ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ବେଙ୍ଗାଳୁରୁ ନେବାକୁ ଆବେଦନ କରାଯାଇଥିଲା। କିନ୍ତୁ କ୍ରାଇବ୍ରାଞ୍ଚର ଏହି ଆବେଦନକୁ ଶୁକ୍ରବାର ଦିନ ଖାରଜ କରିଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍ କୋର୍ଟ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇ କଟକ ଚୌଦ୍ଵାର ଜେଲରେ ରହିଛନ୍ତି। ତାଙ୍କ ମାନସିକ ଅବସ୍ଥା ଯାଞ୍ଚ ପାଇଁ ବେଙ୍ଗାଳୁରୁ ସ୍ଥିତ ନିମହାନ୍ସକୁ ନେବା ଲାଗି ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ଗୋପାଳଙ୍କୁ ନେବା ଲାଗି କ୍ରାଇମବ୍ରାଞ୍ଚ ପକ୍ଷରୁ ୧୫ ଦିନ ପାଇଁ ଆବେଦନ କରାଯାଇଥିବାବେଳେ ଶୁକ୍ରବାର ଦିନ ଏହି ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ।

ପୂର୍ବରୁ ନିମହାନ୍ସରୁ ସ୍ୱତନ୍ତ୍ର ଟିମ୍ ଆସି ଚୌଦ୍ଵାର ଜେଲରେ ଗୋପାଳଙ୍କର ମାନସିକ ସ୍ଥିତି ଯାଞ୍ଚ କରିଥିଲେ। ଅଧିକ ପରୀକ୍ଷା ପାଇଁ ଗୋପାଳଙ୍କୁ ନିମହାନ୍ସ ନେବାକୁ ଏହି ଟିମ୍ ପରାମର୍ଶ ଦେଇଥିଲେ। ଏହି ଆଧାରରେ ଗୋପାଳଙ୍କୁ ପରୀକ୍ଷା ପାଇଁ ବେଙ୍ଗାଳୁରୁ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା, ଯାହା ଆଜି ଖାରଜ ହୋଇଯାଇଛି।

ଗତ ଜାନୁଆରି ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରଜରାଜନଗର ଗାନ୍ଧୀଛକଠାରେ ମନ୍ତ୍ରୀ ନବ ଦାସଙ୍କ ଉପରକୁ ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ ଦାସ ଗୁଳି କରିଥିଲେ। ପରେ ନବ ଦାସଙ୍କର ମୃତ୍ୟୁ ହୋଇଥିଲା। ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଗୋପାଳଙ୍କୁ ଗିରଫ କରାଯାଇଥିଲା।

Tags: #NabaKishorDas #GopalDas #NabaDasMurderCase #CrimebranchInvestigation

Comment