ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଖରାର ପ୍ରକୋପ ବଢ଼ିବା ଆରମ୍ଭ ହୋଇଛି। ଏବେ ରାଜ୍ୟର ହାରାହାରି ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ମଙ୍ଗଳବାର ଭୁବନେଶ୍ଵରର ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି। ଏଥିସହ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ମଙ୍ଗଳବାର ଦିନ ୧୧ ଟାରୁ ଭୁବନେଶ୍ଵରରେ ପ୍ରବଳ ଖରା ଆରମ୍ଭ ହୋଇଥିଲା। ଖରା ସାଙ୍ଗକୁ ଅଳ୍ପ ଗୁଳୁଗୁଳି ହେବାସହ ତାପମାତ୍ରା ବଢ଼ିବାକୁ ଲାଗିଥିଲା। ତେବେ ୨୦୨୩ରେ ଫେବ୍ରୁଆରି ମାସରେ ଏହା ସହରର ସର୍ବାଧିକ ତାପମାତ୍ରା ପାଲଟିଛି।

ଓଡ଼ିଶାରେ ଆହୁରି ୩ରୁ ୪ ଦିନ ଯାଏଁ ହାରାହାରି ତାପମାତ୍ରା ୩୫ରୁ ୩୬ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହି ସମୟରେ ଓଡ଼ିଶାର ଅନେକ ସହରର ତାପମାତ୍ରାରେ ବୃଦ୍ଧି ହେବ।

ଅନ୍ୟପଟେ ଜି.ଉଦୟଗିରିରେ ୮.୫ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ରାଜଧାନୀ ଭୁବନେଶ୍ଵରରେ ୨୨.୭ ଡିଗ୍ରୀ ଓ କଟକରେ ୧୯.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି।

୨୦୨୩ ମସିହାରେ ପଶ୍ଚିମାଝଡ଼ ବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର କମ୍ ପ୍ରଭାବ ଯୋଗୁଁ ଖରାର ପ୍ରକୋପ ଅଧିକ ଦେଖିବାକୁ ମିଳିବ। ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ରାଜ୍ୟର ତାପମାତ୍ରା ଆହୁରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

Tags: #Weatherupdates #Summer #Temperaturerise #Bhubaneswar #Odisha

Comment