ଓଡ଼ିଶାଲାଇଭ୍ ବ୍ୟୁରୋ

(ବୈଜୟନ୍ତୀ ମାଳା ମହାପାତ୍ର): ଓଡ଼ିଆ ସାହିତ୍ୟ ଟୁଙ୍ଗି ପକ୍ଷରୁ ରବିବାର ଦିନ ଏକ ସ୍ୱତନ୍ତ୍ର ୱେବିନାର୍ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ‘ଓଡ଼ିଆ ପିଲାଙ୍କ ସାହିତ୍ୟ ଓ ଶିଶୁବୋଧ’ ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଦେଶ ବେନହୁର ଯୋଗଦେଇ ଶିଶୁ ସାହିତ୍ୟର ସୁରକ୍ଷା ଏବଂ ବିକାଶ ଉପରେ ଆଲୋକପାତ କରିଥିଲେ।

“ପିଲାମାନଙ୍କ ଚେତନାର ଅଭିବୃଦ୍ଧି ନିମନ୍ତେ ସାହିତ୍ୟର ଆବଶ୍ୟକତା ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ ବ୍ୟସ୍ତ ବହୁଳ ଜୀବନରେ ପିଲାଙ୍କୁ ନିଜ ଅଭିଭାବକ ପୂର୍ଣ୍ଣ ସମୟ ଦେଇପାରୁ ନାହାନ୍ତି। ତେଣୁ ପିଲାମାନେ ଟିଭି, ମୋବାଇଲ୍ ଆଦି ଦ୍ୱାରା ନିଜ ସମୟ ଅତିବାହିତ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଯଦି ବହୁଳ ପରିମାଣରେ ଶିଶୁ ସାହିତ୍ୟ ସୃଷ୍ଟି କରାଯାଇ ପାରନ୍ତା ତା’ହାଲେ ପିଲାମାନେ ଉତ୍ତମ ସଂସ୍କାର ପାଇ ପାରନ୍ତେ”, କହିଛନ୍ତି ଦାଶ ବେନହୁର।

ସେ ଆହୁରି କହିଛନ୍ତି ଯେ, ପିଲାମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ନିମନ୍ତେ ନିଜ ପରିବାର, ଆମ ସମାଜ ଏବଂ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ରହିଛି। ଏହା ସାକାର ହେଲେ ସାମାଜିକ ମୂଲ୍ୟବୋଧ ବୃଦ୍ଧି ପାଇବ।

ଓଡ଼ିଆ ସାହିତ୍ୟରେ ପିଲାଙ୍କ ଆବଶ୍ୟକତା ନିମନ୍ତେ ଗଳ୍ପ, ଗୀତ, ଉପନ୍ୟାସ, ଭ୍ରମଣ କାହାଣୀ, ଅନୁବାଦ, ଆତ୍ମଜୀବନୀ, ନାଟକ, ବିଜ୍ଞାନ କଥା, କାର୍ଟୁନ୍, ବ୍ୟଙ୍ଗ, ଲୋକକଥା ପ୍ରଭୃତି ଆଧୁନିକ ସମୟର ଅବବୋଧର କଥା ପାଠାଗାର ଇତ୍ୟାଦିର ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ କେତେକ ଶିଶୁ ପତ୍ରିକା ନିଜର ମୌଳିକତା ହରାଇ ବସିଲାଣି।

ସେହି ଶିଶୁ ପତ୍ରିକାମାନଙ୍କରେ ଶିଶୁ ଉପଯୋଗୀ ସାହିତ୍ୟ ବ୍ୟତୀତ ପିଲାଙ୍କ ପାଇଁ  ଅନାବଶ୍ୟକ ଲେଖା ମଧ୍ୟ ପ୍ରକାଶ ପାଉଛି। ଯାହା ପିଲାମାନଙ୍କ ନିମନ୍ତେ ସୁଖପାଠ୍ୟ ନ ହୋଇ ପିଲାଙ୍କ ସର୍ଜନା ଶକ୍ତି ବୃଦ୍ଧି କରିବାରେ ବାଧା ସୃଷ୍ଟି କରୁଛି। ପିଲାଏ ଯାହା ଇଛା ତାହା କରୁଛନ୍ତି, ଏଣୁ ଆମେ ସମୟୋଚିତ ସାହିତ୍ୟ ପିଲାଙ୍କୁ ଯୋଗାଇବା ଦରକାର ବୋଲି ଦାଶ ବେନହୁର କହିଥିଲେ।

ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ ଭୂୟାଁ ପରିଚାଳନା କରିଥିବାବେଳେ ଧୀରେନ୍ଦ୍ର କର ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏଥିରେ ଓଡ଼ିଶା ତଥା ଓଡ଼ିଶା ବାହାରର ବହୁ ବୁଦ୍ଧିଜୀବୀ ଏବଂ ବିଶିଷ୍ଟ ସାହିତ୍ୟିକ ଯୋଗ ଦେଇଥିଲେ।

Tags: #OdiaSahityaTungi #SpecialWebinar #OdiaLiterature

LEAVE A REPLY

Please enter your comment!
Please enter your name here