ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ଧରା ପଡ଼ିଲା ଲୁଟେରା ଗ୍ୟାଙ୍ଗ। ଲୁଟର ୪୮ ଘଣ୍ଟା ମଧ୍ୟରେ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛନ୍ତି କନ୍ଧମାଳ ଓ କଳାହାଣ୍ଡି ପୋଲିସ।

କନ୍ଧମାଳ ଏବଂ କଳାହାଣ୍ଡି ପୋଲିସ ମିଳିତ ଭାବେ ଚଢ଼ଉ କରି ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛନ୍ତି। ଲୁଟେରା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଲୁଟ ହୋଇଥିବା ସମସ୍ତ ଟଙ୍କା ଜବତ କରାଯାଇଛି।

ଗତ ୩ ତାରିଖ ଦିନ ଫୁଲବାଣୀ ଅଞ୍ଚଳର ଅଶ୍ୱିନୀ କୁମାର ପାତ୍ର ଏବଂ ତାଙ୍କ ଗୁମାସ୍ତା ଉମେଶ ଚନ୍ଦ୍ର ପ୍ରଧାନ ୧୭ ଲକ୍ଷ ୫୦ ହଜାର ଟଙ୍କା ଧରି ନିକଟସ୍ଥ ବ୍ୟାଙ୍କକୁ ଯାଉଥିଲେ। ଏହି ସମୟରେ କଳା ପଲସରରେ ଆସି ଦୁଇଜଣ ଦୁର୍ବୃତ୍ତ ସେମାନଙ୍କଠାରୁ ଟଙ୍କା ଝାମ୍ପି ନେଇଥିଲେ। ଏ ନେଇ ଅଶ୍ୱିନୀ ପାତ୍ର ଅଭିଯୋଗ କରିବା ପରେ ଲୁଟେରାଙ୍କୁ ଧରିବାକୁ ଜାଲ ବିଛାଇଥିଲା ଫୁଲବାଣୀ ପୋଲିସ।

ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଦୁଇ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର କିଶୋର ଏବଂ ହରି ବୋଲି ଚିହ୍ନଟ କରାଯାଇଥିଲା। ଦୁଇଦିନ ଧରି ପୋଲିସକୁ ଚକମା ଦେବାରେ ସଫଳ ହୋଇଥିଲେ ଦୁଇ ଦୁର୍ବୃତ୍ତ। ପରେ ଜିଲ୍ଲା ବାହାରକୁ ଯିବାକୁ ଥିବା ସମସ୍ତ ରାସ୍ତାରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏହି ଦୁଇ ଅଭିଯୁକ୍ତଙ୍କୁ ଧରିବା ଲାଗି କଳାହାଣ୍ଡି ଏସପିଙ୍କ ସହାୟତା ଲୋଡ଼ିଥିଲେ କନ୍ଧମାଳ ଏସପି।

କଳାହାଣ୍ଡି ଏବଂ କନ୍ଧମାଳ ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇ ଅଭିଯୁକ୍ତ କିଶୋର ଓ ହରିଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଦୁଇ ଅଭିଯୁକ୍ତଙ୍କ ବୟାନ ଆଧାରରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ଲୁଟେରା ଗ୍ୟାଙ୍ଗରେ ୨ ଜଣ ମହିଳା ରହିଛନ୍ତି। ଅଭିଯୁକ୍ତମାନଙ୍କଠାରୁ ଲୁଟ ହୋଇଥିବା ୧୭ ଲକ୍ଷ ୫୦ ହଜାର ଟଙ୍କା, ୭ଟି ମୋବାଇଲ, ଡିକି ଭାଙ୍ଗିବା ସାମଗ୍ରୀ ସହ କାର ଓ ପଲସର ବାଇକ୍ ଜବତ କରାଯାଇଛି।

ଗିରଫ ୬ ଜଣ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ନୟାଗଡ଼, ଭଦ୍ରକ ଓ ସମ୍ବଲପୁର ଜିଲ୍ଲା ସହ ବିହାର ଓ ଅନ୍ୟ ରାଜ୍ୟରେ ଅନେକ ମାମଲା ରହିଥିବା କନ୍ଧମାଳ ଏସପି କହିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Tags: #Kandhamal #Kalahandi #Phulbani #Loot #RobberyGang

LEAVE A REPLY

Please enter your comment!
Please enter your name here