ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଆସିଲା ରାଗିଂ ଅଭିଯୋଗ। ଯାଜପୁର ଜିଲ୍ଲା କୋରେଇ ରଗଡ଼ି ସରକାରୀ ପଲିଟେକ୍ନିକ କଲେଜର ତୃତୀୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ରୀ ରୋଜାଲିନ ପାତ୍ରଙ୍କ ମୃତଦେହ ମଙ୍ଗଳବାର ଦିନ କଲେଜ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ରାଗିଂ ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ରୋଜାଲିନଙ୍କ ବାପା ଅମୂଲ୍ୟ ପାତ୍ର।

ରୋଜାଲିନ ଜଣେ ମେଧାବୀ ଛାତ୍ରୀ ଥିଲେ। ଚାକିରି ପାଇଁ ୪ଟି କ୍ୟାମ୍ପସରେ ସେ ଚୟନ ହୋଇଥିଲେ। ତେବେ ରୋଜାଲିନ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। କିଛି ଦିନ ହେଲା ରୋଜାଲିନଙ୍କୁ କଲେଜରେ ରାଗିଂ କରି ହଇରାଣ ହରକତ କରାଯିବା ସହ ମାଡ଼ ମରାଯାଉଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। କୋରେଇ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ କରୁଛି।

ଏହା ନୂଆ ଘଟଣା ନୁହେଁ ରାଜ୍ୟରେ ବାରମ୍ବାର ରାଗିଂ ଯୋଗୁଁ ଅନେକ ଛାତ୍ରୀ ଆତ୍ମହାତ୍ୟା ଭଳି ଚରମ ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁଛି। ୨୦୨୨ ମସିହା ଜୁନ ମାସରେ ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ। ରାଗିଂ କାରଣରୁ ରୁଚିକାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ପ୍ରାୟ ୧୫ ଦିନ ଧରି ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଥିଲା।

କିଛି ଛାତ୍ରୀ ରୁଚିକାଙ୍କୁ ହଇରାଣ ହରକତ କରୁଥିବା ନେଇ ରୁଚିକାଙ୍କ ମା’ ଅଭିଯୋଗ କରିଥିଲେ। ନ୍ୟାୟ ଦାବିରେ ମୃତ ରୁଚିକାଙ୍କ ପରିବାର ଏବଂ ବିଭିନ୍ନ ସଂଗଠନର ସଦସ୍ୟ, ଛାତ୍ରଛାତ୍ରୀ ରାଜରାସ୍ତାରେ ଧାରଣା ମଧ୍ୟ ଦେଇଥିଲେ। କିନ୍ତୁ ଏହି ଘଟଣାରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଗଲା ନାହିଁ।

କେବଳ ସେତିକି ନୁହେଁ ବୁର୍ଲା ମେଡିକାଲ କଲେଜ ଛାତ୍ର ମଧ୍ୟ ରାଗିଂ କାରଣରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ରାଗିଂ ଯୋଗୁଁ ପୂର୍ବରୁ ଅନେକ ଆତ୍ମହତ୍ୟା ଏବଂ ଆତ୍ମହତ୍ୟା ଉଦ୍ୟମ ହେଉଛି। କେତେକ ଶିକ୍ଷାନୁଷ୍ଠାନରେ ରାଗିଂ ପରମ୍ପରା ଚାଲିଛି। ବିଜେପି କଲେଜ ଛାତ୍ରୀ ରୁଚିକା ମୃତ୍ୟୁ ପରେ ରାଗିଂ ନିମୟକୁ କଡ଼ାକଡ଼ି କରି ଦୋଷୀ ବିରୋଧୀରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଥିଲା। ଆଜି ପୁଣି ରାଗିଂ ଯୋଗୁଁ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି।

Tags: #CollegeStudentDeath #RojalinPatra #Jajpur #RaggingInCollege

Comment