ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାକୁ ନେଇ ବିବାଦ ଥମିବାର ନାଁ ନେଉନି। ନବ ଦାସଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ହୋଇଥିଲା କି ନାହିଁ, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ମିଳିଥିବା ନବ ଦାସଙ୍କ ହସ୍ପିଟାଲ ଓପିଡି ଟିକେଟରେ ତାଙ୍କର ଚିକିତ୍ସା କରାଯାଇଥିବା ବାବଦରେ କିଛି ଉଲ୍ଲେଖ ନଥିବା ଦେଖିବାକୁ ମିଳିଛି।

ନବଦାସଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କର କ’ଣ ଚିକିତ୍ସା କରାଯାଇଥିଲା, ସେତେବେଳେ ତାଙ୍କର ରକ୍ତଚାପ, ହୃତ୍‌ ସ୍ପନ୍ଦନ କେତେ ଥିଲା ଏବଂ ଡାକ୍ତର ଆଉ କ’ଣ ଦେଖିଲେ, ସେ ବିଷୟରେ ଓପିଡି ଟିକେଟରେ କିଛି ବି ଲେଖାଯାଇନଥିଲା। ଏଥିରେ କେବଳ ନବ ଦାସଙ୍କୁ ଉଚ୍ଚତର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସମ୍ପର୍କରେ ଉଲ୍ଲେଖ ରହିଛି।

ତେବେ ଓପିଡି ଟିକେଟରେ କାହିଁକି ନବ ଦାସଙ୍କର ପ୍ରାଥମିକ ଚିକିତ୍ସା ବିଷୟରେ ଲେଖାଯାଇ ନଥିଲା ତାହାକୁ ନେଇ ଉଠିଥିବା ସନ୍ଦେହ ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଡୋଲାମଣି ପଟେଲ। ନିୟମ ଦୃଷ୍ଟିରୁ ଓପିଡି ଟିକେଟରେ ଚିକିତ୍ସା ବାବଦରେ ଉଲ୍ଲେଖ ରହିବା କଥା ବୋଲି ସେ ସ୍ଵୀକାର କରିଛନ୍ତି।

“ନବ ଦାସଙ୍କୁ ହସ୍ପିଟାଲକୁ ଆଣିଲାବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିଲା। ତାଙ୍କୁ ତୁରନ୍ତ ଉଚ୍ଚତର ଚିକିତ୍ସାର ଆବଶ୍ୟକତା ଥିଲା। ତେଣୁ ତାଙ୍କର ଶୀଘ୍ର ଫାଷ୍ଟ ଏଡ କରାଯାଇ ଭୁବନେଶ୍ଵରକୁ ରେଫର କରାଯାଇଥିଲା। ଚିକିତ୍ସା ବାବଦରେ ରେଫରାଲ୍‌ କାର୍ଡରେ ବିସ୍ତୃତ ଭାବେ ଲେଖାଯାଇଛି”, କହିଛନ୍ତି ଡାକ୍ତର ଡୋଲାମଣି ପଟେଲ।

ନବ ଦାସଙ୍କୁ ଝାରସୁଗୁଡ଼ାରୁ ଯେଉଁ ଅବସ୍ଥାରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା, ଏସବୁର ପାରିପାର୍ଶ୍ୱିକ ସ୍ଥିତି ଦେଖି ସେତେବେଳୁ ବିରୋଧୀ ଦଳମାନେ ଅଭିଯୋଗ କରି ଆସୁଛନ୍ତି ଯେ ତାଙ୍କର ଝାରସୁଗୁଡ଼ାରେ ହିଁ ମୃତ୍ୟୁ ହୋଇଥିଲା। ଏବେ ଓପିଡି ଟିକେଟ୍ ଆସିବା ପରେ ବିରୋଧୀଙ୍କ ଅଭିଯୋଗ ଆହୁରି ବଳ ମିଳିଛି।

ଚଳିତବର୍ଷ ଜାନୁଆରି ୨୯ ତାରିଖରେ ଝାରସୁଗୁଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଏଏସଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲା। ଫଳରେ ନବ ଦାସଙ୍କର ମୃତ୍ୟୁ ହୋଇଥିଲା। ସେହି ଦିନ ହିଁ ନବ ଦାସଙ୍କ ହତ୍ୟା ମାମଲାରେ ଏକ ମାତ୍ର ଅଭିଯୁକ୍ତ ଭାବେ ଗୋପାଳ ଦାସକୁ ଗିରଫ କରାଯାଇଥିଲା।

Tags: #NabaDasMurderCase #MedicalTreatment #JharsugudaHospital #Odisha

Comment