ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ରେ ନକ୍ସଲ ଆକ୍ରମଣ ପରେ ବଢ଼ିଛି ଓଡ଼ିଶାର ସୀମାନ୍ତ ଜିଲ୍ଲାଗୁଡ଼ିକର ସୁରକ୍ଷା ବ୍ୟବସ୍ଥା। ରାଜ୍ୟର ୫ଟି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ବରଗଡ଼ ଓ ନୂଆପଡ଼ା।

ହାଇଆଲର୍ଟ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକର ସୀମା ସିଲ୍ କରାଯାଇ ଗାଡ଼ି ମୋଟର ଯାଞ୍ଚ କଡ଼ାକଡ଼ି କରାଯାଇଛି। ପଡ଼ୋଶୀ ରାଜ୍ୟର ସୀମାନ୍ତ ଉପରେ ନଜର ରଖି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ଲାଗି ଜିଲ୍ଲା ପୋଲିସ, ଏସଓଜି ଓ ଡିଭିଏଫ୍ ଯବାନ ପ୍ରସ୍ତୁତ ରହିଛନ୍ତି। ଆନ୍ଧ୍ର-ଓଡ଼ିଶା ସୀମାନ୍ତକୁ ସିଲ୍ କରାଯାଇଛି। ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି।

ଗୁରୁବାର ଦିନ ଛତିଶଗଡ଼ର ଦନ୍ତେଓ୍ଵାଡାଠାରେ ନକ୍ସଲଙ୍କ ଆକ୍ରମଣରେ ୧୧ ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସର ଯବାନଙ୍କ ସହିଦ ହୋଇଥିଲେ।

ଛତିଶଗଡ଼ରେ ନକ୍ସଲ ହମଲା ପରେ ଓଡ଼ିଶାରେ ହାଇ ଆଲର୍ଟ ଜାରି କରାଯାଇଥିଲା। ଛତିଶଗଡ଼ ସୀମାକୁ ଲାଗିଥିବା ଓଡ଼ିଶାର ୩ ଜିଲ୍ଲା ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରକୁ ଆଲର୍ଟ କରାଯାଇଥିଲା। କମ୍ବିଂ ଅପରେସନ ଜୋରଦାର କରିବା ସହ ସୀମା ଅଞ୍ଚଳରେ ଚେକିଂ ଓ ବ୍ଲକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ସୂଚନା ଦେଇଥିଲେ। ଆଜି ଆଉ ଦୁଇଟି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି।

Tags: #Naxal #NaxalAttackInChhattisgarh #Dantewada #HighAlertForOdisha #NaxalAttack

Comment