ଓଡ଼ିଶାଲାଇଭ୍ ବ୍ୟୁରୋ

ଚନ୍ଦ୍ରାୟନ-୩ ଅଭିଯାନ ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)କୁ ମିଳିଛି ବଡ଼ ସଫଳତା। ଇସ୍ରୋ ଚନ୍ଦ୍ରାୟନ-୩ ମିଶନ ପାଇଁ  ରକେଟରେ ବ୍ୟବହାର ହେବକୁଥିବା ସିଇ-୨୦ କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷଣ କରିଛି। ମଙ୍ଗଳବାର ଇସ୍ରୋ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ଫେବୃଆରୀ ୨୪ ତାରିଖରେ ତାମିଲନାଡୁର ମହେନ୍ଦ୍ରଗିରିରେ ଥିବା ଇସ୍ରୋ ପ୍ରପଲଶନ କମ୍ପ୍ଲେକ୍ସ (ଇଞ୍ଜିନ ପରୀକ୍ଷା କେନ୍ଦ୍ର)ରେ ୨୫ ସେକେଣ୍ଡ ପାଇଁ ସିଇ-୨୦ କ୍ରାୟୋଜେନିକ ଇଞ୍ଜିନର ଉତ୍ତାପ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଇଞ୍ଜିନ ସମସ୍ତ ଆବଶ୍ୟକ ପରିମାପ ପୂରଣ କରିଥିଲା।

ଏହି ପରୀକ୍ଷଣର ଇଣ୍ଟିଗ୍ରେଟେଡ ଫ୍ଲାଇଟ କ୍ରାୟୋଜେନିକ ପର୍ଯ୍ୟାୟରେ ଇଞ୍ଜିନର ତୈଳ ଟ୍ୟାଙ୍କ, ଷ୍ଟେଜ ପରାମିଟର ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ଯନ୍ତ୍ର ଠିକ ଭାବେ କାର୍ଯ୍ୟ କରିଥିଲା। ଏଥିରୁ ମିଳିଥିବା ବିଭିନ୍ନ ଡାଟାକୁ ଆଧାର କରି ପରୀକ୍ଷଣ ସଫଳ ହୋଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ, ତିରୁପତିରେ ଥିବା ୟୁଆର ରାଓ ସାଟେଲାଇଟ ସେଣ୍ଟରରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୩ ମିଶନର ଲ୍ୟାଣ୍ଡରକୁ ସଫଳତାର ସହ ପରୀକ୍ଷା କରାଯାଇଥିଲା।

ଚନ୍ଦ୍ରାୟନ-୩ ହେଉଛି ଭାରତର ତୃତୀୟ ଚନ୍ଦ୍ର ମିଶନ। ଏଥିରେ ତିନୋଟି ପ୍ରମୁଖ ଷ୍ଟେଜ ରହିଛି। ସେଗୁଡ଼ିକ ହେଲା ପ୍ରପୁଲଶନ ମଡ୍ୟୁଲ, ଲ୍ୟାଣ୍ଡର ମଡ୍ୟୁଲ ଏବଂ ରୋଭର।

ଚନ୍ଦ୍ରଯାନ-୩ ମିଶନର ଉଦ୍ଦେଶ୍ୟ ହେଉଛି ଲ୍ୟାଣ୍ଡରକୁ ଚନ୍ଦ୍ର ପୃଷ୍ଠରେ ନିରାପଦରେ ଅବତରଣ କରାଇବା ଏବଂ ରୋଭର ଜରିଆରେ ଚନ୍ଦ୍ର ପୃଷ୍ଠରୁ ବିଭିନ୍ନ ନମୁନା ସଂଗ୍ରହ କରିବା। ଏହି ମିଶନକୁ ଇସ୍ରୋ ୨୦୨୩ ଜୁନ ମାସରେ ଲଞ୍ଚ କରିବାକୁ ଯୋଜନା ରଖିଛି।

Tags: #Chandrayaan-3Mission #ISRO #CryogenicEngine #SuccessfulTest #India

Comment