ରନ କରି ଆଉଟ ହୋଇଥିଲେ। ତେବେ ରୋହିତ ଶର୍ମା ଯିବାପରେ ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲ ଇନିଂସକୁ ସମ୍ଭାଳିଥିଲେ।

ଦ୍ଵିତୀୟ ଦିନ ଖେଳ ସରିବାବେଳକୁ ଉଭୟ ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ମିଶି ଅଷ୍ଟମ ୱିକେଟ ପାଇଁ ୮୧ ରନର ପାର୍ଟନରସିପ୍ କରିଛନ୍ତି। ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଟଡ ମର୍ଫି ୫ଟି ୱିକେଟ ନେଇଛନ୍ତି।

 

ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ୧୭୭ ରନ ଜବାବରେ ଭାରତ ୩୨୧ ରନ ସଂଗ୍ରହ କରିଛି। ଏବେ ମ୍ୟାଚରେ ୧୪୪ ରନରେ ଆଗୁଆ ରହିଥିବା ଭାରତ ଶନିବାର ଆହୁରି ଅଧିକା ରନ କରି ଇନିଂସରେ ଅଗ୍ରଣୀ ରହିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

Tags: #India-AustraliaTestseries #Border-GavaskarTrophy #1stTest #Nagpur #India

Comment