ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜାରି ହୋଇଛି ଅବକାରୀ ନୀତି ୨୦୨୩-୨୪। ଏହି ନୂଆ ନୀତି ଏପ୍ରିଲ ପହିଲାରୁ ଲାଗୁ ହେବାକୁ ଯାଉଛି। ଏହା ପ୍ରଭାବରେ ରାଜ୍ୟରେ ବିଦେଶୀ ମଦ ଦର ୫ରୁ ୧୦ ପ୍ରତିଶତ ବଢ଼ିବାକୁ ଯାଉଛି। ଏହି ନୀତି ଅନୁସାରେ ଏ ବର୍ଷ ରାଜ୍ୟରେ ନୂଆ ଠିପିବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ। ଏନେଇ ଗୁରୁବାର ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଓଡ଼ିଶାରେ ଲାଗୁ ହେବାକୁ ଥିବା ନୂଆ ଅବକାରୀ ନୀତି ଅନୁସାରେ ଏବେ ଗ୍ରାମାଞ୍ଚଳରେ ବାର୍ ଖୋଲିବାକୁ ଲାଇସେନ୍ସ ଦିଆଯିବ ନାହିଁ। ସହାରାଞ୍ଚଳର କେବଳ ତରକା ହୋଟେଲ ଓ ଅନ୍ୟାନ୍ୟ ହୋଟେଲଗୁଡ଼ିକରେ ନୂଆ ବାର ଖୋଲିବାକୁ ଲାଇସେନ୍ସ ମିଳିବ।

ନୂଆ ଅବକାରୀ ନୀତିରେ ଭାରତରେ ପ୍ରସ୍ତୁତ ହେଉଥିବା ବିଦେଶୀ ମଦ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରାଯିବ। ଏହାଦ୍ଵାରା ଏଗୁଡ଼ିକର ଦର ବଢ଼ିବ। ଏବେ ମଦ ବିକ୍ରେତା ତାଙ୍କ ଦୋକାନରେ ଆଉ ‘ସରକାରୀ’ ଶବ୍ଦ ଲେଖି ପରିବେନି। ଏହା ବଦଳରେ ‘ସ୍ୱୀକୃତିପ୍ରାପ୍ତ ମଦ ଦୋକାନ’ ଲେଖିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ନୂଆ ଅବକାରୀ ନୀତି ଆନୁସରେ ଏବେ ସମୁଦ୍ରକୂଳରେ ମଧ୍ୟ ମଦ ଉପଲବ୍ଧ ହେବ। ବେଳାଭୂମି ବ୍ୟତୀତ ରାଜ୍ୟରେ ଥିବା ନଦୀ, ହ୍ରଦ ଓ ଡ୍ୟାମ ଭଳି ପର୍ଯ୍ୟଟନ ସ୍ଥଳରେ ଏହି ସୁବିଧା ମିଳିବ। ଏନେଇ କେବଳ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମକୁ (ଓଟିଡିସି) ଲାଇସେନ୍ସ ଦିଆଯିବ। ରାଜ୍ୟରେ ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି।

ନୂଆ ନୀତିରେ ସରକାର ମଦ ଦୋକାନ ଲାଇସେନ୍ସ ନବୀକରଣ ଫି’ରେ ୧୦ ହାଜର ଟଙ୍କା ବୃଦ୍ଧି କରିଛନ୍ତି। ଏବେ ଏହା ୧ ଲକ୍ଷ ୨୦ ଟଙ୍କା ହୋଇଛି। ଏହାଛଡ଼ା ମଦ ପ୍ରସ୍ତୁତ ପାଇଁ ଆବେଦନ ଫି’, ଯୋଗାଣକାରୀ ଓ ରିଟେଲର ଫି’ରେ ସାମାନ୍ୟ ବୃଦ୍ଧି କରିଛନ୍ତି ସରକାର। ଏହି ନୂଆ ଅବକାରୀ ନୀତି ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖ ଯାଏଁ ବଳବତ୍ତର ରହିବ।

Tags: #OdishaExcisePolicy2023-24 #ForeignLiquor #ExciseDepartment #Odisha

Comment