ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩। ଏହି ମେଳାରେ ବିଭିନ୍ନ ଆଦିବାସୀ ଜନଜାତିଙ୍କ ଜୀବନ ଶୈଳୀର ଏକ ନିଆରା ରୂପ ପ୍ରଦର୍ଶିତ ହେବ। ଆଦିବାସୀ ଚଳଣି, ପରମ୍ପରା ଓ ଅନ୍ୟାନ୍ୟ ସାମଗ୍ରୀ ଲୋକମାନଙ୍କୁ କରିବ ଆକର୍ଷିତ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ୟୁନିଟ୍‌-୧ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଏହାର ଉଦଘାଟନ କରିବେ।

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ଆଦିବାସୀ ମେଳା ଆୟୋଜିତ ହେଉଛି। ଏହି ମେଳାରେ ଜୁଆଙ୍ଗ, ସାନ୍ତାଳ, କିସାନ, ମୁଣ୍ଡାରୀ, ସଉରା ଓ ବଣ୍ଡା ଭଳି ବିଭିନ୍ନ ଆଦିବାସୀ ଜନଜାତିଙ୍କର ଘର ଦେଖିବାକୁ ମିଳିବ। ଆଦିବାସୀ ଗ୍ରାମ ସହ ଏହି ମେଳାରେ ଆଦିବାସୀ ହାଟ, ଜନଜାତି ସ୍ୱୟଂସହାୟକ ଗୋଷ୍ଠୀ ଗୃହ, ଆଦିବାସୀ କଳା ସାମଗ୍ରୀ ଓ ଖାଦ୍ୟ ବଜାର ଆଦିର ଆୟୋଜନ କରାଯାଇଛି।

୨୦୨୩ର ଆଦିବାସୀ ମେଳା ଫେବ୍ରୁଆରି ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ଯାଏଁ ଚାଲିବ। ପ୍ରତିଦିନ ଅପରାହ୍ନ ୨ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ପଡ଼ିବ। ଏହାଛଡ଼ା ସଂଧ୍ୟା ୬ଟାରୁ ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ।

ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଅନୁଷ୍ଠିତ ହେଉଥିବା ଏହି ଆଦିବାସୀ ମେଳା ଚଳିତବର୍ଷ ପୁରୁଷ ହକି ବିଶ୍ୱକପ୍‌ ପାଇଁ ୨୫ ଦିନ ବିଳମ୍ବରେ ଆରମ୍ଭ ହେଉଛି। ଏ ବର୍ଷ କରୋନା କଟକଣା ନଥିବାରୁ ମେଳାରେ ଅଧିକ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି।

Tags: #AdivasiMela2023 #TribalExibition #Tribalcommunity #STSCdevelopmentDept #Bhubaneswar #Odisha

Comment