ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୪ଟି ହାତୀଦାନ୍ତ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଯଶୀପୁର ଥାନା ଅନ୍ତର୍ଗତ ବାଗଡ଼େଗା ଗଡ଼ିଆଶିମିଳିପାଳର ରଘୁନାଥ ପିଙ୍ଗୁଆ। ଏ ନେଇ ଶୁକ୍ରବାର ଦିନ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦ୍ଦେଶ କ୍ରମେ ବିଭାଗର ଏକ ସ୍ଵତନ୍ତ୍ର ଟିମ ଦୁଇଟି ଦନ୍ତାହାତୀଙ୍କର ମୃତ୍ୟୁ ଘଟଣାର ତଦନ୍ତ କରୁଥିଲେ। ତଦନ୍ତ ସମୟରେ ରଘୁନାଥ ପିଙ୍ଗୁଆଙ୍କ ପାଖରେ ହାତୀଦାନ୍ତ ରହିଥିବା ଜଣାପଡ଼ିଥିଲେ। ରଘୁନାଥଙ୍କଠାରୁ ୨ଟି ହାତୀର ମୋଟ ୪ଟି ଦାନ୍ତ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି।

ଗତ ୨୦୨୨ ମସିହା ଡିସେମ୍ବର ମାସରେ ଗୋଟିଏ ଦନ୍ତାହାତୀକୁ ଜେନାବିଲ ରେଞ୍ଜ ନିକଟରେ ଏବଂ ୨୦୨୩ ଫେବ୍ରୁଆରି ମାସରେ ଆଉ ଏକ ଦନ୍ତାହାତୀକୁ ପିଠାବଟା ରେଞ୍ଜର ବାଲିଖାଳ ନିକଟରେ ଶିକାର କରାଯାଇଥିଲା। ପରେ ହାତୀ ଦୁଇଟିର ଦାନ୍ତ କାଟି ନେଇଥିଲେ ଶିକାରୀ। ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଜାଲ ବିଛାଯାଇଥିଲା।

ଦୁଇଟି ଯାକ ହାତୀର ଦାନ୍ତ ଉଦ୍ଧାର କରାଯାଇଥିବାବେଳେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକ ସମ୍ରାଟ ଗଉଡ଼ା କହିଛନ୍ତି।

Tags: #MayurbhanjForestDept #SeizedElephantTusks #ElephantHunting

Comment