ଓଡ଼ିଶାଲାଇଭ୍ ବ୍ୟୁରୋ

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତର ଶୁକ୍ରବାର ହେଉଛି ଦ୍ୱିତୀୟ ଦିନ। ଆଜି ରାଷ୍ଟ୍ରପତିଙ୍କର ଶିମିଳିପାଳ ଅଭୟାରଣ୍ୟ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି।

ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଯିବା ସହ ବୁଲିବା ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି। ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ ଦ୍ରୌପଦୀ ମୁର୍ମୁ। ଶିମିଳିପାଳର ପାକୃତିକ ସୌନ୍ଦର୍ଯ୍ୟ ଅନୁଭବ କରିବା ତାଙ୍କ ପାଇଁ ନୂଆ ହୋଇନଥିଲେ ମଧ୍ୟ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଲାଗି ନିଜ ପସନ୍ଦର ସ୍ଥାନକୁ ବୁଲିଯିବେ ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ରାଷ୍ଟ୍ରପତିଙ୍କ ଖାଦ୍ୟ ମେନ୍ୟୁ ବି ଧାର୍ଯ୍ୟ ହୋଇଛି। ଖାଦ୍ୟ ମେନ୍ୟୁରେ ରହିବ ଉଷୁନା ଭାତ ସହ ଡାଲି ପଞ୍ଚ ମେଲନ, ପୋଟଳ କୁରମା, ଶାଗ ଭଜା ଓ ପରିବା ଭଜା ଆଦି। ରାଷ୍ଟ୍ରପତିଙ୍କ ପାଇଁ ସବୁ ଖାଦ୍ୟ ବିନା ପିଆଜ ରସୁଣରେ ପ୍ରସ୍ତୁତ ହେବ। ଶିମିଳିପାଳ ଭିତରେ ଥିବା ଚହଲାରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଶିମିଳିପାଳ ଯିବେ ରାଷ୍ଟ୍ରପତି।

Tags: #PresidentOfIndia #DroupadiMurmu #MayurbhanjVisit #Odisha #SimilipalAbhayaranya

Comment