ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତକରି ବୃହତ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଶନିବାର  ମ୍ୟାଚର ତୃତୀୟ ଦିନରେ ଅଷ୍ଟ୍ରେଲିଆକୁ ୯୧ ରନରେ ଅଲଆଉଟ କରି ମ୍ୟାଚ ଜିତି ନେଇଛି ଭାରତ। ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଏକ ଇନିଂସ୍ ଓ ୧୩୨ ରନରେ ପରାସ୍ତ କରିଛି। ଏହି ବିଜୟ ବଳରେ ଭାରତ ଟେଷ୍ଟ ସିରିଜରେ ୧-୦ ଅଗ୍ରଣୀ ହୋଇଛି। ମ୍ୟାଚରେ ଉତ୍ତମ ପ୍ରଦର୍ଶନ ପାଇଁ ରବୀନ୍ଦ୍ର ଜାଡ଼େଜା ପ୍ଲେୟାର ଅଫ୍ ଦି ମ୍ୟାଚ ହୋଇଛନ୍ତି ।

ଶନିବାର ମ୍ୟାଚରେ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ। ଶୁକ୍ରବାର ଅପରାଜିତ ରହିଥିବା ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ ଇନିଂସ୍ ଆଗକୁ ବଢ଼ାଇବାକୁ ପଡିଆକୁ ଓହ୍ଲାଇଥିଲେ। ଅକ୍ଷର ପଟେଲ ୮୪ ରନ ଓ ରବୀନ୍ଦ୍ର ଜାଡ଼େଜା ୭୦ ରନ କରିଥିବାବେଳେ ମହମ୍ମଦ ଶାମି ଭାରତୀୟ ଇନିଂସକୁ ୩୭ ରନର ଯୋଗଦାନ ଦେଇଥିଲେ। ଭାରତ ନିଜର ପ୍ରଥମ ଇନିଂସରେ ୪୦୦ ରନ ସଂଗ୍ରହ କରି ୨୨୩ ରନରେ ଅଗ୍ରଣୀ ରହିବାକୁ ସକ୍ଷମ ହେଲା।

ଭାରତର ବୃହତ ସ୍କୋରକୁ ଲକ୍ଷ୍ୟ ରଖି ଅଷ୍ଟ୍ରେଲିଆ ମ୍ୟାଚରେ ଦ୍ଵିତୀୟ ଇନିଂସ୍ ଖେଳିବାକୁ ଆସିଥିଲା ଆରମ୍ଭରୁ ହିଁ ଭାରତୀୟ ବୋଲରମାନେ    ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ। ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ସ୍ପିନ ଆଗରେ ଜଣକ ପରେ ଜଣେ ଅଷ୍ଟ୍ରେଲୀୟ ଖେଳାଳି ଆଉଟ ହେବାକୁ ଲାଗିଲେ।

ଦ୍ଵିତୀୟ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ୯୧ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୫ଟି ୱିକେଟ ନେଇଥିଲେ ଏହାଛଡ଼ା ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ଶାମି ୨ଟି ଲେଖାଏଁ ୱିକେଟ ନେଇଥିଲେ।

ମ୍ୟାଚରେ ବିଜୟୀ ହୋଇ ଭାରତୀୟ ଦଳ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ସିରିଜର ଦ୍ଵିତୀୟ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଫେବ୍ରୁଆରି ୧୭ ତାରିଖରୁ ଆରମ୍ଭ ହେବ।

Tags: #India-AustraliaTestseries #Border-GavaskarTrophy #1stTest #Nagpur #India

Comment