ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ୭୮୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ୨୦୧୮-୧୯ ମସିହାରେ ସର୍ବାଧିକ ୯୩ଟି ହାତୀଙ୍କର ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ହାତୀ ଆକ୍ରମଣରେ ୯୨୫ ଜଣ ମଣିଷ ପ୍ରାଣ ହରାଇଛନ୍ତି ଓ ୨୧୨ ଜଣ ହାତୀ ଆକ୍ରମଣ ଶିକାର ହୋଇଛନ୍ତି ବୋଲି ମଙ୍ଗଳବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।

ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆହୁରି କହିଛନ୍ତି ଯେ, ୨୦୧୭ ମସିହାରେ ହୋଇଥିବା ହାତୀ ଗଣନା ତଥ୍ୟ ଅନୁସାରେ ରାଜ୍ୟରେ ୧,୯୭୬ଟି ହାତୀ ଅଛନ୍ତି। ୨୦୧୨-୧୩ରେ ୮୨ଟି ହାତୀ ପ୍ରାଣ ହରାଇଥିବାବେଳେ ହାତୀ ଆକ୍ରମଣରେ ୮୦ ଜଣ ମଣିଷଙ୍କର ମୃତ୍ୟୁ ହୋଇଥିଲା।

ସେହିପରି ୨୦୧୩-୧୪ ମସିହାରେ ୭୦ଟି ହାତୀଙ୍କର ମୃତ୍ୟୁ ହୋଇଥିଲା ଓ ହାତୀ ଆକ୍ରମଣରେ ୬୭ ଜଣ ମଣିଷଙ୍କର ମୃତ୍ୟୁ ହୋଇଥିଲା। ୨୦୧୮-୧୯ ମସିହାରେ ସର୍ବାଧିକ ୯୩ ହାତୀଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୨୦-୨୧ରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ ୧୩୯ ଜଣ ମଣିଷ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ହାତୀ ମୃତ୍ୟୁ ରୋକିବା ପାଇଁ ଜଙ୍ଗଲରେ ବସବାସ କରୁଥିବା ହାତୀମାନଙ୍କ ବାସସ୍ଥଳୀର ସୁରକ୍ଷା ଏବଂ ସମୃଦ୍ଧି, ସେମାନଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷ ରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶିକାର ନିରୋଧ ଶିବିର, ପକ୍ଷୀ ସୁରକ୍ଷା ଶିବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନକୌଶଳର ଉପଯୋଗୀତା ଦ୍ଵାରା ହାତୀ ଓ ଶିକାରୀଙ୍କ ଗତିବିଧି ନିରୀକ୍ଷଣ, ସଚେତନା ଇତ୍ୟାଦି ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୨ରୁ ୨୦୨୨ ମସିହା ମଧ୍ୟରେ ମୋଟ ୩୦ଟି ଘଟଣାର ତଦନ୍ତ କରାଯାଇ ୫୦ ଜଣ ବ୍ୟକ୍ତିଙ୍କ ଉପରେ ଚାର୍ଜସିଟ ହୋଇଛି। କୌଣସି ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ମନ୍ତ୍ରୀ କହିଛନ୍ତି।

Tags: #Elephant #DeathofElephants #OdishaAssemblySession

Comment